କଟକର ବାଦାମବାଡ଼ି ଥାନା ଅନ୍ତର୍ଗତ ଲିଙ୍କ ରୋଡ୍ ଓ ଅରୁଣୋଦୟ ନଗର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଯାତ୍ରୀବାହୀ ଓ ଘରୋଇ ବସ୍ଗୁଡ଼ିକରେ ହଠାତ୍ ନିଆଁ ଲାଗିଯିବାରୁ ୮ଟି ବସ୍ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ସୌଭାଗ୍ୟବଶତଃ ଏହି ଅଘଟଣରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ବସ୍ଗୁଡ଼ିକ ଲିଙ୍କ ରୋଡ୍ ସ୍ଥିତ ଓଏସଏଲ୍ ଟାୱାର ନିକଟସ୍ଥ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା। ବିଳମ୍ବିତ ରାତିରେ ହଠାତ୍ ଗୋଟିଏ ବସ୍ରୁ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ନେଇଥିଲା ଏବଂ ପାଖରେ ଛିଡ଼ା ହୋଇଥିବା ଅନ୍ୟ ବସ୍ଗୁଡ଼ିକୁ ମଧ୍ୟ ନିଜ ଆୟତ୍ତକୁ ନେଇଯାଇଥିଲା। ସ୍ଥାନୀୟ ବାସିନ୍ଦା ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଚାଉଳିଆଗଞ୍ଜ ଓ ବକ୍ସିବଜାର ଅଗ୍ନିଶମ କେନ୍ଦ୍ରରୁ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ କରିଥିଲେ। ତେବେ ବିଳମ୍ବିତ ରାତିରେ ଛିଡ଼ା ହୋଇଥିବା ବସ୍ଗୁଡ଼ିକରେ କିପରି ନିଆଁ ଲାଗିଲା, ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ଏବଂ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। Post navigation Temperature Drops Across Odisha: ଆଭ୍ୟନ୍ତରୀଣ ଓଡ଼ିଶାରେ ଖସିଲା ପାରଦ; ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର