ରାଜ୍ୟରେ ଜଙ୍ଗଲ ଓ ପରିବେଶ ସୁରକ୍ଷାକୁ ନେଇ ପୁଣି ଥରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି)। ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅନ୍ତର୍ଗତ କୋଟଗଡ଼ ମୌଜାରେ ଜଙ୍ଗଲ ଜମି ହଡ଼ପ କରି ବେଆଇନ ଭାବେ ଆଲିସାନ ପାର୍କ ଓ ରିସୋର୍ଟ ନିର୍ମାଣ କରାଯାଉଥିବା ଅଭିଯୋଗ ଉପରେ ଏନ୍‌ଜିଟିର କୋଲକାତାସ୍ଥିତ ପୂର୍ବାଞ୍ଚଳ ଖଣ୍ଡପୀଠ ଗମ୍ଭୀର ସଂଜ୍ଞାନ ନେଇଛନ୍ତି। ଏହି ମାମଲାରେ ପ୍ରାଧିକରଣ ଉଭୟ କେନ୍ଦ୍ର ଓ ରାଜ୍ୟ ଜଙ୍ଗଲ ବିଭାଗ, ନୟାଗଡ଼ ଜିଲ୍ଲାପାଳ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସଂପୃକ୍ତ ରିସୋର୍ଟ ମାଲିକଙ୍କୁ ମିଶାଇ ମୋଟ ୯ ଜଣ ପ୍ରମୁଖ ପକ୍ଷଙ୍କୁ ନୋଟିସ୍ ଜାରି କରିବା ସହ ଘଟଣାର ମୂଳପୋଛ ତଦନ୍ତ ପାଇଁ ଏକ ଯୁଗ୍ମ କମିଟି ଗଠନ କରିଛନ୍ତି।

ପରିବେଶ କର୍ମୀ ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ପକ୍ଷରୁ ଦାଖଲ ମୂଳ ଆବେଦନ ଶୁଣାଣୀ କରି ଏନ୍‌ଜିଟି ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଖଣ୍ଡ ଯୁକ୍ତି ଉପସ୍ଥାପନ କରିଥିଲେ।

ଆବେଦନ ଅନୁଯାୟୀ, କୋଟଗଡ଼ା ଗ୍ରାମରେ ଥିବା ‘ଜୟ ସନ୍ତୋଷୀ ମାଆ ହିଲ୍‌ ସାଇଡ୍‌ ପାର୍କ ଆଣ୍ଡ ରିସର୍ଟ’ର ମାଲିକଙ୍କ ଦ୍ୱାରା ଜଙ୍ଗଲ ଜମିରେ ବେଆଇନ ନିର୍ମାଣ ଓ ବ୍ୟବସାୟିକ କାର୍ଯ୍ୟ କରାଯାଉଛି। ପାର୍କ ଓ ରିସର୍ଟ ନିର୍ମାଣ ପାଇଁ ଦେଢ଼ ଏକରରୁ ଅଧିକ ଜଙ୍ଗଲ ଜମିରେ ଗଛ କଟାଯାଇଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ଏହା ସହ ଦୁଇ ଏକରରୁ ଅଧିକ ପରିମିତ ଏକ ଜଳାଶୟକୁ ଜବରଦଖଲ କରି ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।

ଏହି ପ୍ରକଳ୍ପ ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ ଆବଶ୍ୟକ ‘କନ୍‌ସେଣ୍ଟ ଟୁ ଏଷ୍ଟାବ୍ଲିସ୍‌’ (ସିଟିଇ) ଓ ‘କନ୍‌ସେଣ୍ଟ ଟୁ ଅପରେଟ୍‌’ (ସିଟିଓ) ଅନୁମତି ନିଆଯାଇ ନଥିବା ମଧ୍ୟ ଆବେଦନରେ ଦର୍ଶାଯାଇଛି। ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ପାଇଁ ଆବଶ୍ୟକ ଅନୁମୋଦନ ମଧ୍ୟ ନିଆଯାଇନାହିଁ ।

ଏନ୍‌ଜିଟି ଏହି ମାମଲାରେ ପାର୍କର ମାଲିକଙ୍କ ସମେତ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ରାଜ୍ୟ ଜଙ୍ଗଲ ବିଭାଗର ସଚିବ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନୟାଗଡ଼ ଜିଲ୍ଲାପାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଖୋର୍ଦ୍ଧା ଡିଏଫ୍‌ଓ ଏବଂ ରଣପୁର ତହସିଲଦାରଙ୍କ ସମେତ ମୋଟ ୯ ଜଣଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ଜବରଦଖଲ ସମ୍ପର୍କରେ ଯାଞ୍ଚ କରିବା ପାଇଁ ଏନ୍‌ଜିଟି ଗଠନ କରିଥିବା ଯୁଗ୍ମ କମିଟିରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦ୍ର), ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନୟାଗଡ଼ ଜିଲ୍ଲାପାଳ ଏବଂ ଖୋର୍ଦ୍ଧା ଡିଭିଜନର ଡିଏଫ୍‌ଓଙ୍କ ପ୍ରତିନିଧି ରହିବେ।

ଏହି କମିଟି ସଂପୃକ୍ତ ସ୍ଥାନ ପରିଦର୍ଶନ କରି ଆବେଦନକାରୀଙ୍କ ଅଭିଯୋଗର ଯାଞ୍ଚ କରିବ। ଏଥିସହ ଆବେଦନକାରୀ ଓ ସମ୍ପୃକ୍ତ ପ୍ରକଳ୍ପର ପ୍ରତିନିଧିଙ୍କୁ ତଦନ୍ତ ସମୟରେ ସାମିଲ କରି ବାସ୍ତବ ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେବ। ନୟାଗଡ଼ ଜିଲ୍ଲାପାଳଙ୍କୁ ଏହି କମିଟିର ସମନ୍ୱୟ ଓ ନିର୍ଦ୍ଦେଶ ପାଳନ ପାଇଁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।

କମିଟିକୁ ଦୁଇ ମାସ ମଧ୍ୟରେ ଏନ୍‌ଜିଟିଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ରିପୋର୍ଟ ଦାଖଲ ନହେଲେ ନୟାଗଡ଼ ଜିଲ୍ଲାପାଳଙ୍କୁ ଏନ୍‌ଜିଟିରେ ବ୍ୟକ୍ତିଗତ ଭାବେ କିମ୍ବା ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହାଜର ହୋଇ ବିଳମ୍ବର କାରଣ ସ୍ପଷ୍ଟ କରିବାକୁ ପଡ଼ିବ ବୋଲି ଟ୍ରିବ୍ୟୁନାଲ ସ୍ପଷ୍ଟ କରିଛନ୍ତି ବୋଲି ଆବେଦନକାରୀଙ୍କ ଆଡଭୋକେଟ୍ ଶ୍ରୀ ଅଖଣ୍ଡ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଆବେଦନକାରୀ ଜଙ୍ଗଲ ଜମିରୁ ବେଆଇନ ନିର୍ମାଣ ଓ ଜବରଦଖଲ ହଟାଇବା, ପରିବେଶଗତ କ୍ଷତି ପାଇଁ ସମ୍ପୃକ୍ତ ପ୍ରକଳ୍ପ ମାଲିକଙ୍କ ଉପରେ ଜରିମାନା ଓ ପରିବେଶ କ୍ଷତିପୂରଣ ଲାଗୁ କରିବା ଏବଂ ନିଜ କର୍ତ୍ତବ୍ୟ ପାଳନରେ ଅବହେଳା କରିଥିବା ସରକାରୀ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ଦାବି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮, ୨୦୨୬ରେ ହେବ।

Leave a Reply

Your email address will not be published. Required fields are marked *