Naveen Patnaik Urges Odisha BJP MPs to Challenge and Seek Reversal of MMDR Amendment Bill, 2026
ଓଡ଼ିଶାର ଖଣିଜ ସମ୍ପଦକୁ ନେଇ କେନ୍ଦ୍ର-ରାଜ୍ୟ ଅଧିକାରର ପ୍ରଶ୍ନକୁ ପୁଣିଥରେ ସାମ୍ନାକୁ ଆଣିଛି ବିଜେଡି । ଏମ୍‌ଏମ୍‌ଡିଆର୍‌ ଆମେଣ୍ଡମେଣ୍ଟ ବିଲ୍‌, ୨୦୨୬କୁ ଲୋକସଭାରେ ସମର୍ଥନ କରିଥିବା ଓଡ଼ିଶାର ବିଜେପି ସାଂସଦମାନଙ୍କୁ କଡ଼ା ଭାଷାରେ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟର ବିପୁଳ ଖଣିଜ ସମ୍ପଦ ଓ ଭବିଷ୍ୟତ ସ୍ୱାର୍ଥକୁ ପ୍ରଭାବିତ କରିପାରୁଥିବା ବିଲ୍‌କୁ ସମର୍ଥନ କରି ସାଂସଦମାନେ ନିଜ ଦାୟିତ୍ୱରୁ ଦୂରେଇ ଯାଇଛନ୍ତି ବୋଲି ତାଙ୍କ ଚିଠିର ଭାଷାରୁ ସ୍ପଷ୍ଟ ହେଉଛି ।
 
ଅଗଷ୍ଟ ୧୩ରେ ଲୋକସଭାରେ ବିଲ୍‌ ପାରିତ ହେବାକୁ ନବୀନ ‘ଓଡ଼ିଶା ପାଇଁ କଳା ଦିବସ’ ବୋଲି କହିଛନ୍ତି । ଓଡ଼ିଶା ଭଳି ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟ ପାଇଁ ଏହି ଆଇନର ଗଭୀର ପ୍ରଭାବ ରହିଥିବା ସତ୍ତ୍ୱେ ଲୋକସଭାରେ ୧୦ ମିନିଟ୍‌ରୁ କମ୍‌ ସମୟ ଆଲୋଚନା ପରେ ବିଲ୍‌ ପାରିତ କରାଯିବାକୁ ସେ ପ୍ରଶ୍ନ କରିଛନ୍ତି । ଏପରି ଗୁରୁତ୍ୱପୂର୍ଣ୍ଣ ଆଇନକୁ ନେଇ ଓଡ଼ିଶାର ସ୍ୱାର୍ଥ କେତେ ଗୁରୁତ୍ୱ ପାଇଲା, ତାହା ଉପରେ ମଧ୍ୟ ନବୀନ ଇଙ୍ଗିତପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ।
 
ନବୀନଙ୍କ ଚିଠିର ସବୁଠାରୁ ତୀବ୍ର ଅଭିଯୋଗ ହେଉଛି—ଏକ ଆଇନଗତ ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ନିଜ ଖଣିଜ ସମ୍ପଦ ଏବଂ ଖଣିଜ ଭଣ୍ଡାର ଥିବା ଜମି ଉପରେ ରାଜ୍ୟର ନିୟନ୍ତ୍ରଣ କ୍ଷମତା ଛଡ଼ାଇ ନିଆଯାଇଛି । ଦେଶର ଖଣିଜ ସମ୍ପଦର ପ୍ରାୟ ୪୪ ପ୍ରତିଶତ ଓଡ଼ିଶାରେ ଥିବା ଦର୍ଶାଇ ସେ ପ୍ରଶ୍ନ କରିଛନ୍ତି—ଯେଉଁ ସମ୍ପଦ ଦଶନ୍ଧି ଧରି ଦେଶର ଶିଳ୍ପ ଓ ଭିତ୍ତିଭୂମି ବିକାଶର ମେରୁଦଣ୍ଡ ପାଲଟିଛି, ସେହି ସମ୍ପଦ ଉପରେ ରାଜ୍ୟର ଅଧିକାର ହ୍ରାସ କରାଯିବାର ମୂଲ୍ୟ ଓଡ଼ିଶା କାହିଁକି ଦେବ?
 
ଚିଠିରେ ଆହୁରି ଦାବି କରାଯାଇଛି ଯେ, ଏହି ଆଇନ ଯୋଗୁଁ ଓଡ଼ିଶା ପ୍ରତିବର୍ଷ ୧୨ ହଜାର କୋଟି ଟଙ୍କାରୁ ଆରମ୍ଭ କରି ସମୟକ୍ରମେ ବିପୁଳ ରାଜସ୍ୱ ହରାଇପାରେ । କିନ୍ତୁ ନବୀନଙ୍କ ଚିଠିରେ ଆର୍ଥିକ କ୍ଷତିଠାରୁ ବଡ଼ ବିପଦ ଭାବେ ରାଜ୍ୟର ଖଣିଜ ସମ୍ପଦ ଉପରେ ନିୟନ୍ତ୍ରଣ କ୍ଷମତା ହ୍ରାସକୁ ଦର୍ଶାଯାଇଛି ।
 
ଖଣିଜ ସମ୍ପଦ ଦୋହନର ଲାଭ ଦେଶର ଶିଳ୍ପକୁ ମିଳୁଥିବା ବେଳେ ପ୍ରଦୂଷଣ, ବିସ୍ଥାପନ ଓ ପରିବେଶ ଅବକ୍ଷୟର ଭାର ଓଡ଼ିଶାର ଲୋକେ ବହନ କରୁଛନ୍ତି ବୋଲି ନବୀନ ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ ରାଜ୍ୟର କ୍ଷମତାକୁ ଆହୁରି ସଙ୍କୁଚିତ କରିବା ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
 
ନବୀନଙ୍କ ଆହ୍ୱାନରେ ଏଥର ରାଜନୈତିକ ଚାପର ସ୍ୱର ମଧ୍ୟ ସ୍ପଷ୍ଟ । ବିଜେପି ସାଂସଦମାନଙ୍କୁ ଦଳୀୟ ନିଷ୍ପତ୍ତି ଅପେକ୍ଷା ଓଡ଼ିଶାର ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ସେ କହିଛନ୍ତି । ଏମ୍‌ଏମ୍‌ଡିଆର୍‌ ଆଇନର ସଂଶୋଧନ ଯେଉଁଭଳି ରାଜ୍ୟ ସରକାରଙ୍କ କ୍ଷମତାକୁ ଛଡ଼ାଇ ନେଉଛି ବୋଲି ସେ ଅଭିଯୋଗ କରିଛନ୍ତି, ତାହାର ପ୍ରତ୍ୟାହାର ପାଇଁ ସାଂସଦମାନେ ଦାବି ଉଠାନ୍ତୁ ବୋଲି ନବୀନ ଆହ୍ୱାନ ଦେଇଛନ୍ତି ।
 
ଶେଷରେ ନବୀନ ଏକ ରାଜନୈତିକ ବାର୍ତ୍ତା ଦେଇଛନ୍ତି—ଇତିହାସ ଦଳୀୟ ଆନୁଗତ୍ୟକୁ ନୁହେଁ, ଓଡ଼ିଶାର ସ୍ୱାର୍ଥ ସଙ୍କଟରେ ପଡ଼ିଥିବା ବେଳେ କିଏ ରାଜ୍ୟ ପାଇଁ ଠିଆ ହୋଇଥିଲା, ତାହାକୁ ମନେ ରଖିବ । ଏବେ ବିଜେପି ସାଂସଦମାନଙ୍କ ସମ୍ମୁଖରେ ନିଜ ଦଳୀୟ ଆନୁଗତ୍ୟ ଓ ଓଡ଼ିଶାର ସ୍ୱାର୍ଥ ମଧ୍ୟରୁ କାହାକୁ ପ୍ରାଥମିକତା ଦେବେ, ସେହି ପ୍ରଶ୍ନ ରଖି ନବୀନ ନିଜ ଚିଠିର ନିଷ୍ପତ୍ତି ସେମାନଙ୍କ ଉପରେ ଛାଡ଼ିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *