ସାଧାରଣ ନାଗରିକଙ୍କୁ ସମୟସୀମା ମଧ୍ୟରେ ସରକାରୀ ସେବା ଯୋଗାଇଦେବା ଏବଂ ପ୍ରଶାସନିକ ସ୍ତରରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ‘ଓଡ଼ିଶା ଜନସେବା ଅଧିକାର ଆଇନ (ORTPSA) ଅଧୀନରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ‘ଆଟୋ-ଅପିଲ୍ ସିଷ୍ଟମ୍’ର କାର୍ଯ୍ୟକାରିତା ପାଇଁ ମାନକ କାର୍ଯ୍ୟକାରୀ ପ୍ରକ୍ରିୟା ଜାରି କରାଯାଇଛି। ଏହି ନୂତନ ବ୍ୟବସ୍ଥା ଦ୍ୱାରା ନାଗରିକମାନଙ୍କୁ ଆଉ ଅଭିଯୋଗ କରିବା ପାଇଁ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନାଗରିକଙ୍କୁ ସରକାରୀ ସେବା ନମିଳିଲେ ଦାୟୀ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେବା ଯୋଗାଇବାରେ ବିଳମ୍ବ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ଦରମାରୁ ଦିନକୁ ୨୫୦ ଟଙ୍କା ଲେଖାଏଁ କଟାଯିବ। ନୂତନ ନିୟମାନୁସାରେ ଅବହେଳା କରୁଥିବା ଅଫିସରଙ୍କ ଉପରେ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯିବାର ବ୍ୟବସ୍ଥା ରହିଛି। ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଦ୍ୱାରା ନାଗରିକମାନେ ବିନା କୌଣସି ହଇରାଣରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାରୀ ସେବା ପାଇପାରିବେ। କିପରି କାମ କରିବ ‘ଆଟୋ-ଅପିଲ୍ ସିଷ୍ଟମ୍’? ନାଗରିକମାନେ ନିର୍ଦ୍ଧାରିତ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିବା ପରେ ଏକ ସ୍ୱତନ୍ତ୍ର ‘ଆକନଲେଜମେଣ୍ଟ ନମ୍ବର’ ପାଇବେ। ପ୍ରତ୍ୟେକ ସେବା ପାଇଁ ସିଷ୍ଟମରେ ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିବ। ଯଦି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଆବେଦନର ସମାଧାନ ନକରନ୍ତି, ତେବେ ସିଷ୍ଟମ୍ ସ୍ୱୟଂଚାଳିତ ଭାବେ ଏହାକୁ ‘e-Appeal’ ରେ ପରିଣତ କରି ଉପରସ୍ଥ ଅପିଲ୍ ପ୍ରାଧିକାରୀଙ୍କ ପାଖକୁ ପଠାଇଦେବ। ଯଦି ଅପିଲ୍ ପ୍ରାଧିକାରୀ ମଧ୍ୟ ୩୦ ଦିନ ମଧ୍ୟରେ କୌଣସି ପଦକ୍ଷେପ ନନିଅନ୍ତି, ତେବେ ମାମଲାଟି ସ୍ୱୟଂଚାଳିତ ଭାବେ ରିଭିଜନାଲ୍ ପ୍ରାଧିକାରୀଙ୍କ ନିକଟକୁ ପଠାଯିବ। ଏହି ସମସ୍ତ ପ୍ରକ୍ରିୟା ସମ୍ପର୍କରେ ଆବେଦନକାରୀ ଓ ସମ୍ପୃକ୍ତ ଅଧିକାରୀଙ୍କୁ SMS, WhatsApp ଏବଂ B-mail ମାଧ୍ୟମରେ ସୂଚିତ କରାଯିବ। Post navigation Landslide on NH-520 in Keonjhar: ଲଗାଣ ବର୍ଷା ଯୋଗୁଁ NH-520 ଘାଟିରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ 3 Free LPG Cylinders per Family in Tamilnadu: ତାମିଲନାଡୁରେ ପ୍ରତି ପରିବାରକୁ ମିଳିବ ବର୍ଷକୁ ୩ଟି ମାଗଣା ଗ୍ୟାସ୍ ସିଲିଣ୍ଡର