ପଶ୍ଚିମବଙ୍ଗ ଉପ-ନିର୍ବାଚନରେ ଭାଜପାକୁ ଝଟକା, ସବୁ ଆସନ ପୋଛିଲା ତୃଣମୂଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : କୋଲକତା

ମମତା ବାନାର୍ଜୀ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ମଙ୍ଗଳବାର ପଶ୍ଚିମବଙ୍ଗ ଉପ-ନିର୍ବାଚନରେ ବାଜିମାତ୍‌ କରିଛି । ଏହା ରାଜ୍ୟରେ ଅନୁଷ୍ଠିତ ସମସ୍ତ ୩ଟି ଯାକ ଆସନରେ ବିଜୟୀ ହୋଇଛି । ତୃଣମୂଳ କଂଗ୍ରେସ, ଭାଜପା ହାତରୁ କାଳିଆଗଞ୍ଜ ଏବଂ ଖଡକପୁର ଆସନ ଛଡାଇ ଆଣିବା ସହ କରିମପୁର ଆସନକୁ ବଜାୟ ରଖିଛି । ଏହି ବିଜୟ ସହ ଟିଏମସି ଭାଜପା ଠାରୁ ୨୦୧୯ ଲୋକସଭା ନିର୍ବାଚନବେଳେ ଭାଜପାଠାରୁ ମିଳିଥିବା ଝଟକାର ଏକପ୍ରକାର ପ୍ରତିଶୋଧ ନେଇଛି । ଅନ୍ୟପକ୍ଷରେ ଉତ୍ତରାଖନ୍ଦର ପିଥୌରାଗଡ ଆସନକୁ ପୁଣିଥରେ ଭାଜପା କବଜା କରିଛି । ଏଠାରେ ଭାଜପାର ଚନ୍ଦ୍ରା ପନ୍ତ କଂଗ୍ରେସ ପ୍ରାର୍ଥୀ ଅଞ୍ଜୁ ଲୁନ୍ଥିଙ୍କୁ ୩୨୬୭ ଭୋଟ୍‌ରେ ପରାସ୍ତ କରିଛନ୍ତି । ଗତ ନଭେମ୍ବର ୨୫ରେ ପଶ୍ଚିମବଙ୍ଗ ଏବଂ ଉତ୍ତରଖନ୍ଦର ୪ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ପଶ୍ଚିମବଙ୍ଗରେ ସବୁ ଆସନରେ ପରାସ୍ତ ହେବା ଭାଜପା ପାଇଁ ଏକ ଶକ୍ତ ଝଟକା ସଦୃଶ ହୋଇଛି । ଚଳିତ ବର୍ଷ ଲୋକସଭା ନିର୍ବାଚନବେଳେ ଏହାର ପ୍ରାର୍ଥୀ ବହୁ ଭୋଟରେ ଜିତିଥିବାବେଳେ ଉପ-ନିର୍ବାଚନରେ ଏହା ହାତରୁ କାଳିଆଗଞ୍ଜ ଏବଂ ଖଡକପୁର ଆସନ ଟିଏମସିକୁ ପାଖକୁ ଚାଲିଯିବା ଭାଜପାକୁ ଏକ ଶକ୍ତ ଧକ୍କା ଦେଇଛି । ଭାଜପା ହାତରୁ ସବୁ ଆସନ ଛଡାଇ ନେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପ୍ରତିକ୍ରିୟାରେ “ଏହା ବିକାଶ ଏବଂ ଲୋକଙ୍କ ବିଜୟ । ଏକ, ଦୋ, ତିନ, ଭାଜପା କା ବିଦାଇ ଦିନ” ବୋଲି କହିଛନ୍ତି । ପଶ୍ଚିମବଙ୍ଗବାସୀ ଏନଆରସି ଏବଂ ଗର୍ବର ରାଜନୀତି ବିରୋଧରେ ଜନାଦେଶ ଦେଇଛନ୍ତି । ଲୋକେ ଭାଜପାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ମମତା କହିଛନ୍ତି । ପ୍ରକାଶ ଥାଉ କି, ଚଳିତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ଭାଜପା ପଶ୍ଚିମବଙ୍ଗର ୪୨ ଆସନରୁ ୧୮ଟିରେ ବିଜୟୀ ହୋଇଥିଲା । କାଳିଆଗଞ୍ଜ ଏବଂ ଖଡକପୁର ଆସନରେ ୧୯୯୮ ପରଠାରୁ ଟିଏମସି କେବେବି ଜିତିବାରେ ସକ୍ଷମ ହୋଇନଥିଲାବେଳେ ଏବେ ସେଠାରେ ଭାଜପାକୁ ପରାସ୍ତ କରିପାରିଥିବାରୁ ମମତା ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ ।
ପଶ୍ଚିମବଙ୍ଗର ଖଡକପୁର ସଦର ଆସନରୁ ଭାଜପାର ଦିଲିପ ଘୋଷ ଏବଂ କରିମପୁର ଆସନରୁ ତୃଣମୂଳ କଂଗ୍ରେସର ମହୁଆ ମୋଇତ୍ରା ବିଧାୟକ ଥିଲେ । ଉଭୟ ସାଂସଦ ହେବା ପରେ ସେମାନଙ୍କ ଆସନ ଖାଲି ପଡିଥିଲା । ଅନ୍ୟପକ୍ଷରେ କାଳିଆଗଞ୍ଜ ଆସନରେ ବିଧାୟକ ଥିବା ପ୍ରମଥ ନାଥଙ୍କ ପରଲୋକ ଘଟିବା ପରେ ଆସନ ଖାଲି ପଡିଥିଲା । ସେହିପରି ଉତ୍ତରାଖନ୍ଦର ପିଥୌରାଗଡ ଆସନରେ ଭାଜପା ବିଧାୟକ ଏବଂ କ୍ୟାବିନେଟ ମନ୍ତ୍ରୀ ପ୍ରକାଶ ପନ୍ତଙ୍କ ନିଧନ ଯୋଗୁ ଏହା ଖାଲି ହୋଇଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*