ଭୁବନେଶ୍ୱର: ମହିଳାଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା । କିନ୍ତୁ ବିଜେଡି ଓଲଟା ନିଜର ଭୋଟ ବ୍ୟାଙ୍କକୁ ସଶକ୍ତ କରିବା ପାଇଁ ଏସ୍‌ଏଚଜିର ମା’, ଭଉଣୀମାନଙ୍କୁ ପ୍ରଲୋଭିତ କରିଆସୁଛି । ଏହି ପ୍ରଲୋଭନର ଶିକାର ହୋଇ କିଛି ମୁଷ୍ଟିମେୟ ମିଶନଶକ୍ତିର ମା ଯଥା- ଜିପିଏଫ ଲିଡର, ଏମବିକେ, ସିଆରପି, ଜିଆରଏସ୍ ନିଜର ଦାୟିତ୍ୱ ଭୁଲି ବିଜେଡିର ପ୍ରଚାର କରୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁଛି । ଏହା ନିର୍ବାଚନ ଭଳି ଗଣତନ୍ତ୍ରର ସର୍ବୋଚ୍ଚ ପର୍ବର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ପଂଚାୟତ ମହାସଂଘକୁ ମୋଦି ସରକାର ଦେଉଥିବା ଲକ୍ଷ ଲକ୍ଷ ସିଆଇଏଫ ଟଙ୍କାକୁ ମହିଳାମାନଙ୍କ ଟ୍ରେନିଂରେ ଉପଯୋଗ ନକରି ବିଜେଡି ସରକାର ନିଜର ମିଛ ପ୍ରଚାର ଯଥା-: “ପିତଳକୁ କିଭଳି ସୁନା” କହିବେ ସେ ପ୍ରକାର ଟ୍ରେନିଂ ଦେଉଛନ୍ତି । ଯାହା ଏସ୍‌ଏଚଜିର ମୂଳ ଲକ୍ଷ୍ୟ ବିରୋଧୀ । ଯେଉଁ ମା’, ଭଉଣୀମାନେ ପ୍ରକୃତରେ ସଶକ୍ତ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ଧାର୍ଯ୍ୟ କାର୍ଯ୍ୟରେ ନଲଗାଇ ଏମ୍‌ବିକେ, ସିଆରପି ପଦାଧିକାରୀର ଛଦ୍ମ ରୂପରେ ବିଜେଡିର କିଛି ମହିଳାମାନେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରି ବିଜେଡିକୁ ଭୋଟ ଦେବା ପାଇଁ ପ୍ରବର୍ତାଉଛନ୍ତି । ଯାହା ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ ।

ବିଜେପି ମହିଳା ପ୍ରତିନିଧିମଣ୍ଡଳୀ ଏହାକୁ ନିନ୍ଦା କରିବା ସହ ତଥ୍ୟ ପ୍ରମାଣ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ।
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଏମ୍‌ବିକେ ଶ୍ରୀମତୀ ନିରୂପମା ନାୟକ ଖୋଲାଖୋଲି ବିଜେଡିକୁ ଭୋଟ ଦେବା ପାଇଁ ମା’ମାନଙ୍କୁ ପ୍ରବର୍ତାଉଥିବାର ଅଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯାହାର ପ୍ରମାଣ ବିଜେପି ସିଇଓଙ୍କୁ ପ୍ରଦାନ କରିଛି । ଏଥିସହ ଚାନ୍ଦବାଲି ବ୍ଲକ ବିଏଲଏଫ ତଥା ପୂର୍ବତନ ବିଏମ୍‌ଜେଡିର ସଭାନେତ୍ରୀ ମାନସୀ ପାଢ଼ି ଏବଂ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବିଏଲ୍‌ଏଫ ସଞ୍ଜୁକ୍ତା ଶତପଥୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ତୁରନ୍ତ ତାଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ ବରିଷ୍ଠ ନେତ୍ରୀ ତଥା ସାଂସ୍କୃତିକ ପ୍ରକୋଷ୍ଠ ସଂଯୋଜିକା ଶ୍ରୀମତୀ ପିଙ୍କି ପ୍ରଧାନ ଦାବି କରିଛନ୍ତି ।

ବିଜେଡି ନିରୀହ ଏସ୍‌ଏଚଜିର ମା’, ଭଉଣୀମାନଙ୍କୁ ନିଜ ଦଳୀୟ କାର୍ଯ୍ୟରେ ଲଗାଇ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଘଂନ କରିବାରୁ ନିଜକୁ ବିଚ୍ୟୁତ ରଖୁ । ଅପରପକ୍ଷେ ବିଜେପି ସର୍ବଦା ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଚାହେଁ ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମହିଳାମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ତୃପ୍ତିମୟୀ ମକଦ୍ଦମ, ସାମାଜିକ ଗଣମାଧ୍ୟମ କନଭେନର ମାନସୀ ମଞ୍ଜରୀ ରାୟ ପାଢ଼ୀ, ରାଜ୍ୟ ମହିଳାମୋର୍ଚ୍ଚା ତଥା ଆଇଟିସେଲ୍ କନଭେନର ରାଜଲକ୍ଷ୍ମୀ ଦାସ, ମିନତୀ ବାରିକ, ମନ୍ଦାକିନି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *