ଏକ୍‌ଜିଟ ପୋଲ୍‌ ସଂକେତ ମହାରାଷ୍ଟ୍ର ଓ ହରିଆନାରେ ପୁଣି ଥରେ ଭାଜପା ଶାସନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ନରେନ୍ଦ୍ର ମୋଦୀଙ୍କ ଶାସନର ଦ୍ୱିତୀୟ ପାଳିରେ ଅନୁଷ୍ଠିତ ପ୍ରଥମ ବଡ଼ ନିର୍ବାଚନୀ ଲଢ଼େଇକୁ ଭାଜପା ତା’ର ସାଥିମାନଙ୍କ ସହ ଜୋରଦାର ଭାବେ ଜିତିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ତଥା ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯେଉଁ ଜୋରଦାର ନିର୍ବାଚନୀ ପ୍ରଚାର କରିଥିଲେ ତାହାର ପ୍ରଭାବ ଯେ ଖୁବ୍‌ ପଡ଼ିଛି ସେ କଥା ଏକଜିଟ୍‌ ପୋଲ ବତାଇଛି ପୁଣିଥରେ ମୋଦୀ ଲହର ମହାରାଷ୍ଟ୍ର ଓ ହରିଆନାରେ ଖେଳିବାକୁ ଯାଉଥିବା କରାଯାଇଛି ଆକଳନ । ସୋମବାର ଭୋଟ୍‌ ଦାନ ସନ୍ଧ୍ୟା ୬ଟା ଶେଷ ହେବା ପରେ ଦେଶର ପ୍ରମୁଖ ଟେଲିଭିଜନ ନୁ୍ୟଜ୍‌ ଚ୍ୟାନେଲଗୁଡ଼ିକ ଆରମ୍ଭ କରିଦେଇଥିଲେ ଏକ୍‌ଜିଟ ପୋଲ ପ୍ରସାରଣ । ଭୋଟ୍‌ ପ୍ରଦାନ ପରେ ବୁଥ୍‌ରୁ ବାହାରି ଯାଉଥିବା ବ୍ୟକ୍ତିମାନଙ୍କ ମତାମତକୁ ଆଧାର କରି ଏହି ସର୍ଭେ ଅନୁଷ୍ଠିତ ହୋଇଥାଏ । ଆସନ୍ତା ୨୪ ତାରିଖ ଦିନ ଭୋଟ୍‌ ଗଣତି ପରେ ଅସଲ ଚିତ୍ର ପଦାକୁ ଆସିବାକୁ ଥିଲା ବେଳେ ଏହି ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ କ’ଣ ହେବାକୁ ଯାଉଛି ତାହାର ସଂକେତ ପ୍ରଦାନ କରିଥାଏ । ୧୭ଟି ରାଜ୍ୟରେ ୫୧ ବିଧାନସଭା ମନ୍ଦଳୀ ଏବଂ ୨ଟି ଲୋକସଭା ଆସନ ସତାରା ଓ ସମସ୍ତିପୁର ପାଇଁ ଉପନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଛି । ତେବେ ସମସ୍ତଙ୍କ ନଜର ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନ ଉପରେ ରହିଥିଲା । ସୋମବାର ସନ୍ଧ୍ୟାରେ ପ୍ରସାରିତ ସବୁ ଚ୍ୟାନେଲର ଏକଜିଟ୍‌ ପୋଲ୍‌ରେ ସହମତି ଦେଖିବାକୁ ମିଳିଛି ଯେ ଭାଜପା ତାହାର ସାଥି ଦଳମାନଙ୍କ ସହ ବିପୁଳ ବିଜୟ ହାସଲ କରିବାକୁ ଯାଉଛି । ଅର୍ଥାତ୍‌ ପୁଣିଥରେ ଭାଜପା ନେତୃତ୍ୱରେ ମହାରାଷ୍ଟ୍ର ଏବଂ ହରିଆନାରେ ଗଢ଼ାଯିବ ମନ୍ତ୍ରୀ ପରିଷଦ । ବହୁତ ଚ୍ୟାନେଲ୍‌ ତିନି-ଚତୁର୍ଥାଂଶ ଆସନ ଭାଜପା ମେଣ୍ଟକୁ ଯିବାର ଆକଳନ କରିଛନ୍ତି ।
ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନ ପାଇଁ ୩,୨୩୭ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଥିଲେ । ଏଠାରେ ପ୍ରମୁଖ ଲଢ଼େଇ ଭାଜପା-ଶିବସେନା ମେଣ୍ଟର କଂଗ୍ରେସ-ଏନ୍‌ସିପି ମେଣ୍ଟ ସହ ହେଉଛି । ତେବେ ଏକଜିଟ୍‌ ପୋଲର ଫଳାଫଳ ଅନୁସାରେ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ଶାସନ ଉପରେ ଲୋକେ ନିଜ ଭରସା ପ୍ରଦାନ କରି ଆଉ ଥରେ ଶାସନଗାଦିକୁ ଫେରାଇବା ପାଇଁ ମନ କରିନେଇଥିବା ଜଣାପଡ଼ିଛି । ସଂଖ୍ୟାକୁ ନେଇ କିଛିଟା ଉପର ତଳ ଥିଲେ ମଧ୍ୟ ସବୁ ଏକଜିଟ୍‌ ପୋଲ୍‌ କିନ୍ତୁ ଭାଜପା ମେଣ୍ଟ ବେଶ୍‌ ସହଜ ବିଜୟ ଆଡ଼କୁ ଯାଉଥିବାର ଅନୁମାନ ଲଗାଇଛନ୍ତି । ନୁ୍ୟଜ୍‌-୧୮ ପକ୍ଷରୁ କୁହାଯାଇଛି ୨୮୮ ଆସନ ଭିତରୁ ଭାଜପା ମେଣ୍ଟକୁ ୨୪୩, କଂଗ୍ରେସ ମେଣ୍ଟକୁ ୪୧ ଏବଂ ଅନ୍ୟଙ୍କୁ ୪ ଆସନ ମିଳିବ । ଟାଇମ୍ସନାଓ ପକ୍ଷରୁ କୁହାଯାଇଛି ଭାଜପା ଓ ସାଥି ଦଳ ଶିବସେନା ୨୩୦ ଆସନ ଜିଣିବେ । କଂଗ୍ରେସ ଓ ସାଥି ୪୮ ଏବଂ ଅନ୍ୟଙ୍କ ଖାତାକୁ ୧୦ ଯିବ । ଟିଭି୯ ପକ୍ଷରୁ କରାଯାଇଥିବା ସର୍ଭେର ଆକଳନ ହେଉଛି ଭାଜପା ମେଣ୍ଟ ୧୯୭, କଂଗ୍ରେସ ମେଣ୍ଟ ୭୫ ଏବଂ ଅନ୍ୟ ୧୬ ଆସନ ପାଇବେ । ଇନ୍ଦିଆ ଟୁଡେ’ର ଏକଜିଟ୍‌ ପୋଲ୍‌ ଅନୁସାରେ ୧୬୬ରୁ ୧୯୪ ଆସନ ଭାଜପା ମେଣ୍ଟ ପାଇବ । କଂଗ୍ରେସ ମେଣ୍ଟ ପାଇଁ ସେମାନେ ୭୨ରୁ ୯୦ ଆସନ ଦର୍ଶାଉଛନ୍ତି । ଏବିପି ଏକଜିଟ୍‌ ପୋଲ୍‌ ଅନୁସାରେ ଭାଜପା ମେଣ୍ଟ ପାଖକୁ ୨୦୪ ସିଟ୍‌ ଯାଉଛି ବୋଲି ବତାଯାଇଛି । କଂଗ୍ରେସ ମେଣ୍ଟ ପାଇଁ ୬୯ ଏବଂ ଅନ୍ୟଙ୍କ ପାଖକୁ ୧୫ ଆସନ ଯିବାର ଏଥିରେ କୁହାଯାଇଛି । ନୁ୍ୟଜ ଏକ୍ସର ଏକଜିଟ୍‌ ପୋଲ୍‌ ଅନୁସାରେ ୧୮୮ରୁ ୨୦୦ ଆସନ ଭାଜପା ମେଣ୍ଟକୁ ଯିବ । କଂଗ୍ରେସ ମେଣ୍ଟ ପାଖକୁ ୭୪ରୁ ୮୯ ଓ ଦଳଙ୍କ ଲାଗି ୬ରୁ ୧୦ ଆସନ ମିଳିବ ବୋଲି ଅନୁମାନ ଲଗାଯାଇଛି । ରିପବ୍ଲିକ୍‌ ଟିଭି ପକ୍ଷରୁ ଭାଜପା-ଶିବସେନା ମେଣ୍ଟ ୨୧୬ରୁ ୨୩୦ ଆସନ ଜିତିବାକୁ ଯାଉଥିବା ଦର୍ଶାଯାଇଛି । କଂଗ୍ରେସ ମେଣ୍ଟ ୫୨ରୁ ୫୯ ଏବଂ ଅନ୍ୟ ଦଳ ୮ରୁ ୧୨ ଆସନ ଭିତରେ ରହିବେ ବୋଲି ଏକଜିଟ୍‌ ପୋଲ ବତାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ରରେ ଶାସନ କରିବାକୁ ହେଲେ ବିଧାନସଭାରେ ବହୁମତ ପାଇଁ ୧୪୫ ଆସନ ଆବଶ୍ୟକ ।
ହରିଆନାରେ ମଧ୍ୟ ସମାନ ଲହର ଦେଖାଦେଇଥିବା ଏକଜିଟ୍‌ ପୋଲ ସଂକେତ ଦେଇଛି । ୯୦ ଆସନ ବିଶିଷ୍ଟ ହରିଆନା ବିଧାନସଭା ନିର୍ବାଚନରେ ୧,୧୬୯ଜଣ ପ୍ରାର୍ଥୀ ଥିଲେ ମଇଦାନରେ । ବିଭିନ୍ନ ଚ୍ୟାନେଲର ଏକଜିଟ୍‌ ପୋଲ ବତାଉଛି ଯେ ଭାଜପା ଏଠାରେ ପୁଣି ଶାସନ କରିବ । ନୁ୍ୟଜ୍‌ ୧୮ ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ୍‌ ଅନୁସାରେ ଭାଜପାକୁ ୭୫, କଂଗ୍ରେସକୁ ୧୦ ଆସନ ମିଳିବ । ଟାଇମ୍ସନାଓ ଭାଜପାକୁ ୭୧ ଓ କଂଗ୍ରେସକୁ ୧୧ ଆସନ ପ୍ରଦାନ କରିଛି । ନୁ୍ୟଜ୍‌ ଏକ୍ସର ଆକଳନ ଅନୁସାରେ ଭାଜପା ୭୭, କଂଗ୍ରେସ ୧୧ ଓ ଅନ୍ୟଙ୍କ ଖାତାକୁ ୨ ସିଟ୍‌ ଯିବ । ଏବିପି ଅନୁସାରେ ୭୨ ବିଧାୟକ ଏଥର ଭାଜପାର ଜିତିକି ଆସିବେ । କଂଗ୍ରେସର କେବଳ ୮ଜଣ ପ୍ରାର୍ଥୀ ଜିତିବେ ବୋଲି ଏହା ଦର୍ଶାଇଛି । ଟିଭି୯ ଭାଜପାକୁ ୪୭ ଆସନ ଓ କଂଗ୍ରେସକୁ ୨୩ ଆସନ ଯାଉଥିବା ବତାଇବା ସହ ୨୦ ଆସନ ଅନ୍ୟ ଦଳଙ୍କ ଖାତାକୁ ଯିବ ବୋଲି ବତାଇ ଭିନ୍ନ ସ୍ୱର ପ୍ରଦାନ କରିଛି । ଇନ୍ଦିଆ ନୁ୍ୟଜ୍‌ର ଆକଳନ ଅନୁସାରେ ୭୫ରୁ ୮୦ ସିଟ୍‌ ଭାଜପା ପାଖକୁ ଏବଂ କଂଗ୍ରେସ ପାଇଁ ୯ରୁ ୧୨ ଆସନ ଯାଉଥିବା ଦର୍ଶାଯାଇଛି । ଏଠାରେ ବହୁମତ ପାଇଁ ୪୬ ବିଧାୟକଙ୍କ ଆବଶ୍ୟକତା ରହିଛି । ଏଥରର ନିର୍ବାଚନରେ ମହାରାଷ୍ଟ୍ରରେ ଭାଜପା ୧୬୪ ଏବଂ ଶିବସେନା ୧୨୬ଟି ଆସନରେ ନିର୍ବାଚନ ଲଢ଼ୁଥିଲା ବେଳେ କଂଗ୍ରେସ ୧୪୭ ଏବଂ ଏନ୍‌ସିପି ୧୨୧ ଆସନରେ ପ୍ରାର୍ଥୀ ଛିଡ଼ା କରିଥିଲା । ରାଜ ଥାକ୍‌ରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା ୧୦୧ଟି ଆସନରେ ଦେଇଥିଲା ପ୍ରାର୍ଥୀ । ୧୪ଶହ ପ୍ରାର୍ଥୀ ସ୍ୱାଧୀନ ଭାବେ ଲଢ଼ୁଥିଲେ । ଗତ ବିଧାନସଭା ନିର୍ବାଚନରେ ଭାଜପା ୧୨୨ ଏବଂ ଶିବସେନା ୬୩ଟି ଆସନରେ ବିଜୟୀ ହୋଇଥିଲେ । ହରିଆନାରେ ଭାଜପା ଓ କଂଗ୍ରେସକୁ ଟକ୍କର ଦେବା ପାଇଁ ବସପା, ଆପ୍‌, ସ୍ୱରାଜ ଇନ୍ଦିଆ ଏବଂ ଲୋକତନ୍ତ୍ର ସୁରକ୍ଷା ପାର୍ଟି ମଇଦାନକୁ ଆସିଥିଲେ ମଧ୍ୟ କେହି ପୂରା ୯୦ ଆସନରେ ପ୍ରାର୍ଥୀ ଦେଇନଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*