ପୁରୀ ଜିଲ୍ଲା ନିମାପଡ଼ାର କେନାଲ ରୋଡ୍‌ସ୍ଥିତ ନନ୍ଦିନୀ ଗେଷ୍ଟ ହାଉସ୍‌ରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଚାଞ୍ଚଲ୍ୟକର ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ପିପିଲି ଅଞ୍ଚଳରୁ ଓ ଅନ୍ୟ ୨ ଜଣଙ୍କୁ ନିମାପଡ଼ା ଅଞ୍ଚଳରୁ କାବୁ କରାଯାଇଛି।

ଅନୁଗୋଳ ଜିଲ୍ଲାର ପୀଡ଼ିତା ମହିଳାଜଣକ ପ୍ରଥମେ ଭୁବନେଶ୍ୱରର ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଘଟଣାସ୍ଥଳ ନିମାପଡ଼ା ଅଧୀନରେ ଆସୁଥିବାରୁ ଖଣ୍ଡଗିରି ପୁଲିସ୍ ଏକ ‘ଜିରୋ ଏଫ୍‌ଆଇଆର୍‌’ ରୁଜୁ କରି ଅଧିକ ତଦନ୍ତ ଓ ମାମଲା ପଞ୍ଜୀକରଣ ପାଇଁ ନିମାପଡ଼ା ଥାନାକୁ ହସ୍ତାନ୍ତର କରିଥିଲା।

ଏଫ୍‌ଆଇଆର୍‌ ଅନୁସାରେ, ପୀଡ଼ିତା ପୂର୍ବରୁ ଭୁବନେଶ୍ୱର ଡେଲଟା ସ୍କୋୟାରସ୍ଥିତ ଏକ ଗେଷ୍ଟ ହାଉସରେ ପ୍ରାୟ ୨ ମାସ କାମ କରୁଥିଲେ। ସେଠାରେ କ୍ୟାସିଅର ଭାବେ କାମ କରୁଥିବା ରମେଶ ଚନ୍ଦ୍ର ଦାସ ନାମକ ବ୍ୟକ୍ତି ତାଙ୍କୁ ନିମାପଡ଼ାର ନନ୍ଦିନୀ ଗେଷ୍ଟ ହାଉସ୍‌କୁ ଆସିବା ପାଇଁ ପ୍ରଲୋଭିତ କରିଥିଲେ। ଏହାପରେ ମହିଳାଜଣକ ସେପ୍ଟେମ୍ବର ୧ ତାରିଖରେ ନନ୍ଦିନୀ ଗେଷ୍ଟ ହାଉସ୍‌ରେ ଯୋଗ ଦେଇଥିଲେ।

ଅଭିଯୋଗ ମୁତାବକ, ରମେଶ ଚନ୍ଦ୍ର ଦାସ ମହିଳାଙ୍କଠାରୁ ୧୫,୪୦୦ ଟଙ୍କା ନେଇଥିଲେ ଏବଂ ସେପ୍ଟେମ୍ବର ୩ ତାରିଖ ରାତି ପ୍ରାୟ ୧ଟାରେ ରୁମ୍ ନମ୍ବର ୧୦୧ରେ ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏହାପରେ ସେପ୍ଟେମ୍ବର ୮ ତାରିଖ ଅପରାହ୍ନ ପ୍ରାୟ ୨:୩୫ରେ ଗେଷ୍ଟ ହାଉସର ଅନ୍ୟ ଜଣେ କ୍ୟାସିଅର ରାଜା, ରୁମ୍ ନମ୍ବର ୧୦୨ରେ ତାଙ୍କୁ ଦୁଷ୍କର୍ମ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଅଭିଯୋଗରେ ଅନ୍ୟ ଦୁଇଜଣ ଅଭିଯୁକ୍ତ ସୁଶାନ୍ତ ଓ ଅକ୍ଷୟଙ୍କ ନାମ ମଧ୍ୟ ରହିଛି। ଏହି ୪ ଜଣ ମିଶି ତାଙ୍କୁ ଭୟଭୀତ କରାଇ କ୍ରମାଗତ ଭାବେ ଶାରୀରିକ ନିର୍ଯାତନା ଦେଉଥିବା ମହିଳାଜଣକ ଦର୍ଶାଇଛନ୍ତି। ପୁଲିସ୍ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *