ବଜାରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ଦର ଏବେ ସାଧାରଣ ଖାଉଟିଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଆୟ ଅପେକ୍ଷା ବ୍ୟୟ ବଢ଼ିଚାଲିଥିବାରୁ ଘର ଚଳାଇବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଥିବା ବେଳେ, ରାଜ୍ୟରେ ଦରଦାମ ନିୟନ୍ତ୍ରଣ କରିବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ବିଜୁ ଜନତା ଦଳ କଡ଼ା ଅଭିଯୋଗ ଆଣିଛି। ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୦୨୬ରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୭.୧୭%ରେ ପହଞ୍ଚିଛି, ଯାହା ଜାତୀୟ ହାରାହାରି ୬.୦୯% ଠାରୁ ବହୁତ ଅଧିକ । ଏହା ବଡ଼ ରାଜ୍ୟମାନଙ୍କ ମଧ୍ୟରେ ୫ମ ସର୍ବୋଚ୍ଚ ସ୍ଥାନରେ ଅଛି । ଗ୍ରାମାଞ୍ଚଳରେ ଏହା ୭.୭୪% ଏବଂ ସହରାଞ୍ଚଳରେ ୫.୬୩% ରହିଛି । ରାଜ୍ୟର ଗ୍ରାମୀଣ ପରିବାର ଅଧିକ ଭାବରେ ପ୍ରଭାବିତ ହେଉଛନ୍ତି । ଖାଦ୍ୟ ଦ୍ରବ୍ୟର ଦରବୃଦ୍ଧି ହିଁ ଏହାର ମୁଖ୍ୟ କାରଣ । ପିଆଜର ଦାମ୍ ପ୍ରାୟ ୧୧୬% ବୃଦ୍ଧି ପାଇଛି, ରସୁଣ ୬୧% ଏବଂ ଲେମ୍ବୁ ୪୭% ବୃଦ୍ଧି ପାଇଛି । ଜାତୀୟ ସ୍ତରରେ ଖାଦ୍ୟ ମୁଦ୍ରାସ୍ଫୀତି ସେପ୍ଟେମ୍ବର ମାସରେ ୭.୭୪% ଥିବାବେଳେ ଅକ୍ଟୋବର ମାସରେ ଏହା ବୃଦ୍ଧି ପାଇ ୮.୯୪%ରେ ପହଞ୍ଚିଛି । ଏହା ସାଧାରଣ ଲୋକଙ୍କ ରୋଜଗାର ଉପରେ ଚାପ ସୃଷ୍ଟି କରିଛି । ସେ ଆଉ ମଧ୍ୟ କହିଛନ୍ତି ବିଜେପି ସରକାର “ଡବଲ ଇଞ୍ଜିନ, ଡବଲ ବିକାଶ” କହି ଲୋକଙ୍କୁ ଆଶା ଦେଇଥିଲେ । କିନ୍ତୁ ବାସ୍ତବରେ ଏହା “ଡବଲ ପ୍ରତାରଣା” ହୋଇଛି । ଗତ ୨ ବର୍ଷରେ ଓଡ଼ିଶାର ମୁଦ୍ରାସ୍ଫୀତି ବାରମ୍ୱାର ଜାତୀୟ ହାରାହାରି ଠାରୁ ଅଧିକ ରହିଛି । ସେପ୍ଟେମ୍ୱରରେ ୬.୭୧% ଥିଲା, ଯାହା ଅକ୍ଟୋବରରେ ଆହୁରି ବଢ଼ିଛି । ଏହା ଦେଖାଏ ଯେ ସରକାର ନିୟନ୍ତ୍ରଣ ପାଇଁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନେଇନାହାନ୍ତି । ତୁରନ୍ତ ଖାଦ୍ୟ ଦ୍ରବ୍ୟର ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉ । ଗ୍ରାମାଞ୍ଚଳର ଲୋକଙ୍କୁ ସହାୟତା ପ୍ରଦାନ କରାଯାଉ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସକ୍ରିୟ ହୋଇ କାର୍ଯ୍ୟ କରୁ । ସାଧାରଣ ଜନତାର ଦୁଃଖକୁ ଅଣଦେଖା କରି କେବଳ ପ୍ରଚାର କରିବା ପରିବର୍ତ୍ତେ, ବିଜେପି ସରକାର ପ୍ରତିବଦ୍ଧତାର ସହ ଲୋକଙ୍କ କଷ୍ଟ ଦୂର କରନ୍ତୁ । Post navigation Potential Cyclone Alert: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆଜି ସନ୍ଧ୍ୟାରେ ବସିବ ଉଚ୍ଚସ୍ତରୀୟ ବୈଠକ