ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରେ ଜଳ ଜୀବନ ମିଶନର ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ, ଠିକାସଂସ୍ଥାଗୁଡ଼ିକର ଅବହେଳା ଏବଂ ବିଭିନ୍ନ ପ୍ରଶାସନିକ ପ୍ରତିବନ୍ଧକକୁ ନେଇ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଏବଂ ପ୍ରକଳ୍ପଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ତାଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।

ସାଂସଦ ତାଙ୍କ ଚିଠିରେ ପ୍ରକଳ୍ପ କାର୍ଯ୍ୟରେ ଅବହେଳା କରୁଥିବା MEIL ଏବଂ KPIL-SPML ପରି ଠିକାସଂସ୍ଥାଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ L&T ପ୍ରକଳ୍ପ ପାଇଁ ଆବଶ୍ୟକୀୟ ବନ୍ୟପ୍ରାଣୀ କ୍ଲିୟରାନ୍ସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି। ଏହାସହିତ କାଶୀନଗର-ଗୁମ୍ମା ଅଞ୍ଚଳରେ PWD ରାସ୍ତା ନିର୍ମାଣ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ୩୬ କିଲୋମିଟର ଦୀର୍ଘ ପାଇପଲାଇନର ତୁରନ୍ତ ମରାମତି କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଗଜପତି ଜିଲ୍ଲାର ପାନୀୟ ଜଳ ସମସ୍ୟା ଉପରେ ଆଲୋକପାତ କରି ସାଂସଦ ଦର୍ଶାଇଛନ୍ତି ଯେ ଅଞ୍ଚଳର ୭୬ଟି ଆଇରନ୍ ପ୍ରଦୂଷିତ ଜଳଉତ୍ସରେ ଆଇରନ୍ ରିମୁଭାଲ୍ ପ୍ଲାଣ୍ଟ ସ୍ଥାପନ କରାଯିବା ସହ ୨୧୧ଟି ନୂତନ ନଳକୂପ ଖନନ କରାଯିବାର ଜରୁରୀ ଆବଶ୍ୟକତା ରହିଛି।

ଅପରପକ୍ଷରେ, ସୁରାଲ, ସୁନପୁର, ସୁମନ୍ଦୀ ସମେତ ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକର ୧୦ କିଲୋମିଟର ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକରେ ଦେଖାଦେଇଥିବା ଲୁଣା ଜଳ ସମସ୍ୟାର ସମାଧାନ ପାଇଁ ଏକ ବିଶେଷଜ୍ଞ ଟିମ୍ ଦ୍ୱାରା ଅନୁଧ୍ୟାନ କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ଉପକୂଳିଆ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସମୁଦ୍ର ଜଳ ବିଶୋଧନ କିମ୍ବା ସ୍ୱତନ୍ତ୍ର ପାଇପଲାଇନ୍ ନିର୍ମାଣ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବାକୁ ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଜୋରଦାର ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *