ନିର୍ଭୟ ମିଡିଆ : ବରଗଡ଼,

ନିଜ ଆସନ ପାଇଁ ବାହାଦୁରୀ ଦେଖାଇବାକୁ ଯାଇ ମନ୍ତ୍ରୀ ଟୁକୁନି ସାହୁ ବରଗଡ଼ ଜିଲ୍ଲାରେ ବିଜୁ ଜନତା ଦଳକୁ ଖୁବ ଅଡୁଆ ଭିତରକୁ ଠେଲିଦେଲେ । ବିଶେଷତଃ ପଦ୍ମପୁରରେ ପ୍ରାର୍ଥୀ ବର୍ଷା ବରିହାଙ୍କୁ ଠେଲିଦେଲେ ପରାଜୟ ଦ୍ୱାରଦେଶକୁ । ମୁଖ୍ୟମନ୍ତ୍ରୀ ଯେ ମିଛ ପ୍ରତିଶ୍ରୁତି ଦିଅନ୍ତି ତାହା ଏବେ ଜିଲ୍ଲାସାରା ଚର୍ଚ୍ଚାର ବିଷୟ ପାଲଟିଛି । ପୁଣିଥରେ ପଦ୍ମପୁର ଜିଲ୍ଲା ଦାବି ହୋଇଯାଇଛି ବଡ଼ ନିର୍ବାଚନୀ ପ୍ରସଙ୍ଗ ।

ଟିଟିଲାଗଡରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ତାଙ୍କ ପାଇଁ ପୂର୍ବ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ସୁରେନ୍ଦ୍ର ସିଂ ଭୋଇଙ୍କୁ ଦଳକୁ ଆଣି ବିଜଦ ଲୋକସଭା ପ୍ରାର୍ଥୀ କରିଛି । ଏହା ସତ୍ତ୍ୱେ ଏତେ ନିରାପଦ ନୁହେଁ ଟିଟିଲାଗଡ ଟୁକୁନିଙ୍କ ପାଇଁ । ସେଥିପାଇଁ ଜିଲ୍ଲାକାର୍ଡ ଖେଳିବାକୁ ଯାଇ ସେ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ଯାହା ବରଗଡ଼ରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ବରିଷ୍ଠ ନାଗରିକ ମଞ୍ଚର ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଟୁକୁନି କହିଥିଲେ ଯେ ତାଙ୍କରି ଯୋଗୁ ପଦ୍ମପୁର ଜିଲ୍ଲା ହୋଇପାରିଲା ନାହିଁ । ପଦ୍ମପୁର ଜିଲ୍ଲା ହୋଇଥିଲେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥାନ୍ତେ । ଯଦି ଜିଲ୍ଲା ହବାର ଅଛି ତ ଟିଟିଲାଗଡ ଜିଲ୍ଲା ହେବା ଉଚିତ । ଯେଉଁମାନେ କହୁଛନ୍ତି ଯେ ତାଙ୍କରି ଯୋଗୁ ପଦ୍ମପୁର ଜିଲ୍ଲା ହୋଇପାରିଲା ନାହିଁ, ତାହା ଭୁଲ ନୁହେଁ । ମୁଁ ଟିଟିଲାଗଡ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ ହୋଇଯାଇଥିଲି ।

ପଦ୍ମପୁର ଉପ ନିର୍ବାଚନବେଳେ ସବୁଠୁ ବଡ଼ ଦାବି ଥିଲା ପଦ୍ମପୁର ଜିଲ୍ଲା ଘୋଷଣା । ତା’ ସହିତ ପାଇକମାଳକୁ ଏନଏସି ମାନ୍ୟତା । ପଦ୍ମପୁର ଜିଲ୍ଲା ଦାବିରେ ନାଗରିକ ସଂଘ ଧାରଣାରେ ବସିଥିଲେ । କୃଷକ ସଂଘ ଜିଲ୍ଲା ଦାବିରେ ଅଟଳ ଥିଲା । ଏହି ଦାବିକୁ ନେଇ ସୁଶାନ୍ତ ସିଂ ଓ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ସହ ଏକାଧିକ ଆଲୋଚନା କରିଥିଲେ । ନାଗରିକ ସଂଘର ଏକ ପ୍ରତିନିଧି ଦଳଙ୍କୁ ନବୀନ ନିବାସ ଡାକରା ହୋଇଥିଲା । ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନ ପ୍ରଚାରକୁ ଯାଇ ଡିସେମ୍ବର ଶେଷ ସୁଦ୍ଧା ଜିଲ୍ଲା ମାନ୍ୟତା ମିଳିବ ବୋଲି ଘୋଷଣା କରିଥିଲେ । ଏହି ଘୋଷଣା ବିଜଦକୁ ବେଶ ସୁହାଇଥିଲା ।

ସେତେବେଳେ କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ନୀତିଗତ ପ୍ରଶ୍ନ ଉଠାଇଥିଲେ । କ୍ୟାବିନେଟ ନିଷ୍ପତ୍ତି ବିନା ମୁଖ୍ୟମନ୍ତ୍ରୀ କିପରି ଜିଲ୍ଲା ଘୋଷଣା କଲେ ବୋଲି ପଚାରିଥିଲେ ଧର୍ମେନ୍ଦ୍ର । କିନ୍ତୁ ସେତେବେଳେ ତାଙ୍କୁ ବିଜଦ ନେତାମାନେ ସମାଲୋଚନା କରିଥିଲେ । ଡିସେମ୍ବର ପାଖେଇ ଆସୁଥିବାବେଳେ ବିଜଦ ପ୍ରରୋଚନାରେ ବିଭିନ୍ନ ସ୍ଥାନରେ ଜିଲ୍ଲା ଗଠନ ଦାବି ମୁଣ୍ଡ ଟେକିଥିଲା । ମାମଲା ହାଇକୋର୍ଟକୁ ଗଲା । ହାଇକୋର୍ଟ ପଦ୍ମପୁର ଜିଲ୍ଲା ଗଠନ ପ୍ରସ୍ତାବ ଉପରେ ରୋକ ଲଗାଇ ଦେଇଥିଲେ । କୋର୍ଟକୁ ମାମଲା ଯିବା ପଛରେ ବିଜୁ ଜନତା ଦଳର ହାତ ଥିବା ସନ୍ଦେହ କରାଯାଇଥିଲା ।

ତେବେ କ’ଣ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର? ବିଧିବଦ୍ଧ ପଦକ୍ଷେପ ବିନା କାହିଁକି ପଦ୍ମପୁର ଭୋଟରଙ୍କ ସହ ଏମିତି ଛଳ କରିଥିଲେ ମୁଖ୍ୟମନ୍ତ୍ରୀ? ଏବେ ସତ କଥା ଫୁଟି ବାହାରିଲା । ଟୁକୁନି ହିଁ ଅଟକାଇଦେଲେ ପଦ୍ମପୁର ଜିଲ୍ଲା ଗଠନକୁ । ଏବେ ଅସଲ ବାମ୍ପ ନେବାକୁ ଯାଉଛନ୍ତି ପଦ୍ମପୁର ପ୍ରାର୍ଥୀ ବର୍ଷା ବରିହା ।

By Nirvay

Leave a Reply

Your email address will not be published. Required fields are marked *