ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ମୋଟ ୧୩ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ କ୍ୟାବିନେଟ୍‌ରେ ଅନୁମୋଦିତ ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ସୂଚନା ଦେଇଛନ୍ତି । କ୍ୟାବିନେଟ୍‌ରେ ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ, ଜଳସେଚନ, ଶକ୍ତି, ପଶୁସମ୍ପଦ ଓ ପଞ୍ଚାୟତିରାଜ ସମେତ ବିଭିନ୍ନ କ୍ଷେତ୍ର ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଉଚ୍ଚଶିକ୍ଷା କ୍ଷେତ୍ରରେ ଡିଜିଟାଲ୍ ସୁବିଧା ବୃଦ୍ଧି ପାଇଁ ‘ଓଡ଼ିଶା ଶିକ୍ଷାନେଟ୍‌’ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହି ଯୋଜନାରେ ୨୦୨୬-୨୭ରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ତିନି ବର୍ଷ ମଧ୍ୟରେ ୩୯୩.୬୨ କୋଟି ଟଙ୍କା ବ୍ୟୟ କରାଯିବ । ଏହା ମାଧ୍ୟମରେ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ମାଗଣା ୱାଇ-ଫାଇ ଇଣ୍ଟରନେଟ୍ ସୁବିଧା ଯୋଗାଇବା ଲକ୍ଷ୍ୟ ରହିଛି ।

୨୦୨୬-୨୭ ଖରିଫ୍ ମାର୍କେଟିଂ ସିଜନ୍ ପାଇଁ ଖାଦ୍ୟ ଓ ଧାନ ସଂଗ୍ରହ ନୀତିକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଏହାଦ୍ୱାରା ଚାଷୀଙ୍କଠାରୁ ସ୍ୱଚ୍ଛତାର ସହ ଧାନ ସଂଗ୍ରହ ଓ ଠିକ୍ ସମୟରେ ଅର୍ଥ ପ୍ରଦାନ ସୁନିଶ୍ଚିତ କରାଯିବ ।

ଓଡ଼ିଶା ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ (କଣ୍ଟ୍ରୋଲ୍) ଅର୍ଡର, ୨୦୧୬ର ଧାରା ୪(୬)ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଏହାସହ ଘରୋଇ ଡିଲରଙ୍କ ସ୍ଥାନରେ ସଂସ୍ଥାଗତ ଡିଲର ନିଯୁକ୍ତି ପ୍ରକ୍ରିୟାର ସମୟସୀମାକୁ ୨୦୨୭ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍‌ର ପଥର୍ଲା ଗ୍ରାମ ନିକଟରେ ତେଲ ନଦୀର ଶାଖା ନଦୀ ଇନ୍ଦ୍ରା/ସୁନ୍ଦର ଉପରେ ଏକ ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ନିର୍ମାଣ ପାଇଁ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହି କାମ ପାଇଁ ୯୯,୯୯,୯୯,୯୯୯ ଟଙ୍କା ଅର୍ଥାତ୍ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ହେବ ।

ନୂଆପଡ଼ା ଜିଲ୍ଲାରେ ୭ଟି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପାଇଁ ୨୮୯.୬୮ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଏହାଦ୍ୱାରା ଜିଲ୍ଲାରେ ଜଳସେଚନ ସୁବିଧା ବୃଦ୍ଧି ପାଇବ ।

କଳାହାଣ୍ଡି ଜିଲ୍ଲାର ରାଣୀବାହାଲଠାରେ ୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପର ପ୍ରକଳ୍ପ ବ୍ୟୟ, ନିର୍ମାଣ ଦାୟିତ୍ୱ ନେବାକୁ ଥିବା ଠିକାଦାର (EPC Contractor) ଏବଂ ଆର୍ଥିକ ଢାଞ୍ଚାକୁ କ୍ୟାବିନେଟ୍ ଅନୁମୋଦନ କରିଛି ।

‘ଓଡ଼ିଶା ବୋଭାଇନ୍ ବ୍ରିଡିଂ (ରେଗୁଲେସନ୍) ବିଲ୍, ୨୦୨୬’କୁ କ୍ୟାବିନେଟ୍ ଅନୁମୋଦନ କରିଛି ।

ଓଡ଼ିଶା ପଞ୍ଚାୟତ ଏକ୍‌ଜିକ୍ୟୁଟିଭ୍ ଅଫିସର (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମ, ୨୦୨୧ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହାସହ ପୁନର୍ଗଠିତ ପଞ୍ଚାୟତ ଏକ୍‌ଜିକ୍ୟୁଟିଭ୍ ଅଫିସର (PEO) କ୍ୟାଡର ଅଧୀନରେ ବିଭିନ୍ନ ପଦବିର ଜିଲ୍ଲାୱାରୀ ମଞ୍ଜୁରିପ୍ରାପ୍ତ ପଦ ସଂଖ୍ୟା ବଣ୍ଟନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି ।

ସେହିପରି ଓଡ଼ିଶା ସିଭିଲ୍ ସର୍ଭିସେସ୍ (ମିଳିତ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା) ନିୟମ, ୧୯୯୧ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛି।

ଓଡ଼ିଶା ଟାଉନ୍ ପ୍ଲାନିଂ ସର୍ଭିସ୍-ଗ୍ରୁପ୍ ଏ (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମ, ୨୦୧୮ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ରାଜ୍ୟରେ ଟାଉନ୍ ପ୍ଲାନିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଓଡ଼ିଶା ଲୋକସେବା ଆୟୋଗ (OPSC) ମାଧ୍ୟମରେ ୧୯ ଜଣ ଆସିଷ୍ଟାଣ୍ଟ ଟାଉନ୍ ପ୍ଲାନରଙ୍କ ସିଧାସଳଖ ନିଯୁକ୍ତି ପାଇଁ ଏହି ସଂଶୋଧନ କରାଯିବ ।

ମୋଟ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ମିଳିଥିବା ଏହି ଅନୁମୋଦନ ରାଜ୍ୟର ଶିକ୍ଷା, କୃଷି, ଜଳସେଚନ, ଶକ୍ତି, ପ୍ରଶାସନିକ ଓ ଯୋଜନା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପକୁ ଆଗକୁ ବଢ଼ାଇବ ।

By Nirvay

Leave a Reply

Your email address will not be published. Required fields are marked *