ନିର୍ଭୟ ମିଡିଆ : ଭୁବନେଶ୍ୱର,

ଓଡ଼ିଶାକୁ ଏଥର ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନେତୃତ୍ୱ କେତେ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ତାହାର ପ୍ରଥମ ଝଲକ ସୋନପୁରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଜନସଭାରୁ ଦେଖିବାକୁ ମିଳିଥିଲା । କିନ୍ତୁ ଭାଷଣ ନୁହେଁ ପଦକ୍ଷେପ ନେଇ ହାଇକମାଣ୍ଡ ଓଡ଼ିଶା ଦଖଲ ସକାଶେ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ନୂଆ ପ୍ରଭାରୀ କରି ନିଯୁକ୍ତି ଦେଇଛି ଭାଜପା । ୫ଟି ଜଟିଳ ଲୋକସଭା ଆସନ ପାଇଁ ବିପ୍ଳବ ଦାୟିତ୍ୱରେ ରହିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ।

ଭୁବନେଶ୍ୱରରେ ଗୁରୁବାର ରାତିରେ ଅମିତ ଶାହା କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକବେଳେ ଗୁରୁମନ୍ତ୍ର ଦେଇଥିଲେ । ସାବଧାନ ମଧ୍ୟ କରିଦେଇଥିଲେ ଯେ, ବର୍ତ୍ତମାନର ସରକାରଙ୍କ ବିରୋଧରେ ଏକ ବଡ଼ ଜନଅସନ୍ତୋଷ ସୃଷ୍ଟି ହୋଇଛି । ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଏହି ଜନଆକ୍ରୋଶକୁ ଯଦି ଭୋଟରେ ଭାଜପା ପରିଣତ କରିନପାରେ ତେବେ ଆଗାମୀ ୨୦ ବର୍ଷ ପାଇଁ କ୍ଷମତା ଚିନ୍ତା ଛାଡିଦେବା ଉଚିତ । ସେ କର୍ମକର୍ତ୍ତାଙ୍କ ଜୋସ ବଢ଼ାଇବା ନିମନ୍ତେ କହିଥିଲେ ଯେ ଶେଷ ପର୍ଯ୍ୟନ୍ତ ସେ କାର୍ଯ୍ୟକର୍ତ୍ତାମାନଙ୍କ ସହ ରହିବେ । ଭୂପେନ୍ଦ୍ର ଯାଦବଙ୍କୁ ରାଜ୍ୟ ଦାୟିତ୍ୱ ଦିଆଯାଇଛି ଏବଂ ସେ ଶେଷ ପର୍ଯ୍ୟନ୍ତ ଏଠାରେ ରହିବେ ବୋଲି ଶାହା ସୂଚନା ଦେଇଥିଲେ ।

ବର୍ତ୍ତମାନ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ତୁଲାଉଛନ୍ତି ବିଜୟପାଲ ସିଂ ତୋମର । ସହ ପ୍ରଭାରୀ ଅଛନ୍ତି ଲତା ଉସେଣ୍ଡି । କ୍ଷେତ୍ରୀୟ ପ୍ରଭାରୀ ଦାୟିତ୍ୱ ତୁଲାଉଛନ୍ତି ସୁନୀଲ ବଂଶଲ । ଏବେ ମୁଖ୍ୟ ଦାୟିତ୍ୱରେ ରହିବେ ଭୁପେନ୍ଦ୍ର ଯାଦବ । ଏହାପରେ ବିପ୍ଳବ ଦେବଙ୍କୁ ନିର୍ଦିଷ୍ଟ ୫ଟି ଲୋକସଭା ଆସନ ପାଇଁ ସ୍ୱତନ୍ତ୍ର ପ୍ରଭାରୀ ନିଯୁକ୍ତ କରିଛି ଦଳ । ଏଣୁ ହାଇକମାଣ୍ଡଙ୍କ ଓଡ଼ିଶା ଦଖଲ ଯୋଜନାର ଗମ୍ଭୀରତା ବୁଝା ପଡିଯାଉଛି ।

ଭାଜପାର ଦୁଇଟି ବଡ଼ ସମସ୍ୟା ଏଥର ନିର୍ବାଚନରେ ଦେଖାଦେଇଛି । ଜଣେ ଦୁଇ ଜଣ ନେତାଙ୍କ ଜିଦ ଯୋଗୁ ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଅତି ଅଯୋଗ୍ୟ ଓ ଦୁର୍ବଳ ପ୍ରାର୍ଥୀ ଦେଇଛି ଭାଜପା ।

ଯଦି ଦଳର ସ୍ୱାର୍ଥକୁ ବ୍ୟକ୍ତିଗତ ସ୍ୱାର୍ଥଠାରୁ ଊର୍ଦ୍ଧ୍ୱରେ ରଖିଥାନ୍ତେ ଏହି ନେତାମାନେ ତେବେ ପରିସ୍ଥିତି ଅତ୍ୟନ୍ତ ରୋଚକ ଏବଂ ଲାଭଜନକ ହୋଇଥାନ୍ତା । ଦୁର୍ବଳ ପ୍ରାର୍ଥୀ ଲଦିଦେବା କାରଣରୁ ଗୋଟିଏ ଦୁଇଟି ଲୋକସଭା ଆସନ ମଧ୍ୟ ଭାଜପାର ହାତଛଡା ହେବାକୁ ଯାଉଛି । ଏହି ନେତାମାନେ ପରୋକ୍ଷରେ ମୋଦୀ ବିରୋଧୀ ବୋଲି ଆଲୋଚନା ହେଲାଣି । ଜୁନ ୪ ତାରିଖ ପରେ ଏହି ନେତାମାନଙ୍କ ସ୍ୱରୂପ ପଦାରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ସେହିପରି ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀଙ୍କ ଅହଙ୍କାର ଓ ଜିଦ ଦଳ ପାଇଁ ମୁନ୍ଦବ୍ୟଥା ହେବାକୁ ଯାଉଛି । ଏହି ଆସନଟି ଭାଜପା ହାତରୁ ଖସିଯିବ ବୋଲି ଚର୍ଚ୍ଚା ମଧ୍ୟ ହେଲାଣି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ ଚିତ୍ର ବଦଳିବା ନେଇ ଭାଜପା ନେତୃତ୍ୱ ଆଶାବାନ ଅଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *