ଶାନ୍ତିଶୃଙ୍ଖଳା ଏବଂ ସୁରକ୍ଷା ଜନିତ କାରଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ଦୁଇଟି ପ୍ରମୁଖ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ଆସନ୍ତା ଅକ୍ଟୋବର ୧୫ ତାରିଖରେ ସାରା ରାଜ୍ୟର କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ଏହା ପୂର୍ବରୁ ଭଦ୍ରକ ମହିଳା କଲେଜ ଏବଂ ଭଣ୍ଡାରୀପୋଖରୀ ସ୍ଥିତ ନାମୀ କଲେଜରେ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ନାମୀ ଡିଗ୍ରୀ କଲେଜ କର୍ତ୍ତୃପକ୍ଷ କେତେକ ଅପରିହାର୍ଯ୍ୟ ଏବଂ ସମ୍ବେଦନଶୀଳ ସମସ୍ୟା ଯୋଗୁଁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି।

ସେହିପରି ଭଦ୍ରକ ମହିଳା କଲେଜର ଛାତ୍ର ସଂସଦ ଉପଦେଷ୍ଟା କମିଟିର ସର୍ବସମ୍ମତ ନିଷ୍ପତ୍ତି କ୍ରମେ, କ୍ୟାମ୍ପସ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଆଖିଆଗରେ ରଖି ୨୦୨୬-୨୭ ଶିକ୍ଷାବର୍ଷ ପାଇଁ +୩ ନିର୍ବାଚନକୁ ବାତିଲ କରାଯାଇଥିବା ଘୋଷଣା କରାଯାଇଛି।

ଏହି ନିର୍ବାଚନ ବାତିଲ ଖବର ପରେ ଭଦ୍ରକ ମହିଳା କଲେଜର ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ସେମାନେ କଲେଜ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କ୍ୟାମ୍ପସରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ କଡ଼ା ପୋଲିସ ସୁରକ୍ଷା ବଳ ମୋତାୟନ କରାଯାଇଛି।

 

Leave a Reply

Your email address will not be published. Required fields are marked *