Sijimali Tribal Rights Issue, Sasmit Patra, NCST, Odisha, National Commission for Scheduled Tribes

ସିଜିମାଳି ଅଞ୍ଚଳରେ ଆଦିବାସୀଙ୍କ ଅଧିକାର ଉଲ୍ଲଂଘନ, ପୋଲିସର ଅତ୍ୟାଚାର, ଧମକ ଓ ହଇରାଣ ହରକତ ଅଭିଯୋଗକୁ ନେଇ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି । ଏହି ପ୍ରସଙ୍ଗରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (NCST) ଆସନ୍ତା ଡିସେମ୍ବର ୨ ତାରିଖ ଅପରାହ୍ନ ୪ଟାରେ ନୂଆଦିଲ୍ଲୀଠାରେ ଶୁଣାଣି ପାଇଁ ବିଜେଡି ସାଂସଦ ଡଃ. ସସ୍ମିତ ପାତ୍ରଙ୍କୁ ଡକାଇଛନ୍ତି ।

ଏହାସହ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସମେତ ୮ ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ମଧ୍ୟ ଆୟୋଗ ସମନ ଜାରି କରିଛନ୍ତି। ସମସ୍ତ ଅଧିକାରୀଙ୍କୁ ଆବଶ୍ୟକ ମୂଳ ରେକର୍ଡ ଓ ଦସ୍ତାବିଜ ସହ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାନୁଯାୟୀ, ଡଃ. ପାତ୍ର ଗତ ୨୦୨୬ ଏପ୍ରିଲ ୧୨ ଓ ୨୦ ତାରିଖରେ ଏନ୍‌ସିଏସ୍‌ଟିଙ୍କ ନିକଟରେ ଦୁଇଟି ପିଟିସନ ଦାଖଲ କରିଥିଲେ । ଏହାପରେ ଅଗଷ୍ଟ ୨୫ ତାରିଖରେ ସେ ୩୭ ପୃଷ୍ଠା ସମ୍ବଳିତ ଏକ ବିସ୍ତୃତ ସାମ୍ବିଧାନିକ ଓ ଆଇନଗତ ଦସ୍ତାବିଜ ଆୟୋଗଙ୍କୁ ପ୍ରଦାନ କରିଥିଲେ ।

ଏଥିରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସିଜିମାଳି ଅଞ୍ଚଳରେ ଆଦିବାସୀଙ୍କ ଉପରେ କଥିତ ପୋଲିସ ଅତ୍ୟାଚାର, ଭୟଭୀତ କରିବା, ହଇରାଣ କରିବା ଏବଂ ସେମାନଙ୍କ ସାମ୍ବିଧାନିକ ଓ ଆଇନଗତ ଅଧିକାରର ଉଲ୍ଲଂଘନ ଭଳି ଗୁରୁତର ଅଭିଯୋଗ ଉଠାଯାଇଛି ।

ଆସନ୍ତା ଡିସେମ୍ବର ୨ରେ ହେବାକୁ ଥିବା ଏହି ଶୁଣାଣିରେ ସମ୍ପୃକ୍ତ ପକ୍ଷଙ୍କ ଉପସ୍ଥିତି ଏବଂ ଦାଖଲ ହେବାକୁ ଥିବା ଦସ୍ତାବିଜ ଉପରେ ଆୟୋଗଙ୍କ ପରବର୍ତ୍ତୀ ପଦକ୍ଷେପ ନିର୍ଭର କରିବ ।

By Nirvay

Leave a Reply

Your email address will not be published. Required fields are marked *