ଡିସେମ୍ବର ୩ ରୁ ୭ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ଡିସେମ୍ବର ୩ରୁ ୫ ମଧ୍ୟରେ ଭୁବନେଶ୍ବର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି। ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜର ରଙ୍ଗମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ନିଜ ଗାଁ ଉପରବେଡାକୁ ଯିବେ ରାଷ୍ଟ୍ରପତି। ତେବେ ରାଷ୍ଟ୍ରପତିଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟ ଶାସନ ସଚିବ ଓ ଡିଜିପି ସମୀକ୍ଷା ବୈଠକ କରିଛନ୍ତି।

ସୂଚନା ଅନୁଯାୟୀ;  ଡିସେମ୍ବର ୩ ତାରିଖ ଅପରାହ୍ଣ ୨ଟାରେ ଦିଲ୍ଲୀ ବିମାନ ବନ୍ଦରରୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଭୁବନେଶ୍ୱରରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସିଧାସଳଖ ନିଳାଦ୍ରୀବିହାରସ୍ଥିତ ଏକ ବସ୍ତିକୁ ଯିବେ। ସେଠାରେ ପଣ୍ଡତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ପରେ ସନ୍ଧ୍ୟା ୬ଟା ୨୫ରେ ରାଜଭବନରେ ପହଞ୍ଚି ବିଶ୍ରାମ କରିବେ। ରାଜଭବନରେ ରାତ୍ରଭୋଜନ ଓ ରହଣୀ କରିବେ।

ପରେ ୪ ତାରିଖ ଦିନ ସକାଳ ୯ଟାରୁ ପୁରୀ ଅଭିମୁଖେ ଗସ୍ତ କରିବେ ରାଷ୍ଟ୍ରପତି । ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଗସ୍ତ କରି ଦିନ ୧୦ଟାରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହା ପରେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ମଧ୍ୟାହ୍ନ ୧୨ଟାରେ ସେଠାରୁ ବାହାରି ୧୨ଟା ୧୦ରେ ପୁରୀ ରାଜଭବନରେ ପହଞ୍ଚିବେ। ଅପରାହ୍ଣ ୩ଟା ୪୦ରେ ପୁରୀ ରାଜଭବନରେ ଭାରତୀୟ ନୌସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ। ପରେ ଦିନ ୩ଟା ୪୫ ମିନିଟରେ ସେ ବ୍ଲ୍ୟୁ ଫ୍ଲାଗ ବିଚରେ ଭାରତୀୟ ନୌସେନା ଦିବସରେ ଯୋଗଦେବେ। ପୁରୀ ରାଜଭବନରେ ରାତ୍ରୀଯାପନ କରିବେ। ପରଦିନ ଅର୍ଥାତ ୫ ତାରିଖ ଦିନ ୧୦ଟା ୫ମିନିଟରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଭୁବନେଶ୍ୱରରେ ଓୟୁଏଟିରେ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ସେହିଦିନ ସନ୍ଧ୍ୟାରେ ଭୁବନେଶ୍ୱର କୋର୍ଟ ପରିସରରେ ଜୁଡିସିଆଲ କମ୍ପ୍ଲେକ୍ସ ଉଦଘାଟନ କରିବେ। ସନ୍ଧ୍ୟା ୭ଟାରୁ ୭ଟା ୩୦ ମଧ୍ୟରେ ବିଭିନ୍ନ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଭୁବନେଶ୍ଵରରୁ ୬ ତାରିଖରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜର ରଙ୍ଗମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ନିଜ ଗାଁ ଉପରବେଡାକୁ ଯିବେ ରାଷ୍ଟ୍ରପତି। ଗାଁରେ ପହଞ୍ଚିବା ପରେ ଉପରବେଡା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ୭ ତାରିଖରେ ବାଙ୍ଗିରିପୋଷି ଯାଇ ବହୁ ପ୍ରତୀକ୍ଷୀତ ବାଙ୍ଗିରିପୋଷି-ଗୋରୁ ମହିଷାଣୀ, ବୁଢାମରା-ଚାକୁଳିଆ ଓ ବାଦାମପାହାଡ-କେନ୍ଦୁଝରଗଡ ରେଳପଥର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏହାସହ ଆଭାସୀ ଜରିଆରେ ଆଦିବାସୀ ଗବେଷଣା କେନ୍ଦ୍ର, ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ ଓ ଉପଖଣ୍ଡ ଚିକିତ୍ସାଳୟର ପୁନରୁଦ୍ଧାର ନିମନ୍ତେ ଭିତ୍ତି ପ୍ରସ୍ଥର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ସରିବା ପରେ ଦିନ ୧ଟା ୧୫ ମିନିଟରେ କଲେଇକୁଣ୍ଡା ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Leave a Reply

Your email address will not be published. Required fields are marked *