ବାୟାବାବାଙ୍କ ଉପରେ ଏକ ଡକୁମେଣ୍ଟାରୀ ପ୍ରସ୍ତୁତ କରିବା ନାଁରେ ୧୧ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପ୍ରବଚକ ଶରଣାବିନ୍ଦ ଓଝାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ପ୍ରାଥମିକ ତଦନ୍ତ ଓ ପ୍ରମାଣ ସଂଗ୍ରହ ପରେ ପୁଲିସ ତାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଅଭିଯୋଗ ମୁତାବକ, ଡାକ୍ତର ସାଗରିକା ଦାଶ ବାୟାବାବାଙ୍କ ଉପରେ ଏକ ଡକୁମେଣ୍ଟାରୀ ତିଆରି କରିବାକୁ ଇଚ୍ଛୁକ ଥିଲେ। ଏହି ପ୍ରସଙ୍ଗରେ ଶରଣାବିନ୍ଦ ଓଝାଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା ଏବଂ ଡକୁମେଣ୍ଟାରୀ ନିର୍ମାଣ ପାଇଁ ପାଖାପାଖି ୧୨ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଶରଣାବିନ୍ଦ କହିଥିଲେ। ତାଙ୍କ କଥାବାର୍ତ୍ତା ଓ ପ୍ରତିଶ୍ରୁତିରେ ବିଶ୍ୱାସ ରଖି ଡାକ୍ତର ସାଗରିକା ଦାଶ ବିଭିନ୍ନ ପର୍ଯ୍ୟାୟରେ ଶରଣାବିନ୍ଦ ଓଝାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। କିନ୍ତୁ ଧାର୍ଯ୍ୟ ସମୟ ସୀମା ଭିତରେ ବୃତ୍ତଚିତ୍ର ନିର୍ମାଣ କାର୍ଯ୍ୟ ଆଗେଇ ନ ଥିଲା କିମ୍ବା ସମ୍ପୂର୍ଣ୍ଣ ହୋଇ ନ ଥିଲା। ନିର୍ମାଣ କାର୍ଯ୍ୟର ସ୍ଥିତି ବିଷୟରେ ପଚରାଉଚରା କଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ପରବର୍ତ୍ତୀ ସମୟରେ ଡାକ୍ତର ସାଗରିକା ଦାଶ ଡକୁମେଣ୍ଟାରୀ ନ ଦେଲେ ଅର୍ଥ ଫେରାଇବାକୁ ଦାବି କରିଥିଲେ। ନା ବୃତ୍ତଚିତ୍ର ମିଳିଲା ନା ଟଙ୍କା ଫେରସ୍ତ ହେଲା, ଯାହା ପରେ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ଏହି ମାମଲାରେ ଶରଣାବିନ୍ଦ ଓଝା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ହାର୍ଡଡିସ୍କ ନେବା କଥା ରହିଥିଲା ଏବଂ ସମ୍ପୃକ୍ତ ପକ୍ଷ ତାଙ୍କୁ ଆହୁରି ୩ ଲକ୍ଷ ଟଙ୍କା ଦେଇ ନାହାନ୍ତି। ଏହି ଘଟଣାରେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଆଗାମୀ ଦିନରେ ତଦନ୍ତର ସ୍ଥିତିକୁ ନେଇ ଅଧିକ ତଥ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଉଛି। Post navigation भारत-नेपाल के बीच 8 समझौतों पर हस्ताक्षर; अयोध्या-जनकपुर के बीच ट्रेन सेवा शुरू करने पर बनी सहमति