ବହୁ ଦିନ ଧରି ଓଡ଼ିଶା ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଓଡ଼ିଶା ବିଦ୍ୟୁତ୍ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ବକ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଠିକା କର୍ମଚାରୀଙ୍କ ଦାବିଗୁଡ଼ିକୁ ‘ଅଯୌକ୍ତିକ ଓ ବେଆଇନ’ ବୋଲି ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ମିଳିତ ମଞ୍ଚ ପକ୍ଷରୁ ସ୍ପଷ୍ଟ ଜବାବ ମଗାଯାଇଛି ଏବଂ ଆନ୍ଦୋଳନ ଜାରି ରହିଥିବା ସୂଚନା ଦିଆଯାଇଛି । ବର୍ଷ ବର୍ଷ ଧରି ବିଦ୍ୟୁତ୍ ସେବାରେ ନିୟୋଜିତ ଗରିବ ଠିକା ଶ୍ରମିକଙ୍କୁ ହଠାତ୍ ଛଟେଇ କରି ପରିବାରକୁ ଦୁର୍ଦ୍ଦଶା ଆଡ଼କୁ ଠେଲିଦେବା, ମିଟର ରିଡର ଓ ବିଲ୍ କଲେକ୍ଟରଙ୍କୁ ସର୍ବନିମ୍ନ ମଜୁରି ନ ଦେବା, ଖର୍ଚ୍ଚ କାଟ୍ ଆଳରେ CCA କର୍ମଚାରୀଙ୍କୁ ଛଟେଇ କରିବା ଏବଂ କଲ୍ ସେଣ୍ଟରର ଉଦାହରଣ ଦେଇ ଅନ୍ୟ କର୍ମଚାରୀଙ୍କ ଛଟେଇକୁ ଯଥାର୍ଥ ଦର୍ଶାଇବା କେତେଦୂର ଯୌକ୍ତିକ ବୋଲି ମିଳିତ ମଞ୍ଚ ପ୍ରଶ୍ନ କରିଛି। ଯଦି ଶ୍ରମିକମାନଙ୍କ ଦାବି ଯଥାର୍ଥ ନୁହେଁ, ତେବେ ସେମାନେ କାହିଁକି ଦୀର୍ଘ ଦିନ ଧରି ରାଜରାସ୍ତାରେ ଅନଶନ ଓ ଧାରଣା ଦେଉଛନ୍ତି ଏବଂ ଟାଟା ପାୱାରର ଅଧିକାରୀମାନେ କାହିଁକି ଶ୍ରମିକଙ୍କ ଭଳି ଲୁଇର ଓ ରାଜରାସ୍ତାରେ ରହିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ମଞ୍ଚ ଖୋଲା ଆହ୍ୱାନ ଦେଇଛି । ମିଳିତ ମଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ କର୍ମଚାରୀମାନେ କୌଣସି ସ୍ଥାୟୀ ଚାକିରି କିମ୍ବା ଅତିରିକ୍ତ ଦରମା ବୃଦ୍ଧି ଦାବି କରୁନାହାନ୍ତି, ବରଂ ଯେଉଁ କର୍ମଚାରୀ ଯେଉଁଠାରେ କାର୍ଯ୍ୟ କରୁଥିଲେ, ସେଠାରେ ପୁନଃ ନିଯୁକ୍ତି ଦେଇ ଜୀବିକା ଓ ପରିବାରର ଭବିଷ୍ୟତ ସୁରକ୍ଷିତ କରାଯାଉ । ବିଭିନ୍ନ ଯୋଜନା ଓ ପଦ୍ଧତି ଆଳରେ ଶ୍ରମିକଙ୍କୁ ଜୀବିକାରୁ ବଞ୍ଚିତ କରିବାର ଉଦ୍ୟମ ବନ୍ଦ କରି, ଟାଟା ପାୱାରର ପକ୍ଷ ନେବା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ନିରୀହ ଶ୍ରମିକଙ୍କ ପରିବାରର ଅବସ୍ଥା ଦେଖିବାକୁ ମଞ୍ଚ ଅନୁରୋଧ କରିଛି। ଶ୍ରମିକଙ୍କ ଦାବିକୁ ଅଯୌକ୍ତିକ କହିବା ସହଜ, କିନ୍ତୁ ସେମାନଙ୍କ ପରିବାରର ଭୋକ ଓ ଲୁହର ଉତ୍ତର ଦେବା କଷ୍ଟକର ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। Post navigation Mancheswar Police Station IIC Suspended: କର୍ତ୍ତବ୍ୟରେ ଅବହେଳା ଅଭିଯୋଗ: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଆଇଆଇସି ଗୟାନନ୍ଦ ଶାହ ନିଲମ୍ବିତ