ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଦ୍ୱାରା ପରିଚାଳିତ SI ନିଯୁକ୍ତି ପରୀକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶେଷରେ ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ନଭେମ୍ବର ମାସରେ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି।

ନବଗଠିତ ‘ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍’ର ଅଧ୍ୟକ୍ଷ ତଥା ପୂର୍ବତନ IPS ଅଫିସର ରଶ୍ମି ରଞ୍ଜନ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ପରୀକ୍ଷାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପରିଚାଳନା କରିବା ପାଇଁ କମିଶନ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ତଥ୍ୟ ପୁନଃଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ।ପ୍ରାର୍ଥୀମାନଙ୍କୁ ଅଡ୍‌ମିଟ୍ କାର୍ଡ ଜାରି ହେବା ପୂର୍ବରୁ ସେମାନଙ୍କ ଇମେଲ୍ ଆଇଡି, ମୋବାଇଲ୍ ନମ୍ବର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ବିବରଣୀ ସଠିକ୍ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ପଡ଼ିବ। ଏହି ପୁନଃଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଯାଇ ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ଅଡ୍‌ମିଟ୍ କାର୍ଡ ପ୍ରଦାନ କରାଯିବ।

ସେ ଆଉ ମଧ୍ୟ କହିଛନ୍ତି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଏବଂ କୋର୍ଟ ତଥା ଫୋରେନ୍‌ସିକ୍ ଲ୍ୟାବ୍ ଅନୁସନ୍ଧାନ ଯୋଗୁଁ ଏହି ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଘଟିଥିଲା। ବର୍ତ୍ତମାନ ସମସ୍ତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯାଇସାରିଥିବା ବେଳେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC) ର ବୈଷୟିକ ଟିମ୍ ସପ୍ତାହାନ୍ତରେ ମଧ୍ୟ ଏହି କାର୍ଯ୍ୟ କରୁଛନ୍ତି।

ପ୍ରାର୍ଥୀମାନଙ୍କ ସହ ସହଜ ଓ ପ୍ରତ୍ୟକ୍ଷ ଯୋଗାଯୋଗ ରଖିବା ପାଇଁ କମିଶନ୍‌ର ଅଫିସିଆଲ୍ X ଏବଂ ଫେସବୁକ୍ ଆକାଉଣ୍ଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। CPSE-2024 ଅଧୀନରେ ହେବାକୁ ଥିବା ଏହି ପରୀକ୍ଷାର ନୂତନ ତାରିଖ ନେଇ କୌଣସି ନିର୍ଦ୍ଦିଷ୍ଟ ଘୋଷଣା କରାଯାଇ ନଥିଲେ ସୁଦ୍ଧା, ଦୀର୍ଘ ଦିନର ବିଳମ୍ବକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନଙ୍କ ଦାବି ମୁତାବକ ୩ ବର୍ଷର ବୟସସୀମା କୋହଳ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି। ବୈଷୟିକ କାର୍ଯ୍ୟ ଶେଷ ହେବା ମାତ୍ରେ ଅଫିସିଆଲ୍ ୱେବସାଇଟ୍‌ରେ ଏହି ସମସ୍ତ ବିବରଣୀ ଉପଲବ୍ଧ ହେବ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଓଡ଼ିଶା ପୋଲିସ SI ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଏବଂ ପ୍ରଶ୍ନପତ୍ର ଲିକ୍ ଭଳି ଅଭିଯୋଗ ସାମ୍ନାକୁ ଆସିଥିଲା। ଗତବର୍ଷ ପୋଲିସ ଏକ ବଡ଼ ଅନ୍ତଃରାଜ୍ୟ ରାକେଟ୍‌ର ପର୍ଦ୍ଦାଫାଶ କରିଥିଲା, ଯେଉଁଥିରେ ପରୀକ୍ଷାର୍ଥୀମାନଙ୍କୁ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଦିଘା ଭଳି ସ୍ଥାନକୁ ନେଇ ଲିକ୍ ହୋଇଥିବା ପ୍ରଶ୍ନପତ୍ର ମୁଖସ୍ଥ କରାଯାଉଥିଲା।

ଏହି କେଳଙ୍କାରୀରେ ଶହେରୁ ଅଧିକ ପରୀକ୍ଷାର୍ଥୀ ଓ ଦଲାଲ ଗିରଫ ହୋଇଥିଲେ। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାର ତଦନ୍ତ ଭାର CBIକୁ ହସ୍ତାନ୍ତର କରିଥିଲେ।

Leave a Reply

Your email address will not be published. Required fields are marked *