ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ପାହାଡ଼ିଆ ଅଞ୍ଚଳର ଭୂସ୍ଖଳନ ପ୍ରବଣ ରାସ୍ତାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଓଡ଼ିଶା ସରକାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୨୦୨୬-୨୭ ଆର୍ଥିକ ବର୍ଷରେ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDMF) ଅଧୀନରେ ଆର୍ଥିକ ଅନୁଦାନ ନିମନ୍ତେ ପ୍ରଶମନ ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି। ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ କୋରାପୁଟ, ଜୟପୁର, ସୁନାବେଡା, ମାଲକାନଗିରି, ନବରଙ୍ଗପୁର, ବାରିପଦା, କରଞ୍ଜିଆ, ରାୟଗଡ଼ା, ଗୁଣୁପୁର ଓ ଗଜପତି ସମେତ ବିଭିନ୍ନ ଡିଭିଜନର ଅଧୀକ୍ଷଣ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରକଳ୍ପ ପ୍ରସ୍ତାବ ପଠାଇବାକୁ କୁହାଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ କିମ୍ବା ପ୍ରବଳ ବର୍ଷା ସମୟରେ ଯେଉଁ ରାସ୍ତାଗୁଡ଼ିକରେ ବାରମ୍ବାର ଭୂସ୍ଖଳନ ଏବଂ ପାହାଡ଼ ଧସିବା ଭଳି ସମସ୍ୟା ଦେଖାଦେଉଛି, ସେଗୁଡ଼ିକୁ ପ୍ରାଥମିକତା ଦେବାକୁ କୁହାଯାଇଛି। ଏଭଳି ସମସ୍ୟା ଯୋଗୁଁ ସ୍ଥାନୀୟ ଜନବସତିଗୁଡ଼ିକ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ସରକାରୀ ଭିତ୍ତିଭୂମି ନଷ୍ଟ ହେଉଛି ଏବଂ ସ୍ଥାନୀୟ ଲୋକଙ୍କୁ ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ପ୍ରସ୍ତାବରେ ରିଟେନିଂ ୱାଲ୍, ଢାଳ ସ୍ଥିରୀକରଣ, ଉନ୍ନତ ଡ୍ରେନେଜ୍, ରକ୍ଫଲ୍ ସୁରକ୍ଷା, ଷ୍ଟୋନ୍ ପିଚିଂ ଏବଂ ବାୟୋ-ଇଞ୍ଜିନିୟରିଂ ଭଳି ସ୍ଥାୟୀ ବ୍ୟବସ୍ଥା ସାମିଲ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବ୍ୟବହାର୍ଯ୍ୟ ପ୍ରସ୍ତାବ ସହିତ ଆବଶ୍ୟକୀୟ ତଥ୍ୟକୁ ନିର୍ଦ୍ଧାରିତ ଫର୍ମାଟରେ (ଉଭୟ ହାର୍ଡ ଓ ସଫ୍ଟ କପି) ସମ୍ପୃକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଜରିଆରେ ୭ ଦିନ ମଧ୍ୟରେ ସରକାରଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। Post navigation Tamil Nadu CM’s Wife Withdraws Divorce Petition: ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ପତ୍ନୀ ସଙ୍ଗୀତା