ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମହାସାଗରର ଅପାର ସମ୍ଭାବନାକୁ ନେଇ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିହେବାକୁ ଯାଉଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ବିଶାଳ ସମୁଦ୍ର ତଟରେ ପରିପୂର୍ଣ୍ଣ ଓଡ଼ିଶା ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ପ୍ରାଚୀନ ଓଡ଼ିଆ ସାଧବ ପୁଅମାନଙ୍କ ସମୁଦ୍ର ଯାତ୍ରା ଓ ନୌବାଣିଜ୍ୟର ଗୌରବମୟ ଇତିହାସକୁ ପୁନରୁଜ୍ଜୀବିତ କରିବା ପାଇଁ ରାଜ୍ୟ ସରକାର ଏବଂ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପୁରୀଠାରେ ୧୫୦୦ କୋଟି ଟଙ୍କାର ବ୍ୟୟବହୁଳ ‘ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍’ ନିର୍ମାଣ ପାଇଁ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ବିଜେପିର ଡବଲ୍ ଇଞ୍ଜିନ୍ ସରକାର ଗଠନ ପରଠାରୁ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ଆଧୁନିକୀକରଣ ଓ ସମ୍ପ୍ରସାରଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ପୁରୀକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ସଡ଼କ, ରେଳ, ଆକାଶ, ଜଳପଥ ଏବଂ ହୋଟେଲ ଶିଳ୍ପର ବ୍ୟାପକ ସମ୍ପ୍ରସାରଣ କରାଯାଉଛି। ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ବିଜେପି ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ ଦାସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ରକଳ୍ପର ମହତ୍ୱ ଓ ପ୍ରଭାବ ସଂପର୍କରେ ସୂଚନା ଦେଇ ସୁଜିତ୍ ଦାସ କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା ହେବା ଦ୍ୱାରା ବିଶ୍ୱର କୋଣ ଅନୁକୋଣରୁ ବଡ଼ ବଡ଼ କ୍ରୁଜ୍ ଜାହାଜଗୁଡ଼ିକ ସିଧାସଳଖ ପୁରୀରେ ପହଂଚିପାରିବେ, ଯାହାକି ବିଦେଶୀ ପର୍ଯ୍ୟଟକ ଓ ଦେଶର ପର୍ଯ୍ୟଟନ ପ୍ରେମୀମାନଙ୍କ ସଂଖ୍ୟାକୁ ବହୁଗୁଣିତ କରିବ । ପର୍ଯ୍ୟଟନ କ୍ଷେତ୍ରର ଏହି ବିଶାଳ ବିକାଶ ଯୋଗୁଁ ହୋଟେଲ, ପରିବହନ, ହସ୍ତଶିଳ୍ପ ଏବଂ ସ୍ଥାନୀୟ ବ୍ୟବସାୟରେ ହଜାର ହଜାର ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ରାଜ୍ୟର ଅର୍ଥନୀତି ଅଧିକ ସୁଦୃଢ଼ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀକୁ ଆଧୁନିକ ସାମୁଦ୍ରିକ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ଭାବେ ବିଶ୍ୱ ଦରବାରରେ ସ୍ଥାନ ଦେବାରେ ଏହା ଏକ ମାଇଲଖୁଂଟ ସାବ୍ୟସ୍ତ ହେବ । ଓଡ଼ିଶାର ଗୌରବ ଓ ସମୃଦ୍ଧି ପାଇଁ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯେପରି ଭାବେ ନିରନ୍ତର ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା “ବିକଶିତ ଭାରତ-୨୦୪୭ ଓ ସମୃଦ୍ଧ ଓଡ଼ିଶା-୨୦୩୬” ଗଠନର ସଂକଳ୍ପକୁ ସାକାର କରିବ ବୋଲି ସୁଜିତ୍ ଦାସ କହିଛନ୍ତି । Post navigation ‘रामायण पार्ट 1’ रिलीज़, भगवान राम के किरदार में आए नजर रणबीर कपूर