ଗତ ୧୪ ତାରିଖ ଦିନ ଉଦ୍ଘାଟିତ ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ହେଉଛି ତୃତୀୟ ଦିବସ। ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟ ବସ୍ତୁକୁ ଆଧାର କରି ଓଡିଶା ମଣ୍ଡପରେ ନିର୍ମାଣ କରାଯାଇଥିବା ସୁସଜ୍ଜିତ ବୋଇତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି।ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ୱାକ୍ଷର ବହନ କରି ଓଡିଆ ଜାତିର ସମୃଦ୍ଧ ଇତିହାସକୁ ପ୍ରତିବିମ୍ବିତ କରୁଥିବା ବୋଇତର ଆକର୍ଷଣ ଓଡିଶା ମଣ୍ଡପକୁ ଶହଶହ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି | ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ୨ ନମ୍ବର ପ୍ରଦର୍ଶନୀ ପ୍ରକୋଷ୍ଠର ଉପର ମହଲାରେ ୫୫୦ ବର୍ଗ ମିଟର ପରିମିତ ସ୍ଥାନରେ ନିର୍ମିତ ଓଡିଶା ମଣ୍ଡପରେ ରାଜ୍ୟ ସରକାରଙ୍କ ଓର୍ମାସ, ମିଶନ ଶକ୍ତି, ହସ୍ତତନ୍ତ ଓ ବୟନ, ଓଡିଶା ମିଲେଟ ମିଶନ, ଅଣୁ-କ୍ଷୁଦ୍ର-ମଧ୍ୟମ ଉଦ୍ୟୋଗ, ପର୍ଯ୍ୟଟନ, ଜନଜାତି ଉନ୍ନୟନ, ହସ୍ତଶିଳ୍ପ ଆଦି ୮ଟି ବିଭାଗ/ସହଯୋଗୀ ସଂସ୍ଥାମାନଙ୍କର ୨୪ ଟି ଷ୍ଟଲରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ଉତ୍ପାଦିତ ସମ୍ବଲପୁରୀ, ଟସର ଓ କୋଟପାଡ଼ ହସ୍ତତନ୍ତ ସାମଗ୍ରୀ ସମେତ କାଷ୍ଠ ଶିଳ୍ପ, ପ୍ରସ୍ତର ଶିଳ୍ପ, ସବାଇ ଘାସ, କାଇଞ୍ଚ, ଅଦରକାରୀ କାଗଜ ଆଦିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ଏବଂ ମିଲେଟ ଜାତୀୟ ବିଭିନ୍ନ ଖାଦ୍ୟଦ୍ରବ୍ୟ ଉପଲବ୍ଧ ହେଉଛି। ଓଡ଼ିଶା ମଣ୍ଡପ’ରେ ଥିବା ମିଶନ ଶକ୍ତି ଷ୍ଟଲରେ କନ୍ଧମାଳ ହଳଦୀ ସହିତ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ନୁଡୁଲ୍ସ, ମିକ୍ସଚର, କୁରୁମା, ନିମିକି, ସେଉ ଏବଂ ଲଡୁ ଆଦି ରହିଛି। ସେହିପରି ଟସରରୁ ତିଆରି ଆକର୍ଷଣୀୟ ଶାଢ଼ି ଓ ଆଧୁନିକ ପୋଷାକ, ଜଉ କଣ୍ଢେଇ ଓ ଲାଖ ଚୁଡ଼ି, କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ଘର ସାଜସଜ୍ଜା ଜିନିଷ ଏବଂ ବିଭିନ୍ନ ମସଲା ଆଦି ଦର୍ଶକଙ୍କୁ ଆକୃଷ୍ଟ କରୁଛି।ମିଶନ ଶକ୍ତି ବିଭାଗ ପକ୍ଷରୁ ଖୋଲାଯାଇଥିବା ୫ଟି ଷ୍ଟଲରେ ୧୦ରୁ ଅଧିକ ଏସଏଚଜି ମହିଳା ଅଂଶଗ୍ରହଣ କରିଛନ୍ତି। ଦିଲ୍ଲୀ ବଜାରରେ ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି ଓ ପ୍ରଦର୍ଶନ କରିବାର ସୁଯୋଗ ପାଇଥିବାରୁ ସେମାନେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାଣିଜ୍ୟ ମେଳା ବୁଲି ଆସୁଥିବା ଲୋକମାନେ ଓଡ଼ିଶା ମଣ୍ଡପରେ ମିଶନ ଶକ୍ତି ଷ୍ଟଲରୁ ମା’ମାନଙ୍କ ହାତ ତିଆରି ଜିନିଷ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଏକ ଅନନ୍ୟ ପଦକ୍ଷେପକୁ ସେମାନେ ପ୍ରସଂଶା କରୁଛନ୍ତି। Post navigation ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ମିଳିବ ‘ଉତ୍କଳ ସାମ୍ବାଦିକ ରତ୍ନ’ ସମ୍ମାନ ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ସଂସ୍କୃତି କକ୍ଷ