ରାଜ୍ୟରେ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଏବେଠାରୁ ଜୋରଦାର ହୋଇଛି। ଏକ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ରାଜ୍ୟବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଓ ସାମିଲ ଅଭିଯାନ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ମାଧ୍ୟମରେ SIR ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଏବଂ ନୂତନ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକୃତ କରିବାର ସୁଯୋଗ ମିଳିବ।

ଏହି ଅଭିଯାନ ବିଶେଷ କରି ସେହି ଯୁବବର୍ଗଙ୍କୁ ଲକ୍ଷ୍ୟ କରି ଆରମ୍ଭ କରାଯାଇଛି, ଯେଉଁମାନେ ୨୦୨୬ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରୁଛନ୍ତି। ସେହିପରି ପୂର୍ବରୁ କୌଣସି ପ୍ରକାରର ଯାନ୍ତ୍ରିକ କିମ୍ବା ଅନ୍ୟାନ୍ୟ ତ୍ରୁଟି ଯୋଗୁଁ ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିଯାଇଥିଲା, ସେମାନେ ମଧ୍ୟ ନିଜର ଆବଶ୍ୟକୀୟ ତଥ୍ୟ ଦାଖଲ କରି ପୁନର୍ବାର ନିଜ ନାମ ସାମିଲ କରିପାରିବେ।

ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜର ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ସମସ୍ତ ଯୋଗ୍ୟ ଯୁବକ, ଯୁବତୀ ଏବଂ ସାଧାରଣ ନାଗରିକଙ୍କୁ ଏହି ସ୍ୱତନ୍ତ୍ର ଅଭିଯାନର ପୂରା ଫାଇଦା ଉଠାଇବାକୁ ଅନୁରୋଧ କରାଯାଇଛି। ନିଜ ନିକଟସ୍ଥ ବୁଥ୍ କିମ୍ବା ନିର୍ଦ୍ଧାରିତ କେନ୍ଦ୍ରକୁ ଯାଇ ଏହି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଜ ନାମ ପଞ୍ଜୀକରଣ କିମ୍ବା ସଂଶୋଧନ କରାଇନେବାକୁ ଆହ୍ୱାନ ଦିଆଯାଇଛି।

Leave a Reply

Your email address will not be published. Required fields are marked *