ଓଡ଼ିଶାର ସମସ୍ତ ଗ୍ରାମପଞ୍ଚାୟତକୁ ୨୦୨୯ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ଶିଶୁଶ୍ରମିକ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ଚଳିତ ଅକ୍ଟୋବର ୨ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୪୪ ଦିନିଆ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ ଶୁଭାରମ୍ଭ ହେବାକୁ ଯାଉଛି। ଏହି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଗ୍ରାମସଭା ଓ ପଲ୍ଲୀସଭା ଆୟୋଜନ କରାଯିବ। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଆଙ୍ଗନବାଡ଼ି କର୍ମୀ ଏବଂ ଆଶାକର୍ମୀମାନେ ସକ୍ରିୟ ଅଂଶଗ୍ରହଣ କରି ନିଜ ନିଜ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ଶପଥ ପାଠ କରିବେ। ସଭାରେ ସ୍ୱତନ୍ତ୍ର ଲିଖିତ ସଂକଳ୍ପ ପାରିତ ହେବା ସହ ଗ୍ରାମାଞ୍ଚଳରେ ଜନସଚେତନତା ସୃଷ୍ଟି ପାଇଁ ପଦଯାତ୍ରାମାନ କରାଯିବ। ଶିଶୁମାନଙ୍କୁ ପୁନର୍ବାର ଶିକ୍ଷାର ମୁଖ୍ୟସ୍ରୋତରେ ଯୋଡ଼ିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଏହି ଅଭିଯାନରେ ପ୍ରମୁଖ ଦାୟିତ୍ୱ ଦିଆଯାଇଛି। ବିଶେଷ କରି ଅଧାରୁ ପାଠ ଛାଡ଼ିଥିବା କୋମଳମତି ଶିଶୁ ଏବଂ ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍କୁଲରେ ପୁନଃ ନାମଲେଖାଇବା କାର୍ଯ୍ୟ ଶିକ୍ଷକମାନେ ସୁନିଶ୍ଚିତ କରିବେ। ଏହା ସହିତ କୌଣସି ସ୍ଥାନରେ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯାଉଥିବାର ପ୍ରମାଣ ମିଳିଲେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। Post navigation PM Modi, Benjamin Netanyahu Praise Indian Pilot Smit Machchhar for His Extraordinary Bravery Ganesh Immersion Violence in Kataka: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଲିସ ଉପରକୁ ଟେକାପଥର ମାଡ଼, IICଙ୍କ ସମେତ ୬ ଆହତ