କାର୍ଯ୍ୟରେ ଅବହେଳା ଏବଂ ସେବା ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ ପକ୍ଷରୁ ତିନି ଜଣ ସରକାରୀ ଡାକ୍ତରଙ୍କୁ ତତ୍କାଳ ପ୍ରଭାବରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

​ନିଲମ୍ବିତ ଡାକ୍ତରମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ପ୍ରଭାକର ବେହେରା, ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ସିଏଚ୍‌ସି ଅଧୀନସ୍ଥ ଗଜଲବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ତମନ୍ନା ପ୍ରିୟଦର୍ଶିନୀ ଏବଂ ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଚିକିତ୍ସାଳୟର ମେଡିକାଲ ଅଫିସର ଡାକ୍ତର ସୁପ୍ରକାଶ ଦାସ।

ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ବିଚାରାଧୀନ ଥିବାରୁ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ସିସିଏ) ନିୟମାବଳୀ ଅନୁଯାୟୀ ସେମାନଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ସମୟରେ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେମାନେ ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୃଥକ୍ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସରକାରୀ କର୍ମଚାରୀଙ୍କ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଡାକ୍ତର ପ୍ରଭାକର ବେହେରାଙ୍କ ବିରୋଧରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଅନଧିକୃତ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି।

ସେହିପରି ଗଞ୍ଜାମ ଜିଲ୍ଲାର ଦୁଇ ଡାକ୍ତର— ଡାକ୍ତର ତମନ୍ନା ପ୍ରିୟଦର୍ଶିନୀ ଏବଂ ଡାକ୍ତର ସୁପ୍ରକାଶ ଦାସ ବାତ୍ୟା ‘ଅର୍ଣ୍ଣବ’ ସମୟରେ ବିନା ଅନୁମତିରେ ଛୁଟିରେ ରହିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ବ୍ୟତୀତ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ମଧ୍ୟ ଉଭୟ ମେଡିକାଲ ଅଫିସର କାର୍ଯ୍ୟରେ ଅନୁପସ୍ଥିତ ଥିବା ଜଣାପଡ଼ିଛି।

ନିଲମ୍ବନ ସମୟ ମଧ୍ୟରେ ଡାକ୍ତର ପ୍ରଭାକର ବେହେରାଙ୍କ ମୁଖ୍ୟାଳୟ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥିର କରାଯାଇଛି। ଅନ୍ୟପକ୍ଷରେ ଡାକ୍ତର ତମନ୍ନା ପ୍ରିୟଦର୍ଶିନୀ ଏବଂ ଡାକ୍ତର ସୁପ୍ରକାଶ ଦାସଙ୍କ ମୁଖ୍ୟାଳୟ ବ୍ରହ୍ମପୁର ସିଟି ହସ୍ପିଟାଲରେ ରହିବ।

ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି ନିଲମ୍ବିତ ଡାକ୍ତର ନିଜ ନିର୍ଦ୍ଧାରିତ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ତେବେ ନିଲମ୍ବନ ଅବଧି ମଧ୍ୟରେ ସେମାନେ ଓଡ଼ିଶା ସେବା ସଂହିତା ନିୟମ-୯୦ ଅନୁଯାୟୀ ଜୀବିକା ନିର୍ବାହ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ସ୍ୱାସ୍ଥ୍ୟ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ପରେ ଅବହେଳା କରୁଥିବା କର୍ମଚାରୀଙ୍କ ମହଲରେ ଛନକା ପଶିଛି।

Leave a Reply

Your email address will not be published. Required fields are marked *