ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଐତିହାସିକ ‘ବୋଇତ ବନ୍ଦାଣ ଉତ୍ସବ’ ତଥା ପାରାଦୀପ ବନ୍ଦର ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରାଦୀପ ବନ୍ଦରଠାରେ ଆୟୋଜିତ ଭବ୍ୟ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ସ୍ମରଣ କରିବା ସହ ବର୍ତ୍ତମାନର ସମୟରେ ପରିବେଶ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି ।

ପ୍ରାଚୀନ କଳିଙ୍ଗର ସାଧବପୁଅମାନେ ଦକ୍ଷିଣ-ପୂର୍ବ ଏସିଆର ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ବ୍ରହ୍ମଦେଶ, ଶ୍ୟାମଦେଶ, ଭିଏତନାମ, କାମ୍ବୋଡିଆ ଓ ସିଂହଳ ସହ ସ୍ଥାପନ କରିଥିବା ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କକୁ ସ୍ମରଣ କରିବା ସହିତ ଆଧୁନିକ ଯୁଗରେ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ ଏହି ଅବସରରେ ଉଲ୍ଲେଖ କରିଥିଲେ।

ଏହା ସହିତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇଣ୍ଡୋନେସିଆର ବାଲି ଦ୍ୱୀପରେ ଓଡ଼ିଶା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ପାଳନ କରୁଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଆଲୋଚନା କରି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ସଂସ୍କୃତିର ଏହି ଭବ୍ୟ ପ୍ରସାରକୁ ସ୍ୱାଗତ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆପଣଙ୍କ ସରକାର ଆପଣଙ୍କୁ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ପ୍ରତିଶୃତି ଦେଇଛି ଏବଂ ଏହା ନିଶ୍ଚିତ ଭାବରେ ହେବ। ମେଗା ପୋର୍ଟ ମାନ୍ୟତା ପାଇବାରେ ପାରାଦୀପ ହେଉଛି ଭାରତର ପୂର୍ବ ଉପକୂଳର ଏକମାତ୍ର ପ୍ରମୁଖ ବନ୍ଦର। ଏହା ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ ଏବଂ ଅଧିକାରୀ, କର୍ମଚାରୀ, ଡକ୍ ଶ୍ରମିକ ଓ ସହଯୋଗୀମାନଙ୍କ ବର୍ଷ ବର୍ଷର ପରିଶ୍ରମର ଫଳ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଐତିହାସିକ ପୃଷ୍ଠଭୂମି ଓ ବୋଇତ ବନ୍ଦାଣର ବ୍ୟାପକ ପ୍ରାସଙ୍ଗିକତାକାର୍ତ୍ତିକ ପୂର୍ଣ୍ଣିମାରେ ପାଳିତ ‘ଆ କା ମା ବୈ’ ପରମ୍ପରା ଏବଂ ପାରାଦୀପର ସାମୁଦ୍ରିକ ଇତିହାସକୁ ଉଲ୍ଲେଖ କରି ବକ୍ତବ୍ୟରେ କୁହାଯାଇଛି ଯେ ଆଷାଢ଼, କାର୍ତ୍ତିକ, ମାର୍ଗଶିର ଓ ବୈଶାଖ ମାସକୁ ପବିତ୍ର ମନେ କରାଯାଉଥିବା ବେଳେ କାର୍ତ୍ତିକ ମାସରୁ ସ୍ଥଳଭାଗରୁ ସମୁଦ୍ରକୁ ଅନୁକୂଳ ବାୟୁ ପ୍ରବାହିତ ହେଉଥିବାରୁ ପ୍ରାଚୀନ କାଳରେ ପାଲ-ଟଣା ଡଙ୍ଗା ମାଧ୍ୟମରେ ସମୁଦ୍ର ଯାତ୍ରା ସହଜ ହେଉଥିଲା। ସାଧବପୁଅମାନେ କେବଳ ବାଣିଜ୍ୟିକ ସାମଗ୍ରୀ ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଦୂରଦେଶକୁ ନେଇଥିଲେ, ଯାହାର ପ୍ରଭାବ ଆଜି ବି ଇଣ୍ଡୋନେସିଆର ବାଲି ଦ୍ୱୀପରେ ପାଳିତ ‘ମାସାକପାନ କେ ତୁକାଦ’ ଏବଂ ଥାଇଲାଣ୍ଡର ‘ଲୟ କ୍ରାଥୋଙ୍ଗ’ ପର୍ବରେ ଦେଖିବାକୁ ମିଳେ।

ବାଲି ଦ୍ୱୀପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ପାଳିତ ହେଉଥିବା ବାଲିଯାତ୍ରା ଓ ବୋଇତ ବନ୍ଦାଣ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ବାର୍ତ୍ତାଳାପ ଏହି ପ୍ରାଚୀନ ସାଂସ୍କୃତିକ ସେତୁକୁ ଆଜି ବି ଜୀବନ୍ତ ରଖିବାର ପ୍ରମାଣ ଦେଇଛି।

ଆଧୁନିକ ଏକବିଂଶ ଶତାବ୍ଦୀରେ ବିଶାଳକାୟ ମାଲବାହୀ ଜାହାଜ ଓ କଣ୍ଟେନର ସିପ୍ ଯୁଗରେ ମଧ୍ୟ ବୋଇତ ବନ୍ଦାଣର ମହତ୍ତ୍ୱ ଆହୁରି ବ୍ୟାପକ ହୋଇଛି। ଆଜି ଏହି ଉତ୍ସବ କେବଳ ଓଡ଼ିଶା ମଧ୍ୟରେ ସୀମିତ ନ ରହି ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ-ପୂର୍ବ ଏସିଆରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ମଧ୍ୟ ମହା ଆଡ଼ମ୍ବରରେ ପାଳିତ ହେଉଛି, ଯାହା ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ଯ କହିଛନ୍ତି ଯେ ପୁଞ୍ଜି ନିବେଶ, ବନ୍ଦର କ୍ଷମତା ଓ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟ ଗତ ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟକୁ ପୁଞ୍ଜି ନିବେଶର ହବ୍ ଭାବେ ଗଢ଼ି ତୋଳିବା ପାଇଁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ସମେତ ସିଙ୍ଗାପୁର ଓ ୟୁଏଇ ଭଳି ଦେଶ ଓ ସହରକୁ ଯାଇ ନିବେଶ ଆକର୍ଷଣ କରାଯାଇଛି। ମୋଟ ୨୩.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମଧ୍ୟରୁ ୩.୫ ଲକ୍ଷ କୋଟି ଟଙ୍କାର ୨୦୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି, ଯେଉଁଥିରେ ୨.୬୫ ଲକ୍ଷ କୋଟି ଟଙ୍କାର ୧୪୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୮୫ ହଜାର କୋଟି ଟଙ୍କାର ୫୫ଟି ପ୍ରକଳ୍ପର ଉଦ୍‌ଘାଟନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୨.୮୩ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି ଏବଂ ଏହାର ଏକ ସିଂହଭାଗ ପାରାଦୀପ ଅଞ୍ଚଳକୁ ଆସିଥିବାରୁ ଆଗାମୀ କିଛି ବର୍ଷରେ ପାରାଦୀପ ସମଗ୍ର ଦେଶର ଏକ ଅଗ୍ରଣୀ ବ୍ୟବସାୟିକ ଓ ଔଦ୍ୟୋଗିକ ଅଞ୍ଚଳ ଭାବେ ପରିଗଣିତ ହେବ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାଗରମାଳା, ପିଏମ୍ ଗତି ଶକ୍ତି, ଜାତୀୟ ଲଜିଷ୍ଟିକ୍ସ ନୀତି ଏବଂ ‘ମାରିଟାଇମ୍ ଅମୃତ କାଳ ଭିଜନ୍ ୨୦୪୭’ ବନ୍ଦର, ରେଳପଥ ଓ ସଡ଼କ ସଂଯୋଗକୁ ଏକତ୍ର କରିବାରେ ସହାୟକ ହେଉଛି। ୨୦୨୫–୨୬ରେ ଭାରତର ବନ୍ଦରଗୁଡ଼ିକ ପ୍ରାୟ ୧,୭୦୦ ନିୟୁତ ଟନ୍ ପଣ୍ୟ କାରବାର କରିଥିବା ବେଳେ ୨୦୨୬ ଅକ୍ଟୋବରରେ ଭାରତର ପଣ୍ୟ ରପ୍ତାନୀ ପ୍ରାୟ ୫୦ ବିଲିୟନ ଆମେରିକୀୟ ଡଲାର ଛୁଇଁ ରେକର୍ଡ ସୃଷ୍ଟି କରିଛି। ଦେଶର ଏହି ଅଗ୍ରଗତିରେ ପାରାଦୀପ ବନ୍ଦର ପ୍ରମୁଖ ଭୂମିକା ଗ୍ରହଣ କରି ୨୦୨୩–୨୪ ଓ ୨୦୨୪–୨୫ରେ ପ୍ରମୁଖ ବନ୍ଦରମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିବା ସହିତ ୨୦୨୫–୨୬ରେ ୧୫୬ ନିୟୁତ ଟନ୍‌ରୁ ଅଧିକ ପଣ୍ୟ କାରବାର କରିଛି ଏବଂ ୨୦୧୪–୧୫ ତୁଳନାରେ ଜାହାଜ ବର୍ଥ ପରିଚାଳିତ କାର୍ଗୋ ଦୈନିକ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି।

ସେ ଆହୁରି କହିଛନ୍ତି ନୀଳ ଅର୍ଥନୀତି, ଗ୍ରୀନ୍ ଏନର୍ଜି ଓ ହିତାଧିକାରୀଙ୍କ ଲାଭ ବନ୍ଦର ଭିତ୍ତିକ ଅଭିବୃଦ୍ଧି ଓ ନୀଳ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମର ବାହୁଦା ମୁହାଣରେ ବନ୍ଦର, ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କ୍ଲଷ୍ଟର, ପାରାଦୀପରେ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ଏବଂ ପୁରୀର ମଙ୍ଗଳା ନଦୀ ମୁହାଣ ନିକଟରେ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ କରାଯିବ। ପାରାଦୀପରେ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ପ୍ରକଳ୍ପଗୁଡ଼ିକୁ ରପ୍ତାନୀ ବଜାର ସହ ଯୋଡ଼ିବା ପାଇଁ ପାରାଦୀପ ବନ୍ଦର ୭୯୭ କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୪ ମିଲିଅନ ଟନ୍ କ୍ଷମତାର ଏକ ସ୍ୱତନ୍ତ୍ର ବର୍ଥ ଏବଂ ୪୦ ଏକର ଜମିରେ ଷ୍ଟୋରେଜ୍ ଫାସିଲିଟି ନିର୍ମାଣ କରିବ। ଏହା ସହିତ ପାରାଦୀପ, ଧାମରା ଓ ଗୋପାଳପୁର ସମେତ ରାଜ୍ୟର ଅନ୍ୟ ବନ୍ଦରଗୁଡ଼ିକର ଆଧୁନିକୀକରଣ ଦ୍ୱାରା ଖଣିଜ ପଦାର୍ଥ, ଇସ୍ପାତ ଓ ଆଲୁମିନିୟମ ସହ କୃଷିଜାତ ଦ୍ରବ୍ୟ, ସାମୁଦ୍ରିକ ଖାଦ୍ୟ ଓ ହସ୍ତଶିଳ୍ପ ରପ୍ତାନୀ ବହୁଗୁଣିତ ହୋଇଛି।ଏହି ବୃହତ ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ଦକ୍ଷ ଯୁବକମାନଙ୍କ ପାଇଁ ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି ହେବା ସହିତ ସ୍ଥାନୀୟ ଶ୍ରମିକ, ବନ୍ଦର କର୍ମଚାରୀ, କୃଷକ, ମତ୍ସ୍ୟଜୀବୀ, ହସ୍ତଶିଳ୍ପ କାରିଗର, ପର୍ଯ୍ୟଟନ କ୍ଷେତ୍ରର ବ୍ୟବସାୟୀ ଏବଂ ଶିଳ୍ପ-ବାଣିଜ୍ୟ ଉଦ୍ୟୋଗୀମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଭବାନ ହେବେ।

ସମାରୋହରେ ଯୋଗଦେଇ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଯୁବପିଢ଼ି ହେଉଛନ୍ତି ଦକ୍ଷତା ଓ ସଶକ୍ତିକରଣର ପ୍ରତୀକ ଏବଂ କେବଳ ଦକ୍ଷ ଯୁବକମାନେ ହିଁ ସମାଜରେ ପରିବର୍ତ୍ତନ ଆଣିପାରିବେ। ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ବୋଇତ ବନ୍ଦାଣ ହେଉଛି ଆମ ପୂର୍ବପୁରୁଷଙ୍କ ଦକ୍ଷତାର ପରିଚୟ, ଯାହା ଆଜି ରାଜ୍ୟର ଦ୍ରୁତ ଶିଳ୍ପ ବିକାଶରେ ପ୍ରତିଫଳିତ ହେଉଛି।

ଆଜିର ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡକ୍ଟର ବିଭୁପ୍ରସାଦ ତରାଇ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ, ଉପାଧ୍ୟକ୍ଷ ଟି. ଭେନୁଗୋପାଲ୍, ବନ୍ଦରର ବରିଷ୍ଠ ଅଧିକାରୀ, କର୍ମଚାରୀ, ଟ୍ରେଡ୍ ୟୁନିଅନ୍ କର୍ମକର୍ତ୍ତା, ପାରାଦୀପବାସୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *