ନବୀନ ସରକାର ୨୫ବର୍ଷ ଶାସନ କରିବା ପରେ ମଧ୍ୟ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ ପ୍ରତ୍ୟେକ ଦିନ ଅପରାଧ ବଢିବା ସହ ନୂଆ ନୂଆ ଢ଼ଙ୍ଗ ଆପଣାଇ ଅପରାଧ ଘଟାଉଛନ୍ତି ଅପରାଧୀ। ଓଡ଼ିଶାରେ ଅପରାଧ କରି ଜେଇ, ତହସିଲଦାର, ଆରଆଇ ଧରାପଡୁଛନ୍ତି କିନ୍ତୁ ଯେଉଁମାନଙ୍କ ସୁରକ୍ଷାରେ ଏମାନେ କାର୍ଯ୍ୟ କରୁଛନ୍ତି ସେହି ବାବୁମାନେ ଧରାପଡୁନାହାନ୍ତି କାହିଁକି ? ସେମାନଙ୍କୁ ସୁରକ୍ଷା ଦେଉଛି କିଏ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ବାବୁଙ୍କ ପଛରେ ଅଛନ୍ତି କି?ବୋଲି ପ୍ରଶ୍ନ କରିଛି ରାଜ୍ୟ ବିଜେପି। ସେହିପରି ୨୫ ବର୍ଷ ଶାସନ ପରେ ବି ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି।ରାଜ୍ୟରେ ମହିଳାମାନେ ଅପରାଧରେ ଶିକାର ହୋଇ ନ୍ୟାୟ ପାଇବାରୁ ବଂଚିତ ଅଛନ୍ତି । ବେବିନା, ମାଧବୀଲତା, ଇତିଶ୍ରୀ, ସ୍ମିତାରାଣୀଙ୍କୁ ଯେଉଁମାନେ ହତ୍ୟା କରିଛନ୍ତି ସେମାନେ କାହିଁକି ଧରାପଡୁନାହାନ୍ତି ଏହାର ଉତର ନବୀନ ବାବୁ ଦେବେ କି ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରଶ୍ନ କରିଛନ୍ତି ।

ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଛନ୍ତି ଯେ, ଓଡ଼ିଶାରେ ଦିନକୁ ଦିନ ଅପରାଧ କାୟା ବିସ୍ତାର କରୁଛି । ଅପରାଧ ନିୟନ୍ତ୍ରଣ କରିବାର ଦାୟିତ୍ୱ ଗୃହବିଭାଗର, ଏହି ଗୃହବିଭାଗର ମୁଖିଆ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀବ ବାବୁ ୨୫ବର୍ଷ ଶାସନ କରିବା ପରେ ମଧ୍ୟ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ନବୀନ ଶାସନରେ ପ୍ରତ୍ୟେକ ଦିନ ନୂଆ ନୂଆ ଢ଼ଙ୍ଗର ଅପରାଧ ଅବତୀର୍ଣ୍ଣ ହେଉଛି। ନିର୍ମଳ ଭାବମୂତି ପାଇଁ ଗୋଟିଏ ସମୟରେ ନିଜ ମନ୍ତ୍ରୀମଣ୍ଡଳୀରୁ ୩ଟି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପଦଚ୍ୟୁତ କରିଦେଇଥିଲେ, ପରବର୍ତୀ ସମୟରେ ତାଙ୍କର ଦୋଷ ପ୍ରମାଣିତ ହୋଇପାରିନଥିଲା । ଶାସକ ଦଳର ମନ୍ତ୍ରୀ, ନେତା, ବିଧାୟକ ଓ ସାଂସଦମାନେ ଅପରାଧରେ ଲିପ୍ତ ରହୁଛନ୍ତି କିନ୍ତୁ ନବୀନ ବାବୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ତାଙ୍କୁ ସୁରକ୍ଷା ଦେଉଛନ୍ତି । ନିର୍ବାଚନ ସମୟରେ ଅପରାଧୀ ନେତାଙ୍କ ପିଲାକୁ ଶାସକ ଦଳ ଟିକେଟ୍ ଦେଉଛି । ନବୀନ ବାବୁ ଓଡ଼ିଶାରେ ଅପରାଧ ବଢ଼ିବାର ସୁବ୍ୟବସ୍ଥା କରିଛନ୍ତି।

ନିର୍ବାଚନ ସମୟ ଆସିଲେ ମୁଖ୍ୟମନ୍ତ୍ରୀ ପିସି ଓ ଦୁର୍ନୀତି ମୁକ୍ତ ଓଡ଼ିଶା ବୋଲି ଓଡ଼ିଶାବାସୀଙ୍କୁ କୁହନ୍ତି କିନ୍ତୁ ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଓଡ଼ିଶାର ଲୋକେ ହୃଦୟଙ୍ଗମ କରିସାରିଲେଣି । ଓଡ଼ିଶାର ସର୍ବବୃହତ ଦୁର୍ନୀତି ଚିଟଫଣ୍ଡ ଦୁର୍ନୀତିରେ ନବୀନ ସରକାରଙ୍କ ହାତ ରହିଛି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଚିଟଫଣ୍ଡ କମ୍ପାନୀ ବସିବା ବେଳେ ସାହାର୍ଯ୍ୟ କରିବା ସହ ତାର ଉଦ୍‌ଘାଟନ କରିଛନ୍ତି । ଗୋଟିଏ ଅପରାଧରେ କାହାକୁ ଦଣ୍ଡିତ କରାଯାଉ ନାହିଁ କେଉଁ କାରଣରୁ । ଏହାପରେ ମୁଖ୍ୟମନ୍ତ୍ରୀ ସେହି କମ୍ପାନୀମାନଙ୍କଠାରୁ କେତେ ଟଙ୍କା ସିଜ୍ କଲେ ତାହାର ଉତ୍ତର ଦିଅନ୍ତୁ । ପ୍ରତ୍ୟେକ ଦିନ ରାଜ୍ୟରେ ସାଇବର ଅପରାଧ ବଢୁଛି, ମୁଖ୍ୟମନ୍ତ୍ରୀ ଏହାକୁ କାହିଁକି ନିୟନ୍ତ୍ରଣ କରୁନାହାନ୍ତି। ନବୀନ ବାବୁଙ୍କ ଉପରେ ଓଡିଶାବାସୀଙ୍କ ବିଶ୍ୱାସ କମିଯାଇଛି।ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ। ନିର୍ବାଚନ ସମୟରେ ଜନତା ୨ଟି କଥାକୁ ହୃଦୟଙ୍ଗମ କରନ୍ତି ସେଗୁଡିକ ହେଲା-ପୂର୍ବରୁ ଯେଉଁ ରାଜନୈତିକ ଦଳ ନିର୍ବାଚନ ଜିତିଥାଏ ସେ ବିଗତ ବର୍ଷର ହିସାବ ଜନତାଙ୍କୁ ଦେଇଥାଏ ଏବଂ ଅନ୍ୟଟି ଯେଉଁ ରାଜନୈତିକ ଦଳ କ୍ଷମତାକୁ ଆସିବାକୁ ଚାହେଁ ଆଗାମୀ ଦିନରେ ତାର କାର୍ଯ୍ୟକଳାପ, ସଂକଳ୍ପ ପତ୍ର ଲୋକଙ୍କ ସାମ୍ନାରେ ଉପସ୍ଥାପିତ କରେ । ବିଜେପି ସରକାରକୁ ଆସିଲେ ଓଡ଼ିଶାରେ ଅପରାଧକୁ ସମୂଳେ ଧ୍ୱଂସ କରିବେ ବୋଲି ଶ୍ରୀ ଶର୍ମା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

 

By Nirvay

Leave a Reply

Your email address will not be published. Required fields are marked *