ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଲିଜ୍ ପ୍ରସଙ୍ଗକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଶାସନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ରାଜ୍ୟ ପରିବହନ ଓ ବିମାନଚଳାଚଳ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ମାମଲାରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିମାନବନ୍ଦର ଲିଜ୍ରେ ଦେବା ସମ୍ପର୍କିତ କୌଣସି ଆନୁଷ୍ଠାନିକ ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ହସ୍ତଗତ ହୋଇନାହିଁ। ମନ୍ତ୍ରୀ କହିଛନ୍ତି ଯେ, ଦେଶର ବିଭିନ୍ନ ବିମାନବନ୍ଦରଗୁଡ଼ିକରେ ଆଧୁନିକୀକରଣ ଓ ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ରହିଛି। ଏହି କ୍ରମରେ ବିମାନବନ୍ଦର ପରିଚାଳନା ଓ ସେବାରେ ଉନ୍ନତି ଆଣିବାକୁ କେନ୍ଦ୍ର ସ୍ତରରେ ବିଚାରବିମର୍ଶ ଚାଲିଥାଏ। ବିମାନବନ୍ଦରର ବିକାଶ ସହିତ ରାଜ୍ୟର ସ୍ୱାର୍ଥ ଜଡ଼ିତ ଥିବାରୁ ଯାହା ବି ନିଷ୍ପତ୍ତି ନିଆଯିବ, ସେଥିରେ ଓଡ଼ିଶାର ସ୍ୱାର୍ଥକୁ ସର୍ବପ୍ରଥମେ ଆଖି ଆଗରେ ରଖାଯିବ। ରାଜ୍ୟର ହିତ ଓ ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଇ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ। ସେ ଆଉ ମଧ୍ୟ କହିଛନ୍ତି ଭୁବନେଶ୍ୱରକୁ ହୁବ୍ଲି ସହ ବିମାନ ସେବା ମାଧ୍ୟମରେ ଯୋଡ଼ିବା ନେଇ ଆଲୋଚନା ସାମ୍ନାକୁ ଆସୁଛି । ରାଜ୍ୟରେ ବିମାନ ସେବାର ସମ୍ପ୍ରସାରଣ ଏବଂ ଯାତ୍ରୀସେବାରେ ଅଧିକ ସୁଧାର ଆଣିବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରିବେ । Post navigation 3 School Buses Seized in Banki: ବାଙ୍କୀରେ ୩ଟି ସ୍କୁଲ ବସ୍ ଜବତ; ନଥିଲା ବୈଧ ପରମିଟ୍ ଓ ଫିଟନେସ୍ ସାର୍ଟିଫିକେଟ୍ Circuit House Case: ଫେରାର ପ୍ରକାଶ ପାଶୱାନଙ୍କ ଅଫିସ୍ ସିଲ୍ କଲା ପୋଲିସ