ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବାବେଳେ ଆସନ୍ତାକାଲି ସୁଦ୍ଧା ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ସିଷ୍ଟମ୍ ଆହୁରି ଘନୀଭୂତ ହୋଇ ନଭେମ୍ବର ୧୫ ସୁଦ୍ଧା ଏକ ଅବପାତର ରୂପ ନେଇପାରେ। ଆଇ.ଏମ୍.ଡି.ର ପୂର୍ବାନୁମାନରୁ ସ୍ପଷ୍ଟ ହୋଇଛି ଯେ ବିଭିନ୍ନ ମଡେଲ୍ଗୁଡ଼ିକ ମଧ୍ୟରେ ଏହା ଏକ ବାତ୍ୟାର ରୂପ ନେବ ବୋଲି ସମାନ ମତ ରହିଛି। ତେବେ ଏହାର ଗତିପଥ ଏବଂ ସ୍ଥଳଭାଗ ଛୁଇଁବା ସମ୍ପର୍କରେ ବିଭିନ୍ନ ମଡେଲରେ ଭିନ୍ନ ମତ ଥିବାରୁ, ବର୍ତ୍ତମାନ ପାଇଁ ଏହା ଉପରେ କୌଣସି ସ୍ପଷ୍ଟ ଚିତ୍ର ଦିଆଯାଇ ନାହିଁ। ଅବପାତ ସୃଷ୍ଟି ହେବା ପରେ ହିଁ ଏହାର ସଠିକ୍ ପଥ ଏବଂ ପ୍ରଭାବ ସ୍ପଷ୍ଟ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ମାତ୍ର କିଛି ବିଶେଷଜ୍ଞଙ୍କ ମତରେ ନଭେମ୍ବର ୧୭ରୁ ୧୮ ମଧ୍ୟରେ ଓଡ଼ିଶାର ପାଗରେ ପରିବର୍ତ୍ତନ ଘଟିପାରେ। ପାଣିପାଗ ବିଜ୍ଞାନୀ ଡ. ଶରତ ଚନ୍ଦ୍ର ସାହୁଙ୍କ ମତ ଅନୁଯାୟୀ, ଏହା ଏକ ଅବପାତ ବା ଗଭୀର ଅବପାତରେ ପରିଣତ ହୋଇ ପରେ ବାତ୍ୟାର ରୂପ ନେଇପାରେ। ଏହା ନଭେମ୍ବର ୧୯ ତାରିଖ ରାତି କିମ୍ବା ୨୦ ତାରିଖ ସକାଳେ ଆନ୍ଧ୍ରପ୍ରଦେଶର କାଭାଲି ଏବଂ ମଚଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଯଦି ଏଭଳି ସ୍ଥିତି ସୃଷ୍ଟି ହୁଏ, ତେବେ ନଭେମ୍ବର ୧୭-୧୮ ବେଳକୁ ଓଡ଼ିଶାର କିଛି ସ୍ଥାନ ଯଥା ଗଞ୍ଜାମ, ଗଜପତି ଏବଂ ପୁରୀରେ ବର୍ଷା ହେବାର ସମ୍ଭାବନା ଅଛି। ଏହାପରେ ନଭେମ୍ବର ୧୯ ରୁ ୨୧ ମଧ୍ୟରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଏବଂ ଗଜପତି ଜିଲ୍ଲାରେ ଅଧିକ ବର୍ଷା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ଲଘୁଚାପଟି ସମ୍ପୂର୍ଣ୍ଣ ଅବପାତର ରୂପ ନେବା ପରେ ହିଁ ରାଜ୍ୟ ଉପରେ ଏହାର ପ୍ରକୃତ ପ୍ରଭାବ କିପରି ରହିବ, ସେନେଇ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। Post navigation Annual Income Limit for Landless Families: ଜମିହୀନ ପରିବାରଙ୍କୁ ବଡ଼ ଆଶ୍ୱସ୍ତି, ସରକାରୀ ଜମି ଆବଣ୍ଟନ ପାଇଁ ଆୟ ସୀମା ବୃଦ୍ଧି