ରାଉରକେଲାରୁ ନବୀନ ଦାସ : ସୁନ୍ଦରଗଡ ଲୋକସଭା ଆସନ ପାଇଁ ବରିଷ୍ଠ ଆଦିବାସୀ ନେତା ଜୁଏଲ ଓରାମଙ୍କୁ ପୁଣି ପ୍ରାର୍ଥୀ କରିଛି ଭାରତୀୟ ଜନତାପାର୍ଟି । ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ବିଜୁ ଜନତା ଦଳର ପରୋକ୍ଷ ସମର୍ଥନରେ କଂଗ୍ରେସର ହେମାନନ୍ଦ ବିଶ୍ୱାଳ ଏହି ଆସନ ଜିଣିଥିଲେ । ମେଣ୍ଟ ଯୁଗରେ ୧୯୯୮,୧୯୯୯ ଏବଂ ୨୦୦୪ରେ ଜୁଏଲ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ବାଜପେୟୀ ମନ୍ତ୍ରିମନ୍ଦଳରେ ଆଦିବାସୀ କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ମେଣ୍ଟ ଭାଙ୍ଗିବା ପରେ ୨୦୧୪ ଏବଂ ୨୦୧୯ରେ ପୁଣି ଲୋକସଭାକୁ ନିର୍ବାଚିତ ହୋଇଥିଲେ ଜୁଏଲ । କିନ୍ତୁ ୨୦୨୪ ତାଙ୍କ ପାଇଁ ଏତେ ସହଜ ଜଣାପଡୁନାହିଁ ।

ଏହି ପ୍ରତିନିଧିଙ୍କୁ ସୁନ୍ଦରଗଡ ଜିଲା ଗସ୍ତ ସମୟରେ ଏକ ବିଚିତ୍ର ରାଜନୈତିକ ଅନୁଭବ ହୋଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଇସ୍ପାତ ସହର ନିର୍ବାଚନ ମଣ୍ଡଳୀରେ ଲୋକେ କୌଣସି ଦଳର ପ୍ରାର୍ଥୀଙ୍କ ଉପରେ ଖୁସି ନାହାଁନ୍ତି । ଏଭଳି ବିଚିତ୍ର ପରିସ୍ଥିତି ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ ।

ରାଉରକେଲାର ବିଧାୟକ ମନ୍ତ୍ରୀ ହେଲେ ସାରଦା ନାୟକ । ବିଜଦ ପାୱାର କରିଡରର ଜଣେ ପସନ୍ଦ ନେତା । ତାଙ୍କୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି ପ୍ରଭାରୀ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ପାଣ୍ଡିଆନଙ୍କ ସମର୍ଥନ ମଧ୍ୟ ଅଛି । କିନ୍ତୁ ଜନତା ତାଙ୍କୁ ଆଦୌ ପସନ୍ଦ କରୁନାହାଁନ୍ତି । ଯଦିଓ ସାରଦାଙ୍କ ପ୍ରାର୍ଥିତ୍ୱ ଘୋଷିତ ହୋଇନାହିଁ, ତଥାପି ସେ ପ୍ରାର୍ଥୀ ହେବା ନିଶ୍ଚିତ ବୋଲି କୁହାଯାଉଛି । ମାତ୍ର ଭୋଟର ତାଙ୍କ ବିରୋଧରେ । ଆହୁରି ଆଶ୍ଚର୍ଯ୍ୟ ଲାଗିଲା ଯେ,ତାଙ୍କ ପ୍ରତିପକ୍ଷ ଭାଜପା ନେତା ନିହାର ରାୟଙ୍କୁ ମଧ୍ୟ ଲୋକେ ପସନ୍ଦ କରୁନାହାଁନ୍ତି । ରଘୁନାଥପାଲି ବିଧାୟକ ହେଲେ ବିଜଦର ସୁବ୍ରତ ତରାଇ । ସୁବ୍ରତଙ୍କୁ ମଧ୍ୟ ଭୋଟର ବିରୋଧ କରୁଛନ୍ତି । ଜିଲାର ଅନ୍ୟ ୫ଟି ବିଧାନସଭା କ୍ଷେତ୍ରରେ କିନ୍ତୁ ଏଭଳି ଅବସ୍ଥା ନାହିଁ ।

ତେବେ ଆସିବା ଜୁଏଲଙ୍କ ପ୍ରସଙ୍ଗକୁ । ଗତଥର ତାଙ୍କ ବିରୋଧରେ ବିଜଦ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସୁନ୍ଦରଗଡର ପୂର୍ବତନ ସାଂସଦ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିଲା । ବଡ଼ ଭୋଟ ବ୍ୟବଧାନରେ ତାଙ୍କୁ ହରାଇଥିଲେ ଜୁଏଲ । ମାତ୍ର ଗତ ୫ବର୍ଷ ଭିତରେ ଜନସମ୍ପର୍କ ରକ୍ଷା କରିନାହାଁନ୍ତି ଜୁଏଲ ବୋଲି ବହୁ ଭୋଟର ଏହି ପ୍ରତିନିଧିଙ୍କ ଆଗରେ ଖୋଲା ମତବ୍ୟକ୍ତ କରିଥିଲେ । ଏପରିକି ତାଙ୍କ ବଣେଇ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପରିସ୍ଥିତି ସମାନ ।

ଜୁଏଲ ଟାଣୁଆ ନେତା ଏଥିରେ ସନ୍ଦେହ ନାହିଁ । କିନ୍ତୁ ବିଜୁ ଜନତା ଦଳ ପୂର୍ବଥରର ଭୁଲ ଦୋହରାଇ ନାହିଁ । ପ୍ରାର୍ଥୀ କରିଛି ପୂର୍ବତନ ହକି ଅଧିନାୟକ ଦିଲୀପ ତିର୍କୀଙ୍କୁ । ଦିଲୀପ ବହୁ ପରିଚିତ ଜିଲାରେ । ବିଶ୍ୱକପ୍ ହକି ତାଙ୍କ ପାଇଁ ଏକ ବଡ଼ ପ୍ରଚାର ମାଧ୍ୟମ ହୋଇସାରିଛି । ଆଦିବାସୀ ପିଲାଙ୍କୁ ବିଶ୍ୱକପ୍ ହକି ଦେଖାଇବା ଆଣିବା, ସେମାନଙ୍କର ରହିବା ଖାଇବା ବୁଝିବା ଯୋଗୁ ଏକ ବଡ଼ ସୁବିଧା ସ୍ଥିତି ସୃଷ୍ଟି ହୋଇଛି ଦିଲୀପଙ୍କ ପାଇଁ । ଗୋଟିଏ ପଟେ ଜୁଏଲଙ୍କ ଜନସମ୍ପର୍କ ଅଭାବ ଅନ୍ୟପଟେ ଦିଲୀପଙ୍କ ହକି ସମ୍ପର୍କ, ଭାଜପାର ସାଂସଦ ପ୍ରାର୍ଥୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।

ତା’ସାଙ୍ଗକୁ ଭିକେ ପାଣ୍ଡିଆନଙ୍କୁ ଲୋକେ ଗ୍ରହଣ କରିପାରିନାହାଁନ୍ତି । ତା’ଛଡା ବିଜୁ ଜନତା ଦଳରେ ଆଭ୍ୟନ୍ତରୀଣ କନ୍ଦଳ ପ୍ରବଳ । କିନ୍ତୁ ଲୋକଙ୍କ ପସନ୍ଦରେ ଜୁଏଲଙ୍କଠାରୁ ଦିଲୀପ ତିର୍କୀ ଯଥେଷ୍ଟ ଆଗରେ ଅଛନ୍ତି ଏଯାବତ । ଆଗକୁ ସ୍ଥିତି କ’ଣ ହେବ ତାହା ଏବେଠୁ ପୂର୍ବାନୁମାନ କରାଯିବା କଷ୍ଟକର । ଯଦି ମୋଦୀ ହାୱା କାମ ନକରେ, ତେବେ ସୁନ୍ଦରଗଡ ଲୋକସଭା ଆସନରେ ଯଦି ବଡ଼ ଧରଣର ଓଲଟପାଲଟ ହୁଏ ତେବେ ଏହି ପ୍ରତିନିଧି ଆଦୌ ବିସ୍ମିତ ହେବେ ନାହିଁ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *