ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ମହା ମିଶ୍ରଣ ପର୍ବରେ ମୟୂରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ତାଙ୍କର ଶତାଧିକ ସମର୍ଥକ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି। ଓପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଓଡ଼ିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଉଭୟ ନେତା ମିଶ୍ରଣ ପର୍ବରେ ରାମଚନ୍ଦ୍ର ହାଁସଦାଙ୍କୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ଦଳକୁ ସ୍ୱାଗତ କରିଥିଲେ।

ସ୍ୱାଗତ ପରେ ନିଜ ଅଭିଭାଷଣରେ ହାଁସଦା କହିଥିଲେ, “ମୁଁ ମୟୂରଭଞ୍ଜର ଆଦିବାସୀ ଓ ଦଳିତଙ୍କ ହକ୍ ପାଇଁ ଆଜି ପର୍ଯ୍ୟନ୍ତ ଲଢ଼େଇ କରି ଆସିଛି। ନିଜ ମାଟି ପାଇଁ ନେତା ଗଢ଼ିବାର ଇଚ୍ଛା ଥିଲା। ୧୯୯୫ରେ ସୁଦାମ ମାରାଣ୍ଡିଙ୍କୁ ବିଧାନସଭାକୁ ପଠାଇଥିଲୁ, କିନ୍ତୁ ସେ ଆଦିବାସୀଙ୍କ ସ୍ୱର ବିଧାନସଭା କିମ୍ବା ଲୋକସଭାରେ ଉଠାଇ ପାରିଲେ ନାହିଁ। ଏହାର ବିରୋଧ କରିବାରୁ ମୋତେ ଜେଏମ୍ଏମ୍ (JMM)ରୁ ନିଲମ୍ବିତ କରାଯାଇଥିଲା।”

​ସେ ଆହୁରି ମଧ୍ୟ କହିଛନ୍ତି, ୨୦୦୦ ମସିହାରୁ ମୁଁ କଂଗ୍ରେସରୁ ଲଢ଼ିବାକୁ ଚାହୁଁଥିଲି ଏବଂ ୨୦୦୪ରେ ସ୍ୱାଧୀନ ଭାବେ ଲଢ଼ିଥିଲି। ସବୁବେଳେ କଂଗ୍ରେସ ପ୍ରତି ମୋର ଆକର୍ଷଣ ଥିଲା। ବିଜେଡି ଶାସନ ସମୟରେ ଉତ୍ତର ଓଡ଼ିଶା ପାଇଁ କିଛି କରାଯାଇ ନାହିଁ। କେବଳ କଂଗ୍ରେସ ହିଁ ମୟୂରଭଞ୍ଜ ଲୋକଙ୍କ ବିକାଶ କରିପାରିବ ଏବଂ ସ୍ୱାଭିମାନ ରକ୍ଷା କରିପାରିବ। ଭକ୍ତ ଦାସଙ୍କ ନେତୃତ୍ୱରେ ମୟୂରଭଞ୍ଜରେ କଂଗ୍ରେସର ବାନା ଉଡ଼ିବ।

ଏହି ସଭାକୁ ସମ୍ବୋଧିତ କରି ଏଆଇସିସି ପ୍ରଭାରୀ ଲାଲଜୀ ଦେଶାଇ କହିଛନ୍ତି, ଦେଶର ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକଙ୍କ ଅଧିକାର ପାଇଁ ଆମକୁ ଲଢ଼ିବାକୁ ପଡ଼ିବ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ନୂଆ ଅଭିଯାନ ଆରମ୍ଭ ହୋଇଛି। ଯେତେ ଅସୁବିଧା ଆସିଲେ ମଧ୍ୟ କଂଗ୍ରେସର ସୈନିକମାନେ ପଛଘୁଞ୍ଚା ଦେବେ ନାହିଁ ଏବଂ ଲଢ଼େଇ ଜାରି ରଖିବେ। ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା ହିସାବରେ ଓଡ଼ିଶାରେ ତାଙ୍କୁ ତାଙ୍କ ଅଧିକାର ମିଳୁନି । ଓଡ଼ିଶାରରେ ଆଦିବାସୀ ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ ବସାଯାଇଛି । ବିଜେପିର ଏହା ରାଜ୍ୟ ସମ୍ପଦ ଶୋଷଣ କରିବାର ଫର୍ମୁଲା । ଖଣି ସଂଶୋଧନ ଆଇନ ବିରୋଧରେ ଆଇନ ପାଇଁ ଲଢ଼ିବାକୁ ପଡ଼ିବ । ଆଜି ଏହା ଅୟମାରମ୍ଭ ମାତ୍ର ଆଗକୁ କଂଗେସକୁ ସମସ୍ତେ ଆସିବେ ଏବଂ ଏକ ଜାଗରଣ ସୃଷ୍ଟି ହେବ ।

ଆଜିର ମିଶ୍ରଣ ପର୍ବରେ ପୂର୍ବତନ ଓପିସିସି ସଭାପତି ଜୟଦେବ ଜେନା, ସୁରେଶ ରାଉତରାୟ, ଦେବାଶିଷ ପଟ୍ଟନାୟକ, ବିଧାୟକ ନୀଳମାଧଵ ହିକକା, ସିଦ୍ଧାର୍ଥ ଦାଶ, ଶୁଭେନ୍ଦୁ ମହାନ୍ତି, ପ୍ରକାଶ ଜେନା, ଭୁବନ ସାହୁ କଂଗ୍ରେସ ଦଳ ପକ୍ଷରୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *