MMDR ବିଲକୁ ବିରୋଧ କରିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତକାଲି ହାଇକୋର୍ଟଙ୍କ ରାୟ ଏବଂ ୨୦୨୦ ମସିହାରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ଆଧାର କରି ସେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଧର୍ମେନ୍ଦ୍ରଙ୍କ କହିବା ଅନୁଯାୟୀ, ମାନ୍ୟବର ଓଡ଼ିଶା ହାଇକୋର୍ଟ ଏକ ନିର୍ଦ୍ଦିଷ୍ଟ ଘରୋଇ ଶିଳ୍ପ ସଂସ୍ଥା ଦ୍ୱାରା ୨୦୦୪ ମସିହାରୁ ଆବଣ୍ଟନ ହୋଇଥିବା ୧୫୦ ନିୟୁତ ଟନ୍ ବକ୍ସାଇଟ୍ ଯୋଗାଣ ଦାବିକୁ ସ୍ପଷ୍ଟ ଭାବେ ଖାରଜ କରିଦେଇଛନ୍ତି। ପ୍ରାକୃତିକ ସମ୍ପଦକୁ ନେଇ ପୁରୁଣା ପ୍ରତିଶ୍ରୁତି ଦେଖାଇ ଚାଲୁଥିବା ଆଇନଗତ ଆବେଦନକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। କେନ୍ଦ୍ରର ମୋଦୀ ସରକାରଙ୍କ ସ୍ୱଚ୍ଛ ଏମ୍ଏମ୍ଡିଆର୍ ଆଇନ ଆସିବା ପରେ, ବକ୍ସାଇଟ୍ର ହାରାହାରି ବିକ୍ରୟ ମୂଲ୍ୟରେ କନଭର୍ସନ୍ ଫ୍ୟାକ୍ଟର ଲାଗୁ ହୋଇଥିଲା। ଏହାଦ୍ୱାରା ବକ୍ସାଇଟ୍ର ଦର ପ୍ରତି ଟନ୍ରେ ୭୫୦ ଟଙ୍କାରୁ ୧୭୦୭ ଟଙ୍କାକୁ ବୃଦ୍ଧି ପାଇଥିଲା। ଏହି ଦର ବୃଦ୍ଧି ଯୋଗୁଁ ଓଡ଼ିଶା ମାଇନିଂ କୋର୍ପୋରେସନ୍ ଲାଭବାନ ହେବା ସହ ଓଡ଼ିଶାକୁ ରୋୟାଲ୍ଟି, DMF ଓ NMET ଜରିଆରେ ହଜାର ହଜାର କୋଟି ଟଙ୍କାର ବର୍ଦ୍ଧିତ ରାଜସ୍ୱ ମିଳିପାରିଛି। ତେବେ ଏହି ଲାଭଦାୟକ ନିୟମକୁ ବିରୋଧ କରି ବିଜେଡି ସରକାର ୨୦୩୦ ମସିହାରେ କେନ୍ଦ୍ର ସରକାରଙ୍କୁ ପୃଥକ ଚିଠି ଲେଖି କନଭର୍ସନ୍ ଫ୍ୟାକ୍ଟର କମାଇ ଏକ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀ ପାଇଁ ସର୍ବନିମ୍ନ ଦର ଲାଗୁ କରିବାକୁ ଅନୁରୋଧ କରିଥିଲେ, ଯାହାକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିଲେ। ରାଜ୍ୟ ପାଇଁ ଏତେ ଲାଭଦାୟକ ନିୟମକୁ କାର୍ଯ୍ୟକାରୀ ନକରି ତାହାକୁ ପୁନର୍ବିଚାର କରିବାକୁ ଅନୁରୋଧ କରିବା ପଛରେ ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି। ସେହିପରି ସରକାରଙ୍କ ଭୁଲ୍ ନିଷ୍ପତ୍ତି କାରଣରୁ ଏକ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀ ଉପରେ ଦୀର୍ଘ ଦିନ ଧରି ପ୍ରାୟ ୫,୪୦୦ କୋଟି ଟଙ୍କାର ବକେୟା ପଡ଼ିରହିଛି ବୋଲି ସେ ଦାବି କରିଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ କୋଟି ଟଙ୍କାର ରାଜସ୍ୱ କ୍ଷତି କରି ଏକ ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେବା ପଛର ପ୍ରକୃତ ରହସ୍ୟ କ’ଣ, ତାହା ଓଡ଼ିଶାବାସୀଙ୍କ ଆଗରେ ସ୍ପଷ୍ଟ କରିବାକୁ ସେ ଦାବି ଜଣାଇଛନ୍ତି। Post navigation BJD Reconstitutes Media Cell: ବିଜେଡିର ମିଡିଆ ସେଲ୍ ପୁନର୍ଗଠିତ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ Dharmendra Misleading People on Bauxite Issue: ବକ୍ସାଇଟ୍ ମାମଲାରେ ଜନତାଙ୍କୁ ଭ୍ରମିତ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି