ଡବଲ୍ ଇଞ୍ଜିନ୍ ସରକାରରେ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ପ୍ରଗତିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ ଆର୍ଥିକ ସହାୟତା ସହ ବଜାର ସୁବିଧା ଯୋଗାଇ ଦିଆଯାଉଛି ବୋଲି ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ଉପମୁଖ୍ୟମନ୍ତ୍ରୀ ଏହି ସୂଚନା ଦେବା ସହ ‘ସୁଭଦ୍ରା ଶକ୍ତି ବଜାର’ର ନୂତନ ଉତ୍ପାଦ କ୍ୟାଟାଲଗ୍ ଉନ୍ମୋଚନ କରିଥିଲେ । ଏଥିରେ ଓଡ଼ିଶାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀ ସ୍ଥାନ ପାଇଛି ।

ଏହି କାର୍ଯ୍ୟକ୍ରମରେ ମୋଟ ୩୨୯ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ଏସ୍‌ଏଚ୍‌ଜିଗୁଡ଼ିକୁ ପ୍ରଦାନ କରାଯାଇଛି । ୩ ଲକ୍ଷ ୨୬ ହଜାର ୩୬୬ଟି ଗୋଷ୍ଠୀକୁ ସୁଧ ରିହାତି ବାବଦରେ ୨୪୭.୩୪ କୋଟି ଟଙ୍କା, ୮,୯୨୭ଟି ଗୋଷ୍ଠୀକୁ ରିଭଲଭିଙ୍ଗ ପାଣ୍ଠି ବାବଦରେ ୧୬.୦୩ କୋଟି ଟଙ୍କା, ୨୦୪ଟି ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ (ଜିପିଏଲ୍‌ଏଫ୍‌)କୁ ସାମ୍ପ୍ରଦାୟିକ ନିବେଶ ପାଣ୍ଠି ବାବଦରେ ୬୦.୪୦ କୋଟି ଟଙ୍କା ଏବଂ ୩୭୬ଟି କ୍ଲଷ୍ଟରସ୍ତରୀୟ ମହାସଂଘ (ସିଏଲ୍‌ଏଫ୍‌)କୁ ସୁରକ୍ଷା ପାଣ୍ଠି ବାବଦରେ ୫.୩୭ କୋଟି ଟଙ୍କା ପ୍ରଦାନ କରାଯାଇଛି ।

୨୦୨୬-୨୭ ଆର୍ଥିକ ବର୍ଷରେ ଏସ୍‌ଏଚ୍‌ଜିଗୁଡ଼ିକୁ ୨୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ‘ସୁଭଦ୍ରା ଶକ୍ତି’ ବ୍ରାଣ୍ଡ ଅଧୀନରେ ପୁଷ୍ଟିକର ଲୋ-ଜିଆଇ (Low-GI) ଚାଉଳ, ଇଡ୍‌ଲି ରାଭା, ଚୁଡ଼ା, ମିଲେଟ୍ କୁକିଜ୍ ଏବଂ ଉନ୍ନତମାନର କଳାଜିରା ଚାଉଳ ଭଳି ନୂଆ ଉତ୍ପାଦ ବଜାରକୁ ଆସିଛି । ଏହି ଉତ୍ପାଦଗୁଡ଼ିକୁ ଏଣିକି ଭିଲାମାର୍ଟ (VillaMart) ଇ-କମର୍ସ ପ୍ଲାଟଫର୍ମରେ ଅନଲାଇନ୍‌ରେ ମଧ୍ୟ କିଣିହେବ ।

ମହିଳା କୃଷକ ଉତ୍ପାଦକ କମ୍ପାନୀଗୁଡ଼ିକ ପାଇଁ ଛଅଟି ବ୍ୟବସାୟିକ ସହଭାଗିତା ସ୍ଥାପନ କରାଯାଇଛି । ଏହା ମାଧ୍ୟମରେ ୪.୫୬ କୋଟି ଟଙ୍କାର ସମ୍ଭାବ୍ୟ ବ୍ୟବସାୟ ସୃଷ୍ଟି ହେବାର ଆକଳନ କରାଯାଇଛି । ଏଥିସହ ଆର୍ଥି ସ୍ୱଚ୍ଛଳ ନଥିବା ପରିବାରଗୁଡ଼ିକର ଜୀବିକାର ଉନ୍ନତି ପାଇଁ ‘ଦି ନଜ୍ ଫାଉଣ୍ଡେସନ୍’ (The/Nudge Foundation) ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି । ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସହାୟତା, ଉତ୍ପାଦର ବ୍ରାଣ୍ଡିଂ ଓ ବଜାର ସୁବିଧା ଯୋଗାଇ ଦେବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି କାର୍ଯ୍ୟକ୍ରମରେ କୁହାଯାଇଥିଲା ।

By Nirvay

Leave a Reply

Your email address will not be published. Required fields are marked *