ଚଳିତବର୍ଷ ନିର୍ବାଚନରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଜଣେ ସ୍ବାଧୀନ ପ୍ରାର୍ଥୀ ବାଜିମାତ କରିଛନ୍ତି। ଉଭୟ ବିଜେଡି ଏବଂ ଭାଜପାର ଛାମୁଆ ନେତାଙ୍କୁ ପଛରେ ପକେଇ ଧର୍ମଶାଳାରୁ ସ୍ୱାଧୀନ ଭାବେ ଜିତିଥିବା ହିମାଂଶୁ ଶେଖର ସାହୁ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଏହାଫଳରେ ବିଜେପିର ବିଧାୟକଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ୨୯ ବର୍ଷ ଧରି ବିଜେଡି ଗଡ଼ ଭାବେ ପରିଚିତ ଥିବା ଏହି ଆସନରେ ବିଧାୟକ ପ୍ରାର୍ଥୀ ହିଂମାଶୁ ଶେଖର ସାହୁ ୪ହଜାରରୁ ଅଧିକ ଭୋଟରେ ବିଜେତା ହୋଇଥିଲେ। ତେବେ ହିମାଂଶୁ ନିର୍ବାଚନ ଆରମ୍ଭରୁ ଭାଜପାରୁ ଟିକେଟ ଆଶାୟୀ ଥିଲେ। ହେଲେ ଦଳ ତାଙ୍କୁ ଟିକେଟ ନ ଦେଇ ସ୍ମୃତିରେଖା ପହିଙ୍କୁ ଦେଇଥିଲା। ଏନେଇ ହିମାଂଶୁଙ୍କ ପ୍ରଶଂସକ ଭାଜପା କାର୍ଯ୍ୟାଳୟରେ ଅହୋରାତ୍ର ଧାରଣା ଦେଇଥିଲେ। ତାଙ୍କୁ ବିଜେପି ଟିକେଟ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଦଳ ତାଙ୍କୁ ନିଲମ୍ବନ କରିଥିଲା। ତେବେ ସ୍ୱାଧୀନ ଭାବେ ଲଢ଼ି ବିଜେଡିର ହେଭିୱେଟ ନେତା ପ୍ରଣବ ବଳବନ୍ତରାୟଙ୍କୁ ୪୧୫୦ ଭୋଟରେ ହରାଇଛନ୍ତି ହିମାଂଶୁ। ଏହାପରେ ପୁଣି ଥରେ ସେ ଭାଜପାକୁ ଫେରିଥିବା ଜଣାପଡ଼ିଛି। ଏନେଇ ପ୍ରତିକ୍ରିୟା ରଖି ହିମାଂଶୁ କହିଛନ୍ତି, ମୁଁ ଭାଜପାରେ ଥିଲି, ଅଛି, ରହିବି। ନିର୍ବାଚନରେ ଭାଜପା ଦଳ ପାଇଁ ୩ରୁ ୪ ବର୍ଷ ଧରି କାମ କରି ଆସୁଥିବା ସ୍ମୃତିରେଖାଙ୍କୁ ଟିକେଟ ଦେଇଥିଲା। ଯେହେତୁ ଦଳ ପାଇଁ ସେ କାମ କରୁଥିଲେ ତେଣୁ ତାଙ୍କୁ ବାଦ୍ ଦେବା ଠିକ୍ ହେବ ନାହିଁ ବୋଲି ଦଳ ପକ୍ଷରୁ ମୋତେ କୁହାଯାଇଥିଲା। ହେଲେ ଭାଜପା ମୋତେ ସମର୍ଥନ କରି ଆସୁଥିଲା। ଏହାଛଡ଼ା ଧର୍ମଶାଳାରେ ସ୍ବାଧୀନ ଭାବେ ଲଢ଼ିବାକୁ ନେଇ ସେ କହିଛନ୍ତି, ସେଠାରେ ମାଫିଆଙ୍କ ସହ ଲଢ଼ୁଥିଲି। ନିର୍ବାଚନ ସମୟରୁ ଏଯାବତ ମୋ ନାମରେ ୪୦ରୁ ୫୦ ମାମଲା ରୁଜୁ ହୋଇଛି। ମୋର ଅନେକ ସମର୍ଥକ ଜେଲରେ ଅଛନ୍ତି। ତେବେ ନିର୍ବାଚନରେ ଧର୍ମଶାଳା ସ୍ବାଧୀନ ପାଇଁ ଆମେ ସମସ୍ତେ ଲଢ଼ିଲୁ, ଧର୍ମର ଲଢ଼େଇ ହୋଇଥିଲା, ଧର୍ମର ଜୟ ହୋଇଛି। Post navigation ମନମୋହନ ସାମଲଙ୍କ ବଡ଼ ବୟାନ; ଓଡ଼ିଶାରେ ବନ୍ଦ ହୋଇଯିବ ବିଏସକେୱାଇ ଯୋଜନା ମୁଖ୍ୟମନ୍ତ୍ରୀରୁ ଇସ୍ତଫା ଦେବା ପରେ ଟ୍ବିଟ କରି କୃତଜ୍ଞତା ଜଣାଇଲେ ନବୀନ ପଟ୍ଟନାୟକ