ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ମୁଖପାତ୍ର ଆଡଭୋକେଟ୍ ଡ଼ ମନୀଷା ଦାସ ପଟ୍ଟନାୟକ ଏବଂ ଆଡଭୋକେଟ୍ ଜୟଶ୍ରୀ ପାତ୍ର ବାରଙ୍ଗ ଥାନାରେ ରାକେଶ ବେହେରାଙ୍କ ଉପରେ ହୋଇଥିବା କଥିତ ଥାର୍ଡ ଡିଗ୍ରୀ ନିର୍ଯାତନା ଘଟଣା ଏବଂ ପୋଲିସର ଅପାରଗତା, କ୍ଷମତାର ଦୁରୁପଯୋଗକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଡ.ମନୀଷା କହିଛନ୍ତି ଯେ, କାଠଯୋଡ଼ି ନଦୀପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ସନ୍ଦେହ ଆଧାରରେ ରାକେଶ ବେହେରାଙ୍କୁ ପୋଲିସ ଥାନାକୁ ନେଇ ୪ ଦିନ ଧରି ଅଟକ ରଖି ନିର୍ମମ ଭାବେ ମାଡ଼ମାରିଥିବା ଅଭିଯୋଗ ଆସିଛି। ପରିବାର ଅଭିଯୋଗ ଅନୁଯାୟୀ ପୋଲିସ ତାଙ୍କୁ ଜଙ୍ଗଲକୁ ନେଇ ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇଥିଲେ, ଯାହାଫଳରେ ତାଙ୍କ କିଡ୍ନୀ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଏବଂ ଡାୟାଲିସିସ୍ ଆବଶ୍ୟକ ପଡ଼ିଥିବା କୁହାଯାଉଛି।

ଡ଼ ମନୀଷା ଦାସ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଯେ, ଏତେ ଗୁରୁତର ଅଭିଯୋଗ ସତ୍ତ୍ୱେ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କାହିଁକି ହୋଇନାହିଁ। ସେ କହିଥିଲେ ଯେ, ସୌମ୍ୟ ମୃତ୍ୟୁ ଘଟଣା ପରେ ସାଧାରଣ ଲୋକଙ୍କ ମନରେ ପୋଲିସ ପ୍ରତି ଭୟ ଓ ଅବିଶ୍ୱାସ ବଢ଼ିଛି ଏବଂ ଓଡ଼ିଶା ପୋଲିସ ଧୀରେ ଧୀରେ ଜନସାଧାରଣଙ୍କ ବିଶ୍ୱସନୀୟତା ହରାଉଛି।

ସେ ଡିଜିପିଙ୍କୁ ଉଦ୍ଦେଶ୍ୟ କରି କହିଥିଲେ ଯେ, ପୋଲିସ ମାନୁଆଲରେ ଥର୍ଡ ଡିଗ୍ରୀ ନିର୍ଯାତନାର କୌଣସି ସ୍ଥାନ ନାହିଁ। “ଯଦି ପୋଲିସ ମାନୁଆଲ ଭୁଲିଯାଇଛନ୍ତି, ତେବେ ଆମେ ତାହା ମନେ ପକାଇଦେଉଛୁ,” ବୋଲି ସେ କହିଥିଲେ। ରାକେଶ ବେହେରା ବର୍ତ୍ତମାନ କେଉଁଠି ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି, ସେନେଇ ପୋଲିସ କମିଶନର ସାର୍ବଜନୀନ ଭାବେ ପ୍ରେସ ବ୍ରିଫିଂ ଦେଇ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଥିଲେ।

ସେ ଆହୁରି କହିଥିଲେ ଯେ, ଗୃହ ବିଭାଗ ପୋଲିସ ନିର୍ଯାତନା ଘଟଣାରେ ନିରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଘଟଣାରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ଗିରଫ, ନିଷ୍ପକ୍ଷ ତଦନ୍ତ, ରାକେଶ ବେହେରାଙ୍କ ଉନ୍ନତ ଚିକିତ୍ସା ଓ ଯଥୋଚିତ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।

ଏହାସହ କେନ୍ଦ୍ରାପଡ଼ା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଓ ନିଲମ୍ବନ ସତ୍ତ୍ୱେ କାହିଁକି କଡ଼ା କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ। ଜନସାଧାରଣଙ୍କ ସୁରକ୍ଷା ଓ ପୋଲିସ ପ୍ରତି ଆସ୍ଥା ରକ୍ଷା କରିବାରେ ସରକାର ଜବାବଦେହୀ ହେବା ଆବଶ୍ୟକ ବୋଲି ସେ କହିଥିଲେ।

ଆଜିର ସାମ୍ବାଦିକ ସମ୍ମିଳନୀ ମୁଖପାତ୍ର ଜୟଶ୍ରୀ ପାତ୍ର ପୋଲିସ ପ୍ରଶାସନର ବିଭିନ୍ନ ଦିଗରେ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇବା ସହ ରକ୍ଷକ କିପରି ଭକ୍ଷକ ସାଜିଛି ବାଲିଅନ୍ତା ଘଟଣା ବାରଙ୍ଗ ଥାନା ଘଟଣା କେନ୍ଦ୍ରାପଡ଼ା ଘଟଣା ଉପରେ ଭର୍ତ୍ସନା କରିବା ସହ ଗୃହ ବିଭାଗ ସ୍ଥାଣୁ ପାଲଟି ଯାଇଛି ଓ ବିଭାଗର ଆମୂଳ ଚୂଳ ସମୀକ୍ଷା କରିବା ପାଇଁ ଦାବି କରିବା ସହ ଗୃହମନ୍ତ୍ରୀ ଇସ୍ତଫା ଦେବା ଓ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ବେଳେ ଡିଜି ମହୋଦୟଙ୍କୁ ବଦଳି ନ କରି ଆଶୀର୍ବାଦ ଅଜାଡ଼ିବାର ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *