ଆଜି ବିଧାନସଭା ନିର୍ବାଚନ ପାଇଁ ୬ଟି ଆସନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୬ ଆସନରୁ ୫ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ ।

ଗତକାଲି କଂଗ୍ରେସରେ ମିଶିଥିବା ଦେବାଶିଷ ନାୟକଙ୍କୁ ବରୀରୁ ଟିକେଟ ଦେଇଛି କଂଗ୍ରେସ । ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷଙ୍କୁ ଦଳ ସୁଯୋଗ ଦେଇଛି । ସେହିଭଳି ଜଳେଶ୍ୱରରେ ଦେବୀ ପ୍ରସନ୍ନ ଚାନ୍ଦଙ୍କ ବଦଳରେ ସୁଦର୍ଶନ ଦାସଙ୍କୁ ଦଳ ମୈଦାନକୁ ଓହ୍ଲାଇଛି । ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ବଦଳରେ ହିମାଂଶୁ ଚାଉଳିଆ ଓ ପୁରୀରେ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାବଲ୍ଲଭ ରଥଙ୍କୁ ଦଳ ପ୍ରାର୍ଥୀ କରିଛି । ଆଠଗଡରେ ସୁଦର୍ଶନ ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ନୀଳଗିରି ଆସନରେ ଦଳ ଅକ୍ଷୟ ଆଚାର୍ଯ୍ୟଙ୍କୁ ମୈଦାନକୁ ଓହ୍ଲାଇଛି ।

ଜଳେଶ୍ୱର ଆସନରୁ ଦେବୀପ୍ରସାଦ ଚାନ୍ଦଙ୍କୁ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ କରିଥିଲା । କିନ୍ତୁ ସୁଦର୍ଶନ ଦାସଙ୍କ ସମର୍ଥକ ଏନେଇ ବିରୋଧ ପ୍ରଦର୍ଶନ ଓ ପ୍ରତିବାଦ କରିବା କାରଣରୁ ଏଠାରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି । ସୁଦର୍ଶନଙ୍କୁ ପୁଣିଥରେ ଲଢିବାକୁ ସୁଯୋଗ ଦେଇଛି ଦଳ ।

ଏହା ପୂର୍ବରୁ କଂଗ୍ରେସ ଟିକେଟ୍ ଫେରାଇ ଦେଇଥିଲେ ସୁଚରିତା ମହାନ୍ତି। ଦଳ ପାଣ୍ଠି ଦେଉ ନଥିବାରୁ ପ୍ରଚାର କରିବା ଅସମ୍ଭବ ବୋଲି କହି ସେ ଟିକେଟ ଫେରାଇ ଦେଇଥିଲେ। ଏହାଛଡା ପୁରୀର କିଛି ବିଧାନସଭା ଆସନରେ ଦଳ ଦୁର୍ବଳ ପ୍ରାର୍ଥୀ ଦେଇଛି ବୋଲି ସୁଚରିତା ଅଭିଯୋଗ କରିଥିଲେ। ପାଣ୍ଠି ଅଭାବରୁ ଓହରିବା ନିଷ୍ପତ୍ତି ଇ-ମେଲ ମାଧ୍ୟମରେ ସେ ଏଆଇସିସିକୁ ଅବଗତ କରାଇଥିଲେ। ସୁଚରିତାଙ୍କ ଏହି ପଦକ୍ଷେପ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା ।

Leave a Reply

Your email address will not be published. Required fields are marked *