ଢେଙ୍କାନାଳ ଦକ୍ଷିଣକାଳୀ ଅଞ୍ଛଳରେ ଥିବା ଇସ୍କନ କେନ୍ଦ୍ରରେ ଚିଲ୍ଡ୍ରେନ୍ କ୍ଲାସ୍ ନାମରେ ଛୋଟ ଛୋଟ ପିଲାଙ୍କୁ ବିଭିନ୍ନ କାମରେ ନିୟୋଜିତ କରାଯାଉଥିବା ନେଇ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଓ ଶିକ୍ଷାଦାନ ବାହାନାରେ ସେଠାରେ ବିଭିନ୍ନ ଶ୍ରମଭିତ୍ତିକ କାର୍ଯ୍ୟ କରାଯାଉଥିବା ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ଆଜି ଚାଇଲ୍ଡ ହେଲ୍ପ ଲାଇନ୍ ଏବଂ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ମିଳିତ ଭାବେ ଢେଙ୍କାନାଳ ଇସ୍କନ୍ ସେଣ୍ଟରରେ ହଠାତ୍ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ବିଭାଗୀୟ ଅଧିକାରୀମାନେ ପିଲାମାନଙ୍କ ସହ ଆଲୋଚନା କରିବା ସହ ଘଟଣାସ୍ଥଳରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ମାମଲାରେ ଶିଶୁ ସୁରକ୍ଷା ଆଇନ୍ ଅନୁସାରେ ଛାନଭିନ୍ ଜାରି ରହିଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ଟିମ୍ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ; ଶିଶୁମାନଙ୍କୁ ପାଠପଢ଼ା ଏବଂ ଶିକ୍ଷଣୀୟ କ୍ଲାସ ନାମରେ ରଖାଯାଇ ସେମାନଙ୍କ ଦ୍ୱାରା ବାସନ ମାଜିବା, ଲୁଗା ଧୋଇବା, ପରିସର ଓଳାଇବା ଏବଂ ପ୍ରଚଣ୍ଡ ଖରାରେ ଧାର୍ମିକ ପୁସ୍ତକ ବିକ୍ରି କରାଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ୮ ରୁ ୧୪ ବର୍ଷ ବୟସର ଶିଶୁମାନଙ୍କୁ ଏଭଳି କାର୍ଯ୍ୟରେ ଲଗାଯାଉଥିବାରୁ ଏହାକୁ ଶିଶୁ ଶୋଷଣ ଦର୍ଶାଇ ଅଭିଯୋଗକାରୀ ବଳରାମ ବେହେରା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଶ୍ରମ ବିଭାଗର ଅଧିକାରୀ ଏବଂ ଚାଇଲ୍ଡ ହେଲ୍ପଲାଇନର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ମିଳିତ ଭାବେ ଚଢ଼ଉ ଓ ତଦନ୍ତ କରିଥିଲେ। ତଦନ୍ତ ବେଳେ ଇସ୍କନ କେନ୍ଦ୍ରର କେତେକ ସଦସ୍ୟ ସାମ୍ବାଦିକ ଏବଂ ଚାଇଲ୍ଡ ହେଲ୍ପଲାଇନ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିବା ମଧ୍ୟ ସୂଚନା ମିଳିଛି। ଅନ୍ୟପଟେ, ଇସ୍କନ ସଦସ୍ୟ ପୀତାମ୍ବର ମହାକୁଡ଼ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରି କହିଛନ୍ତି ଯେ ପିଲାମାନେ ସେମାନଙ୍କ ଅଭିଭାବକଙ୍କ ସମ୍ମତିରେ ନିଜ ଇଚ୍ଛାରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି ଏବଂ କାହାକୁ କୌଣସି ଶ୍ରମିକ କାର୍ଯ୍ୟରେ ବାଧ୍ୟ କରାଯାଇ ନାହିଁ। ଚାଇଲ୍ଡ ହେଲ୍ପଲାଇନ ପ୍ରକଳ୍ପ ସଂଯୋଜକ ରୋଶନ କୁମାର ନନ୍ଦଙ୍କ ସୂଚନା ଅନୁଯାୟୀ, ତଦନ୍ତ ସମୟରେ କେନ୍ଦ୍ର ପରିସରରେ ଶିଶୁ ଶ୍ରମିକ ନିୟୋଜିତ ଥିବାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନଥିବାରୁ ପ୍ରାଥମିକ ଅଭିଯୋଗ ଅସତ୍ୟ ପ୍ରମାଣିତ ହୋଇଛି। Post navigation Violence in Dharmasala: ଧର୍ମଶାଳାରେ ରାଜନୈତିକ ଉତ୍ତେଜନା: ପୂର୍ବତନ ବିଧାୟକ ପ୍ରଣବ ବଲବନ୍ତରାୟଙ୍କ ଗାଡ଼ି ଉପରକୁ ଟେକାମାଡ଼ Kalinga Studio Reopens: କଳିଙ୍ଗ ଷ୍ଟୁଡିଓର ନବକଳେବର: ଆସନ୍ତାକାଲି ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ