ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ପୁଣି ଥରେ ରାଜନୈତିକ ହିଂସା ଦେଖାଦେଇଛି। ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ବଲବନ୍ତରାୟଙ୍କ ଗାଡ଼ି ଉପରକୁ ଦୁର୍ବୃତ୍ତମାନେ ଟେକାମାଡ଼ କରିଥିବା ଅଭିଯୋଗ ହୋଇଛି।

ଗଡ଼ମାଧବପୁର ପଞ୍ଚାୟତ ସଭାପତିଙ୍କ ବାସଭବନରେ ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଓ ପଦଯାତ୍ରା କାର୍ଯ୍ୟକ୍ରମ ଶେଷ କରି ଫେରୁଥିବା ସମୟରେ ପ୍ରଣବ ବଲବନ୍ତରାୟଙ୍କ ଗାଡ଼ି ଉପରକୁ ଅସାମାଜିକ ଯୁବକମାନେ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନେ ଅଚାନକ ଗାଡ଼ି ଉପରକୁ ପ୍ରବଳ ଟେକାମାଡ଼ କରିବାରୁ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି।

ଏହି ସାଂଘାତିକ ଆକ୍ରମଣ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖି ପ୍ରଣବ ବଲବନ୍ତରାୟ ପ୍ରକାଶ କରିଛନ୍ତି ଯେ, ସେମାନେ ଶାନ୍ତିପୂର୍ଣ୍ଣ ଭାବେ ପଦଯାତ୍ରା କରି ସାଧାରଣ ଲୋକଙ୍କ ନିକଟକୁ ଯାଉଥିବା ସମୟରେ ପୋଲିସର ଉପସ୍ଥିତି ସତ୍ତ୍ବେ ବିଜେପି କର୍ମୀମାନେ ଉଦ୍ଦେଶ୍ୟମୂଳକ ଭାବେ ଏହି ଆକ୍ରମଣ ରଚନା କରିଛନ୍ତି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବିଜେଡି କର୍ମୀମାନେ ଘଟଣାକୁ ଦୃଢ଼ ନିନ୍ଦା କରି ଯାଜପୁର ଏସପି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ଓ ହଲ୍ଲାବୋଲ କରିଛନ୍ତି। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଅଭିଯୋଗ ସମ୍ପର୍କରେ ପୋଲିସ କିମ୍ବା ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିପାରି ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ବଳବନ୍ତରାୟ ନିଜ ସମର୍ଥକମାନଙ୍କ ସହ କାର୍ଯ୍ୟକ୍ରମ ଶେଷ କରି ଫେରୁଥିବା ବେଳେ ପ୍ରାୟ ୪୦ ରୁ ୫୦ ଜଣ ସଶସ୍ତ୍ର ଯୁବକ ହଠାତ୍ ପୋଲିସ ଉପସ୍ଥିତିରେ ଗାଡ଼ିଗୁଡ଼ିକୁ ଘେରି ଯାଇଥିଲେ । ଆକ୍ରମଣକାରୀମାନଙ୍କ ହାତରେ ଖଣ୍ଡା, ପାଂଚି ଓ ମାରାତ୍ମକ ଅସ୍ତ୍ରଶସ୍ତ୍ର ରହିଥିଲା । ସେମାନେ ନିର୍ଦ୍ଦୟ ଭାବେ ଗାଡ଼ିଗୁଡ଼ିକ ଉପରକୁ ଇଟା ଓ ପଥର ମାଡ଼ କରିବାରୁ କନଭୟରେ ଥିବା ୩ଟି ଗାଡ଼ି ଗୁରୁତର ଭାବେ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଏହି ହିଂସାକାଣ୍ଡରେ ଶ୍ରୀ ବଳବନ୍ତରାୟଙ୍କ ସହ ଯାତ୍ରା କରୁଥିବା ବ୍ଲକ୍ ସଭାପତି ଓ ଛାତ୍ର ସଭାପତି ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସମ୍ପର୍କରେ ଶ୍ରୀ ବଳବନ୍ତରାୟ ଯାଜପୁର ଏସପିଙ୍କୁ ସାକ୍ଷାତ କରି ତୁରନ୍ତ ଏଫଆଇଆର ରୁଜୁ କରିବା, ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ନିଜର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ଦାବି ଜଣାଇଛନ୍ତି । ଏଥିସହିତ ସେ ଯାଜପୁର ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସହଯୋଗୀ ଓ ବିଜେପି କର୍ମୀମାନେ ଏହି କାଣ୍ଡ ଭିଆଇଥିବା ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *