ଭୁବନେଶ୍ଵର: ଆଗାମୀ ଜୁନ୍‌ ୧୬ ସୁଦ୍ଧା ଲୋକସଭା ଏବଂ ଜୁନ୍‌ ୨୪ ସୁଦ୍ଧା ବିଧାନସଭା ନିର୍ବାଚନ ଶେଷ ହେବ । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ। ସମସ୍ତ ଜିଲ୍ଲାପାଳ ଏବଂ ଏସପି ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ କରିବେ ଏବଂ ନିରପେକ୍ଷ ଓ ସ୍ଵଚ୍ଛ ନିର୍ବାଚନ ଉପରେ ଗୁରୁତ୍ଵ ଦେବେ। ପେଡ୍ ନ୍ୟୁଜ୍ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ୩ ଦିନ ଧରି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ଏହାର ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉଭୟ ଲୋକସଭା ଓ ବିଧାନସଭା ପାଇଁ ଆମେ ପ୍ରସ୍ତୁତ ଅଛୁ। ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ପର୍ବ ସରି ସାରିଛି। ସବୁ ଭୋଟର ଆସନ୍ତୁ ଗଣତନ୍ତ୍ର ମହାପର୍ବରେ ନିଜକୁ ସାମିଲ୍ କରାନ୍ତୁ। ଓଡ଼ିଶାରେ ମୋଟ୍ ୩ କୋଟି ୩୨ ଲକ୍ଷ ଭୋଟର ଏଥର ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ରାଜ୍ୟରେ ମୋଟ୍ ୩୭ ହଜାର ୮୦୯ ବୁଥରେ ବ୍ୟବସ୍ଥା କରାଯାଇଛି। ୨୨ ହଜାର ୬୮୫ରେ ଓ୍ଵେବକାଷ୍ଟିଂ ହେବ। ୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ।

ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି କେଉଁଠି କିଛି କିଛି ଗଡ଼ବଡ଼ ହେଲେ ଲୋକେ କମିଶନଙ୍କୁ ଜଣାଇ ପାରିବେ। ସି-ସିଭିଲ୍ ଆପ୍ ଜରିଆରେ ମଧ୍ୟ ଅଭିଯୋଗ କରି ପାରିବେ। ଏପରିକି ନାଁ ଗୋପନ ରଖି କମିଶନଙ୍କୁ ଅଭିଯୋଗ କରି ପାରିବେ। ଯେଉଁଠୁ ଅଭିଯୋଗ ଆସିବ ୧୦୦ ମିନିଟ୍ ଭିତରେ ଆମ ଟିମ୍ ପହଞ୍ଚିବ। ନିର୍ଦ୍ଦିଷ୍ଟ ଜାଗାରେ ସଭା ପାଇଁ ଯିଏ ପ୍ରଥମେ ଆବେଦନ କରିବ ତାକୁ ଅନୁମତି ମିଳିବ। ଅପରାଧିକ ମାମଲା ଥିଲେ ୩ ଥର ବିଜ୍ଞାପନ ଦେଇ ପ୍ରାର୍ଥୀ ଜଣାଇବେ।

ଚଳିତ ଥର ମହିଳା ଭୋଟରଙ୍କ ସଂଖ୍ୟା ୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଶତାୟୁ ଭୋଟରଙ୍କ ସଂଖ୍ୟା ରହିଛି ୯ହଜାର ୬୦ । ୧୪୭ ବିଧାନସଭା ଆସନରୁ ୩୩ଟି ST ଏବଂ ୨୧ ଲୋକସଭା ଆସନରୁ ୫ଟି ଆସନ ST ଏବଂ ୩ଟି ଆସନ SC ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ମତଦାତାଙ୍କ ପାଇଁ ବୁଥରେ ସବୁ ପ୍ରକାର ସୁବିଧା କରାଯାଉଛି । ଦିବ୍ୟାଙ୍ଗ ଏବଂ ବୟସ୍କ ପୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।

ନିର୍ବାଚନ ନେଇ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ମୁଖ୍ୟ ନିର୍ବାଚନ ଆୟୋଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ କରିବାକୁ ନିର୍ଦ୍ଦେଶ ଦେଇ ଇସିଆଇ ନିରପେକ୍ଷ, ସ୍ଵଚ୍ଛ ଏବଂ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଉପରେ ଜିଲ୍ଲାପାଳ ଓ ଏସପି ଗୁରୁତ୍ଵ ଦେବେ। ପେଡ୍ ନ୍ୟୁଜ୍ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ସଂପର୍କରେ ଅଭିଯୋଗ ଆସିଲେ ଏକ ସ୍ଵତନ୍ତ୍ର କମିଟି ତଦନ୍ତ କରିବ। ଅଭିଯୋଗ ସତ ହୋଇଥିଲେ, ସମସ୍ତ ଖର୍ଚ୍ଚ ଉକ୍ତ ପ୍ରାର୍ଥୀଙ୍କ ନାଁରେ ଯିବ।

ସୂଚନାଯୋଗ୍ୟ, ୧୫, ୧୬ ଓ ୧୭ ତାରିଖ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପର୍ଯ୍ୟାୟକ୍ରମେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗ। ୧୬ ତାରିଖରେ ଜାତୀୟ ଓ ରାଜ୍ୟର ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ, ଡିଇଓ, ଏସପି, ସିପି, ଡିଭିଜନାଲ କମିଶନର ଆଇଜିଙ୍କ ସହ ନିର୍ବାଚନ କମିଶନ ଆଲୋଚନା କରିଛନ୍ତି । ସେହିପରି ୧୭ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ନୋଡାଲ ଅଫିସର, ସିପିଏଫ ନୋଡାଲ ଅଫିସର, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରି ନିର୍ବାଚନ ପ୍ରସ୍ତୁତିରେ ସମୀକ୍ଷା କରିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *