୨୦୧୦ ମସିହାର ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥି ମଣ୍ଡାଙ୍ଗୀ ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ସୋମବାର ଦିନ ରାୟଗଡ଼ା ଏସ୍.ଡି.ଜେ.ଏମ୍. କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରି ତାଙ୍କୁ ଜେଲ୍ ପଠାଯାଇଛି। ସୂଚନାଯୋଗ୍ୟ ଯେ, ମା’ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟର ସଦସ୍ୟ ତଥା ପ୍ରମୁଖ ଆଦିବାସୀ ନେତା ଭାଗିରଥି ମଣ୍ଡାଙ୍ଗୀଙ୍କୁ ୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ରାୟଗଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ପରେ ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଏନ୍. ଭାସ୍କର ରାଓ ଏବଂ ଅନ୍ୟମାନଙ୍କୁ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା। ୨୦୨୪ ନଭେମ୍ବରରେ ରାୟଗଡ଼ା ଏସ୍.ଡି.ଜେ.ଏମ୍. କୋର୍ଟ ଏହି ମାମଲାରେ ପୂର୍ବତନ ସାଂସଦଙ୍କ ସମେତ ଛଅ ଜଣଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି କରିଥିଲେ। ଏହାପୂର୍ବରୁ ଓଡ଼ିଶା ହାଇକୋର୍ଟ ଭାସ୍କର ରାଓଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରିଥିଲେ, ଯାହାକୁ ଚାଲେଞ୍ଜ କରି ମୃତ ଆଦିବାସୀ ନେତାଙ୍କ ଭାଇ ଜଗନ୍ନାଥ ମଣ୍ଡାଙ୍ଗୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବା ସହ ଭାସ୍କର ରାଓଙ୍କୁ ପୂର୍ବରୁ ମିଳିଥିବା ନିୟମିତ ଜାମିନକୁ ଖାରଜ କରିଦେଇଥିଲେ। ସେବେ ସର୍ବୋଚ୍ଚ ଅଦାଲତ ତାଙ୍କୁ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ରାୟଗଡ଼ା ଏସ୍.ଡି.ଜେ.ଏମ୍. କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ସେହି ନିର୍ଦ୍ଦେଶକୁ ମାନି ଭାସ୍କର ରାଓ ଆଜି କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। Post navigation Royal Bengal Tiger Spotted in Debrigarh Sanctuary: ଦେବୀଗଡ଼ ଅଭୟାରଣ୍ୟରେ ପୁଣି ଦେଖାଗଲା ରୟାଲ ବେଙ୍ଗଲ ଟାଇଗର, ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା