ବିମୁଦ୍ରୀକରଣକୁ ଦଶ ବର୍ଷ ପୂରିଥିବା ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଯୋଗଦେଇ ଏହାର ସକାରାତ୍ମକ ପ୍ରଭାବ ସମ୍ପର୍କରେ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ବିମୁଦ୍ରୀକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଥିବା ସାହସିକ ନିଷ୍ପତ୍ତି ଉଗ୍ରବାଦୀଙ୍କ ନଗଦ ଅର୍ଥ ଯୋଗାଣରେ ବାଧା ସୃଷ୍ଟି କରିବା ସହ ପୁରୁଣା ଜାଲ୍ ନୋଟକୁ ଅଚଳ କରିବା ଏବଂ ଅର୍ଥ କାରବାରକୁ ବ୍ୟାଙ୍କ ଓ ଡିଜିଟାଲ ବ୍ୟବସ୍ଥା ମଧ୍ୟକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଅତୀତରେ ଓଡିଶାର ଜିଲ୍ଲାପାଳ ଓ ବିଧାୟକଙ୍କୁ ମଧ୍ୟ ନକ୍ସଲ ଅପହରଣ କରିବାର ଦୁଃସାହସ କରୁଥିଲେ। ବର୍ତମାନ ସେ ସ୍ଥିତି ଆଉ ନାହିଁ। ଏହା ପଛରେ ବିମୁଦ୍ରାୟନର ଏକ ବଡ ଅବଦାନ ରହିଛି। ହିସାବ ବାହାରେ ଥିବା ନଗଦ ଟଙ୍କା, ଜାଲ୍ ନୋଟ ଓ ହାୱାଲା କାରବାର ଦୁର୍ନୀତି ଏବଂ ହିଂସାକୁ ବଳ ଯୋଗାଉଥିଲା। ବିମୁଦ୍ରୀକରଣ ଏହି ବ୍ୟବସ୍ଥା ଉପରେ ନିର୍ଣାୟକ ଆକ୍ରମଣ କରିଥିଲା। ପରବର୍ତୀ ସୁରକ୍ଷା ଅଭିଯାନ, ବିକାଶମୂଳକ ପଦକ୍ଷେପ ଓ ଆର୍ଥିକ ସଂସ୍କାର ସହ ଏହାର ଅବଦାନକୁ ମଧ୍ୟ ମୂଲ୍ୟାୟନ କରିବା ଆବଶ୍ୟକ।

ସତ୍ୟବ୍ରତ ପଣ୍ଡା ଆଉ ମଧ୍ୟ କହିଛନ୍ତି ଯେ, ବିମୁଦ୍ରୀକରଣ ହାୱାଲା କାରବାରକୁ ପ୍ରଭାବିତ କରିଥିଲା ଏବଂ ପାକିସ୍ତାନରେ ଛପା ହୋଇଥିବା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ଉଚ୍ଚମାନର ଜାଲ୍ ନୋଟକୁ ତୁରନ୍ତ ଅଚଳ କରିଦେଇଥିଲା। ବିମୁଦ୍ରୀକରଣ ପରେ ବିଭିନ୍ନ ମାଓବାଦୀ ଗୋଷ୍ଠୀଠାରୁ ପ୍ରାୟ ୯୭.୭୫ ଲକ୍ଷ ଟଙ୍କା ଜବତ ହୋଇଥିଲା। ଓଡିଶାରେ ମାଟିତଳୁ ମାଓବାଦୀଙ୍କ ଦ୍ୱାରା ପୋତା ଯାଇଥିବା ଅନେକ ଅଚଳ ଟଙ୍କା ଲୋକଲୋଚନକୁ ଆସିଥିଲା। ଉଗ୍ରବାଦୀଙ୍କ ଅର୍ଥ ଯୋଗାଣକୁ ବାଧା ଦେବାର ଏହି ପଦକ୍ଷେପ ମାଓବାଦ ବିରୋଧୀ ବ୍ୟାପକ ଅଭିଯାନର ଏକ ଅଂଶ ଥିଲା। ଦେଶରେ ମାଓବାଦୀଙ୍କ ଦ୍ୱାରା ଘଟାଯାଇଥିବା ହିଂସା ୨୦୧୦ରେ ୧,୯୩୬ଟି ଥିବାବେଳେ ଆଜି ମାଓବାଦ ପ୍ରଭାବିତ ତାଲିକାରେ ଆଉ କୌଣସି ଜିଲ୍ଲା ରହିନାହିଁ। ଏହା ହେଉଛି ସୁରକ୍ଷା ଅଭିଯାନ, ଗୁଇନ୍ଦା ସମନ୍ୱୟ, ରାସ୍ତା ଓ ଯୋଗାଯୋଗର ବିକାଶ, ପୁନର୍ବାସ ଓ ଦାରିଦ୍ର‌୍ୟ ଦୂରିକରଣ ସହ ବିମୁଦ୍ରାୟନର ମିଳିତ ସଫଳତା। ବିମୁଦ୍ରୀକରଣ ଉଗ୍ରବାଦୀଙ୍କ ଅର୍ଥବଳକୁ ଆଘାତ ଦେଇଥିଲା। ଆମ ସୁରକ୍ଷା ବାହିନୀ ଓ ନିରନ୍ତର ବିକାଶ କାର୍ଯ୍ୟ ଏହି ଲଢ଼େଇକୁ ଆଗକୁ ନେଇଥିଲା। ଓଡ଼ିଶାର ପୂର୍ବତନ ମାଓବାଦ ପ୍ରଭାବିତ ଅଂଚଳର ଲୋକଙ୍କ ପାଇଁ ଏହି ଶାନ୍ତି ଓ ସୁରକ୍ଷା ବିଶେଷ ମହତ୍ୱ ରଖେ ବୋଲି ସତ୍ୟବ୍ରତ ପଣ୍ଡା ମତ ପ୍ରକାଶ କରିଛନ୍ତି।

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆକ୍ରମଣ ଓ ହିଂସା ଘଟଣା ୨୦୧୮ରେ ୨୨୮ରୁ ୨୦୨୫ରେ ୧୨କୁ ଖସିଛି। ବିଜେପି ସରକାରଙ୍କ ସାମଗ୍ରିକ ଆତଙ୍କବାଦ ବିରୋଧୀ ନୀତି ଯୋଗୁ ଆତଙ୍କବାଦ ଘଟଣା ୯୫ ପ୍ରତିଶତ ହ୍ରାସ ହୋଇଛି। ଆତଙ୍କବାଦୀଙ୍କ ଅର୍ଥ ଯୋଗାଣକୁ ରୋକିବା ଏହି ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ।

ଜାଲ୍ ନୋଟ ସମ୍ପର୍କିତ ତଥ୍ୟ ମଧ୍ୟ ଉଲ୍ଲେଖନୀୟ ରହିଛି। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ବ୍ୟାଙ୍କ ବ୍ୟବସ୍ଥାରେ ଚିହ୍ନଟ ହୋଇଥିବା ଜାଲ୍ ନୋଟ ସଂଖ୍ୟା ୨୦୧୬–୧୭ରେ ୭,୬୨,୦୭୨ରୁ ୨୦୨୫–୨୬ରେ ୨,୨୯,୭୪୬କୁ ଖସିଛି। ଅର୍ଥାତ୍ ପ୍ରାୟ ୭୦ ପ୍ରତିଶତ କମିଛି।

ଟିକସ କ୍ଷେତ୍ରରେ ମଧ୍ୟ ସକାରାତ୍ମକ ପରିବର୍ତନ ଦେଖାଯାଇଥିଲା। ୨୦୧୭–୧୮ରେ ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ୧୮ ପ୍ରତିଶତ ଏବଂ ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣ ସଂଖ୍ୟା ୨୫ ପ୍ରତିଶତ ବଢ଼ିଥିଲା। ନୂଆ ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ପୂର୍ବ ବର୍ଷର ୮୫.୫୧ ଲକ୍ଷରୁ ପ୍ରାୟ ୧.୦୭ କୋଟିକୁ ବୃଦ୍ଧି ପାଇଥିଲା। ୨୦୧୬ ନଭେମ୍ବରରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ଆୟକର ଚଢ଼ାଉରୁ ୯୦୦ କୋଟି ଟଙ୍କା ଜବତ ହୋଇଥିଲା ଏବଂ ପ୍ରାୟ ୭,୯୬୧ କୋଟି ଟଙ୍କାର ଅଘୋଷିତ ଆୟ ସ୍ୱୀକାର କରାଯାଇଥିଲା। ବିମୁଦ୍ରୀକରଣ ଓ ବ୍ୟାଙ୍କ ଜମା ତଥ୍ୟର ପରବର୍ତ୍ତୀ ଯାଞ୍ଚ ଟିକସ ଅନୁପାଳନରେ ସହାୟକ ହୋଇଥିଲା।

ଏକ ନିର୍ଦ୍ଦିଷ୍ଟ ପ୍ରକାରର ବ୍ୟାଙ୍କ ଆକାଉଂଟରେ ୧.୬ରୁ ୧.୭ ଲକ୍ଷ କୋଟି ଟଙ୍କାର ଅସ୍ୱାଭାବିକ ନଗଦ ଜମା ଆକଳନ କରିଥିଲା ରିଜର୍ଭ ବ୍ୟାଙ୍କର ଏକ ଅଧ୍ୟୟନ। ଏହି ତଥ୍ୟ ଯାଂଚ ପାଇଁ ସୁଯୋଗ ସୃଷ୍ଟି କରିଥିଲା। ବିମୁଦ୍ରୀକରଣଠାରୁ ୨୦୧୭ ଅକ୍ଟୋବର ମଧ୍ୟରେ ଆଉ ପାଂଚ କୋଟି ଜନଧନ ଖାତା ଖୋଲାଯାଇଥିଲା, ଯାହା ଅଧିକ ଲୋକଙ୍କୁ ବ୍ୟାଙ୍କ ସେବା ସହ ଯୋଡ଼ିଥିଲା ଓ ଏକ ସମାବେଶୀ ଅର୍ଥନୀତି ଗଢିବାରେ ସହାୟକ ହୋଇଥିଲା। ଦେଶର ଅନୌପଚାରିକ ଅର୍ଥ ବ୍ୟବସ୍ଥା ସଂଗଠିତ ଅର୍ଥ ବ୍ୟବସ୍ଥା ଦିଗରେ ଉତରଣ ବିମୁଦ୍ରାୟନର ସବୁଠାରୁ ବଡ ଉପଲବ୍ଧି ବୋଲି ସତ୍ୟବ୍ରତ ପଣ୍ଡା କହିଛନ୍ତି।

ଏହି ବିମୁଦ୍ରୀକରଣ ଭାରତର ପରବର୍ତୀ ଡିଜିଟାଲ ପରିବର୍ତନକୁ ଆହୁରି ବ୍ୟାପକ କରିଛି। ୨୦୨୫–୨୬ରେ ୟୁପିଆଇ ମାଧ୍ୟମରେ ପ୍ରାୟ ୨୪,୧୬୨ କୋଟି କାରବାର ହୋଇଛି, ଯାହାର ମୂଲ୍ୟ ପ୍ରାୟ ୩୧୪ ଲକ୍ଷ କୋଟି ଟଙ୍କା। ବିମୁଦ୍ରୀକରଣ ପ୍ରାରମ୍ଭିକ ପର୍ଯ୍ୟାୟରେ ଡିଜିଟାଲ ଦେୟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇଥିଲା। ପରେ ୟୁପିଆଇ ବ୍ୟବସ୍ଥା, ସୁଲଭ ଇଂଟରନେଟ୍‌, ବ୍ୟାଙ୍କ ସେବାର ପ୍ରସାର ଓ ସରକାରୀ ପ୍ରୋତ୍ସାହନ ଏହାକୁ ଆଗକୁ ନେଇଛି।

ବିମୁଦ୍ରାୟନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମୁଦ୍ରାୟନ ପଦକ୍ଷେପକୁ ସମର୍ଥନ କରି ଜାତୀୟସ୍ତରରେ ପ୍ରଶଂସା ସାଉଁଟିଥିଲେ। ବର୍ତମାନ କୌଣସି ସୁବିଧାବାଦୀ ରାଜନୀତିର ଶୀକାର ନ ହୋଇ ସେ ପ୍ରଧାନମନ୍ତ୍ରୀଙ୍କ ବିମୁଦ୍ରାୟନ ନିଷ୍ପତିକୁ ପୁନଃସମର୍ଥନ ଜଣାଇବା ପାଇଁ ସତ୍ୟବ୍ରତ ପଣ୍ଡା ଆହ୍ୱାନ କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *