ଭୁବନେଶ୍ୱର: ନିର୍ବାଚନ ଆସିଲେ ବିଜେଡିର ନେତା, ମନ୍ତ୍ରୀ ଓ ତାଙ୍କ ପ୍ରାର୍ଥୀମାନେ ଭୁଲ୍ କରିବା ସହ ନିର୍ବାଚନ ଆଚରଣ ବିଧି ଉଲଘଂନ କରନ୍ତି । ଏହା ତାଙ୍କର ଆଜିର ଭୁଲ୍ ନୁହଁ ବରଂ ଦୀର୍ଘ ୨୫ବର୍ଷ ଧରି ବିଜେଡି ଓଡ଼ିଶାବାସୀଙ୍କୁ ଅନ୍ଧାର କୋଠରୀରେ ରଖି ଭୋଟ ହାତେଇଛି । ଭୋଟ ପାଇବା ପରେ ଓଡ଼ିଶାର ବିକାଶର “ବି” ଅକ୍ଷର ମଧ୍ୟ କରିନାହିଁ । ବିଜେଡି ନେତାଙ୍କ ମିଛ ପ୍ରହେଳିକା ଭଣ୍ଡାର ଭରି ଭରି ଆସିବା ଜାଣି ସେମାନେ ବାଉଳା ହୋଇ ରାସ୍ତାରେ ହୋର୍ଡିଂ ଲଗାଉଛନ୍ତି ଓ ସରକାରୀ କଳର ଅପବ୍ୟବହାର କରୁଛନ୍ତି । ଓଡ଼ିଆର ଗୋଟେ ଢ଼ଗ ଅଛି ‘ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ’ । ବିଜେଡି ସେହି ଦରପୋଡା କାଠ । ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି । ଏଥିଲାଗି ବିଜେପି ମଧ୍ୟ ସିଇଓଙ୍କ ଦ୍ୱାରସ୍ଥ ହେଉଛି । ଆଜିବି ବିଜେଡି ନିର୍ବାଚନ ଆଚରଣ ବିଧି ଉଲଘଂନ କରିଛି । ଟଙ୍କା ଥିବା ଲୋକଙ୍କୁ ବିଜେଡି ଟିକେଟ୍ ଦେଉଛି ଯାହାଙ୍କୁ ସାମ୍ବିଧାନିକ ଜ୍ଞାନ ଓ ନିର୍ବାଚନ ଆଚରଣ ବିଧି ଜଣାନାହିଁ । ବିଜେଡି ଦଳର ପ୍ରାର୍ଥୀମାନେ ସରକାରୀ କର୍ମଚାରୀଙ୍କ ସହଯୋଗ, ସରକାରୀ କଳକୁ ବ୍ୟବହାର କରିବା ଏବଂ ସରକାରୀ ଚିହ୍ନ/ ଲୋଗୋକୁ ମଧ୍ୟ ବ୍ୟବହାର କରୁଛନ୍ତି । ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ସରକାରୀ ସ୍ଥାନ ଓ ପବ୍ଲିକ ରୋଡର ଦୁଇ ପାଶ୍ୱର୍ରେ ହୋଡିଂ ଛାଇ ଦେଇଛନ୍ତି । ସାଧାରଣ ସ୍ଥାନରେ ଶ୍ରୀ ମିଶ୍ର ହୋଡିଂ ଲଗାଇ ରାସ୍ତାକୁ ବନ୍ଦ କରୁଛନ୍ତି । ଏହି ହୋଡିଂରେ “ଆମ ଓଡିଶା ନବୀନ ଓଡ଼ିଶା” ଲୋଗୋକୁ ବ୍ୟବହାର କରୁଛନ୍ତି । ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ତୁରନ୍ତ ରାସ୍ତାରେ ଲଗାଯାଇଥିବା ହୋର୍ଡିଂକୁ ହଟାଯାଉ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି ପ୍ରତିନିଧିମଣ୍ଡଳୀ ।

ସେହିପରି ପୁରୀ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେଡି ପ୍ରାର୍ଥୀଙ୍କ ସହ ଇଏପିପି(ଆସିଷ୍ଟାଂଟ ପବ୍ଲିକ ପ୍ରସ୍ୟୁକ୍ୟୁଟର) ରବିନ୍ଦ୍ର ନାଥ ନାୟକ ସରକାରୀ କର୍ମଚାରୀ ହୋଇ ମଧ୍ୟ ବିଜେଡିର ନିର୍ବାଚନ ପ୍ରଚାର କରୁଛନ୍ତି । ଶ୍ରୀ ନାୟକଙ୍କୁ ପଦବୀରୁ ବହିଷ୍କାର କରାଯିବା ସହ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ଅନ୍ତର କରାଯାଉ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

ବିଜେପି ସର୍ବଦା ନିର୍ବାଚନ ବେଳେ ଶାନ୍ତି ଚାହେଁ କିନ୍ତୁ ବିଜେଡିର ନେତା, ମନ୍ତ୍ରୀମାନେ ତାହା କରାଇ ଦିଅନ୍ତି ନାହିଁ । ଏଭଳି ବିଶୃଙ୍ଖଳିତ ଦଳ ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏଥର ସଧାରଣ ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ କିଭଳି ହେବ ସେ ନେଇ ସିଇଓ ସୁବନ୍ଦୋବସ୍ତ କରନ୍ତୁ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ବରିଷ୍ଠ ନେତ୍ରୀ ନିୟତି ଗିରି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *