ଭୁବନେଶ୍ୱର: ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ଏକ ପର୍ବ । ନିର୍ବାଚନ ଆଚରଣ ସଂହିତାକୁ ମାନି ଶୃଙ୍ଖଳିତଭାବେ ପାଳନ କରିବା ଆମ ସମସ୍ତଙ୍କର ଦାୟିତ୍ୱ । କିନ୍ତୁ ଶାସକ ବିଜେଡି ଅଭ୍ୟାସଗତ ଭାବେ ଓ ନିର୍ବାଚନ ହାରିବା ଭୟରେ ସରକାରୀ କଳ, ବଳ ଓ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରିବା ସହ ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରି ଆସୁଛି । ବିଜେପି ସର୍ବଦା ଚାହୁଁଚି ଶାନ୍ତିଶୃଙ୍ଖଳାଭାବେ ନିର୍ବାଚନ ହେଉ ।

ନିୟମ ଅନୁଯାୟୀ ଗତ ଦିନରେ ୧୦୪ଟି ଅଭିଯୋଗ ପତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇସାରିଲୁଣି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ସେଥିମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ହେଉଛି ବିଜେଡିର ବରାଦିନେତା ତଥା ଗୁମାସ୍ତା ଭିକେ ପାଣ୍ଡିଆନଙ୍କ ପ୍ରରୋଚନାରେ ନବରଙ୍ଗପୁର ଲୋକସଭାର ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ୩ଟି ଜନସଭାରେ ମାନନୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ମିଥ୍ୟା ଭିଡିଓ ଶୁଣାଇ ବିଜେପି ସରକାର କଲେ ଆଦିବାସୀ ଓ ଦଳୀତ ବର୍ଗର ସଂରକ୍ଷଣ ବନ୍ଦ କରିଦେବ କହି ସେମାନଙ୍କ ମନରେ ବିଷ ମଞ୍ଜି ବୁଣିବାକୁ ଉଦ୍ୟମ କରିଛନ୍ତି ।

ପ୍ରକାଶଥାଉ କି, ପୂର୍ବରୁ ଅନ୍ୟ ଏକ ଆନ୍ଦୋଳନ ସଭାରେ ପ୍ରଦୀପ ମାଝୀ କହିଥିଲେ ପେଟ୍ରୋଲ, ଡିଜେଲ ଯୋଗାଡ କରିକି ରଖ ଯେତେବେଳେ ମୋର ନିର୍ଦ୍ଦେଶ ଆସିଲେ ମାତ୍ରେ ନିଆଁ ଲଗାଇଦେବ । ଏ ବ୍ୟକ୍ତି ସେହି ନିଆଁ ଲଗା ନେତା ଓ ଦେଶରେ ନିଆଁ ଲଗା ଦଳ କଂଗ୍ରେସରୁ ଆମଦାନି ହୋଇ ବିଜେଡି ଆସିଛନ୍ତି । କଂଗ୍ରେସ ଆଜି ଦେଶକୁ ବିଭାଜନ କରିବାକୁ ଚାହୁଁଛି । ସେହି କଂଗ୍ରେସର ଦେଶଭଙ୍ଗା ସଂସ୍କୃତି ଓ ଚରିତ୍ରରୁ ଆସିଥିବା ପ୍ରଦୀପ ମାଝୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ତେବେ ଏଭଳି ଦଳ ଏବଂ ନେତାଙ୍କଠାରୁ କଣ ଆଶା କରାଯାଇ ପାରେ ବୋଲି ଶ୍ରୀ ମଲ୍ଲିକ ପ୍ରଶ୍ନ କରିଛନ୍ତି ।

ପ୍ରଦୀପ ମାଝୀ ଏଭଳି ମିଥ୍ୟା ଭିଡିଓକୁ ଆଧାର କରି ଦଳିତ ଓ ଆଦିବାସୀଙ୍କୁ ଭ୍ରମିତ କରିଥିବା ଅଭିଯୋଗରେ ବିଜେପି ଅଭିଯୋଗ ନେଇ ଇସିଆଇଙ୍କୁ ଭେଟିଥିଲା । ଏହାପରେ ପ୍ରଦୀପ ମାଝୀ ତାଙ୍କ ବକ୍ତବ୍ୟକୁ ପ୍ରତାହ୍ୟାର କରିବା ସହିତ ନିସର୍ଥ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ଏ କଥାରେ ବିଜେପି ସନ୍ତୁଷ୍ଟ ନୁହେଁ । ସରଳ, ନୀରିହ, ଦଳୀତ ଓ ଆଦିବାସୀ ଲୋକଙ୍କ ମନରେ ପ୍ରଦୀପ ମାଝୀ ଯେଉଁ ବିଷ ମଞ୍ଜି ବୁଣିଲେ ଏବଂ ତାଙ୍କ ମନ ଭିତରେ ସାମାଜିକ ବିଦ୍ୱେଷ ଭରିଲେ ତାହା ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ ।

ମିଥ୍ୟା ଭିଡିଓକୁ ଆଧାର କରି ଉତ୍ୟକ୍ତ ଭାଷଣ ଦେଇ ସମାଜକୁ ଭାଗ ଭାଗ କରିବା ପାଇଁ ଉଦ୍ୟମ କରିବା ଜଘନ୍ୟ ଅପରାଧର ଅନ୍ତର୍ଭୁକ୍ତ । ସେହିପରି ସତ୍ୟାସତ୍ୟକୁ ନପରଖି ଗୃହମନ୍ତ୍ରୀଙ୍କ ମିଥ୍ୟା ଭିଡିଓର ଅପପ୍ରଚାର କରିଥିବାରୁ ଆଇନ ଅନୁଯାୟୀ ପ୍ରଦୀପ ମାଝୀ ଜଣେ ଅପରାଧୀ । ଚୋରୀ କରି ଭୁଲ୍ ମାଗିବା ଯାହା ପ୍ରଦୀପ ମାଝୀଙ୍କ କ୍ଷମା ମାଗିବା ସେୟା । ସେହିପରି ତାମିଲନାଡୁରୁ ଆସିଥିବା ଆମଦାନି ନେତା ତଥା ବିଜେଡିର ୨ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କ ପ୍ରୋରଚନାରେ ପ୍ରଦୀପ ମାଝୀ ଉତେଜନା ମୂଳକ ଭାଷଣ ଦେଉଥିବାବେଳେ ସେ ମଂଚରେ ବସି ହସୁଥିଲେ । ଏଭଳି ଅପ୍ରାସଙ୍ଗିକ ଏବଂ ଆଇନ ବିରୋଧୀ ଭାଷଣ ଦେବାକୁ ପ୍ରରୋଚନା ଦେଇଥିବା ଶ୍ରୀ ପାଣ୍ଡିଆନଙ୍କ ବିରୋଧରେ ୧୨୦(ବି) ଅନୁଯାୟୀ ତଦନ୍ତ କରାଯିବା ସହ ତାଙ୍କୁ ନିର୍ବାଚନ ପ୍ରଚାରରୁ ବାସନ୍ଦ କରାଯାଉ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

ସବୁଠୁ ଦୁର୍ଭାଗ୍ୟର କଥା ଜଣେ ଆଦିବାସୀ ନେତା ପ୍ରଦୀପ ମାଝୀଙ୍କ ମୁହଁରେ ମିଥ୍ୟା କୁହାଇ ଆଦିବାସୀ ଓ ଦଳୀତଙ୍କୁ ଉସ୍‌କାଇବା ଓ ପରବର୍ତୀ ସମୟରେ ପୁଣି ସେହି ଆଦିବାସୀ ନେତାଙ୍କୁ ସର୍ବସାଧାରଣରେ ନିସର୍ତ କ୍ଷମା ମଗାଇ ଓଡ଼ିଶାର ଆଦିବାସୀ ସମାଜକୁ ନିଚ୍ଚା ଦେଖାଇ ମଜ୍ଜା ନେଉଛନ୍ତି ଭିକେ ପାଣ୍ଡିଆନ । ଏଭଳି ହୀନମନ୍ୟତା ରଖୁଥିବା ଦଳ ଓ ନେତାଙ୍କଠାରୁ ଦୂରେଇ ରହିବା ପାଇଁ ରାଜ୍ୟର ଦଳିତ ଓ ଆଦିବାସୀ ଭାଇ ଓ ଭଉଣୀମାନଙ୍କୁ ନିବେଦନ କରିଛନ୍ତି ଶ୍ରୀ ମଲ୍ଲିକ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *