ବିଜୁ ଜନତା ଦଳ ଇସ୍ତାହାର କମିଟିର ପ୍ରଥମ ବୈଠକ ବସିସାରିଛି । ଭାଜପା ରବିବାର ଦିନ ପବିତ୍ର ବିଷୁବ ସଂକ୍ରାନ୍ତିରେ ତା’ର ସଂକଳ୍ପପତ୍ର ଜାରି କରିଛି । ଏବେ ସମସ୍ତଙ୍କର ଅପେକ୍ଷା ବିଜୁ ଜନତା ଦଳ ତା’ର ନିର୍ବାଚନ ଘୋଷଣାପତ୍ରରେ କ’ଣ ପ୍ରତିଶ୍ରୁତି ଦେବ?

୨୦୧୯ ବିଜଦ ଘୋଷଣାପତ୍ରର ଶୀର୍ଷକ ଥିଲା ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା । ୫ବର୍ଷ ଭିତରେ କେଉଁ କ୍ଷେତ୍ରରେ ରାଜ୍ୟ ସଶକ୍ତ ହୋଇଛି, ତାହା ବିଚାର କରିବାର ସମୟ ମଧ୍ୟ ଆସିଛି । ସେହି ଘୋଷଣାପତ୍ରରେ ‘ମୋ ଓଡ଼ିଶା’ ଉପରେ ଫୋକସ କରିଥିଲା ଦଳ । ସେଥିରେ ଲେଖାଥିଲା ଯେ, ମୋ ଓଡ଼ିଶା ସାରା ଦେଶକୁ ଯୋଗାଉଛି ଖାଦ୍ୟ ସୁରକ୍ଷା । ଏହା କେତେ ସତ, ତାହା ସମସ୍ତେ ଜାଣିଛନ୍ତି । ମୋଦୀ ସରକାର ମାଗଣା ରାସନ ଯୋଗାଇବା ପରେ ଏହାକୁ ହାଇଜାକ କରିବା ପାଇଁ ଦୁଇ କୋଟି ଝୋଟ ବ୍ୟାଗ୍ରେ ଶଙ୍ଖ ଚିହ୍ନ ଲଗାଇ ନବୀନ ସରକାର ମାଗଣା ଚାଉଳ ଦେଉଛନ୍ତି ବୋଲି କେବେ ବି ଅପଚେଷ୍ଟା କରିନଥାନ୍ତା ବିଜଦ ।

କିନ୍ତୁ ଏହି ଘୋଷଣାପତ୍ରରେ ନବୀନ ଓଡ଼ିଶା ଶବ୍ଦ ଦ୍ୱୟର ବ୍ୟାପକ ବ୍ୟବହାର ହୋଇଥିଲା । ଏଥିରେ ଗୋଟିଏ ଶୀର୍ଷକ ଥିଲା ହକ୍ ମାଗୁଛି ‘ଓଡ଼ିଶା’ । ଏଥିରେ ଇଂରାଜୀରେ ଲେଖାଯାଇଥିବା ତଥ୍ୟର ସାରାଂଶ ହେଲା ଯେ, କେନ୍ଦ୍ର ସରକାରମାନେ ଓଡ଼ିଶାର ଅଧିକାରକୁ ଅବହେଳା କରୁଛନ୍ତି । ଏହି ଐତିହାସିକ ଅବହେଳା ଯୋଗୁ ଟେଲକମ୍, ରେଳବାଇ, ବ୍ୟାଙ୍କିଙ୍ଗ୍ ଏବଂ ଜାତୀୟ ରାଜପଥରେ ସବୁଠୁ ତଳେ ଅଛି ଓଡ଼ିଶା । ଉପା ସରକାର ପୋଲାଭରମ ପ୍ରକଳ୍ପକୁ ଜାତୀୟ ଷ୍ଟାଟସ୍ର ମର୍ଯ୍ୟାଦା ଦେଲେ । ପରେ ଏନ୍ଡିଏ ସରକାର ଏହାକୁ ସମର୍ଥନ କଲା । ଭାଜପାର ଛତିଶଗଡ଼ ସରକାର ଓଡ଼ିଶା ସ୍ୱାର୍ଥ ବିରୋଧରେ କାର୍ଯ୍ୟ କଲା । ସ୍ୱତନ୍ତ୍ର ଶ୍ରେଣୀ ରାଜ୍ୟ ପାହ୍ୟା ପାଇଁ ଭାଜପା ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ତାହା ପାଳନ ହେଲା ନାହିଁ । ଓଡ଼ିଶାକୁ ଦରକାର ସ୍ୱତନ୍ତ୍ର ଶ୍ରେଣୀ ରାଜ୍ୟ ପାହ୍ୟା । ଏହାଫଳରେ ଯେଉଁ ଐତିହାସିକ ଅବହେଳା ହୋଇଛି, ତାହା ଦୂର ହୋଇପାରିବ । ଲକ୍ଷଲକ୍ଷ ଯୁବକଙ୍କ ଆଶା ପୂରଣ ହେବ । କେନ୍ଦ୍ର କୋଲ ରୟାଲିଟି ସଂଶୋଧନ କରୁନାହିଁ । ଏହା ଫଳରେ ଓଡ଼ିଶା ବିପୁଳ ରାଜସ୍ୱ ହରାଉଛି । ଏଥର କେନ୍ଦ୍ରରେ କୌଣସି ଜାତୀୟ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ । କେନ୍ଦ୍ରରେ ସରକାର ଗଠନରେ ବିଜୁ ଜନତା ଦଳ ପ୍ରମୁଖ ଭୂମିକା ଗ୍ରହଣ କରିବ । ବିଜଦ ସେହି ଦଳକୁ ସମର୍ଥନ କରିବ, ଯେଉଁ ଦଳ ଓଡ଼ିଶାର ଯଥୋଚିତ ଅଧିକାରକୁ ସମର୍ଥନ ଯୋଗାଇବ । କେନ୍ଦ୍ର ପାଇଁ ଏହାହିଁ ହେଉଛି ବିଜଦର ଏଜେନ୍ଦା ।

ଗତ ଘୋଷଣାପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି, କେତେ ନାଟକବାଜି କରାଯାଇଛି, ତାହା ଏକ ପୃଥକ ପ୍ରସଙ୍ଗ । କିନ୍ତୁ ପ୍ରଶ୍ନ ହେଉଛି, ୨୦୨୪ ଘୋଷଣାପତ୍ରରେ ବିଜୁ ଜନତା ଦଳ ପୁଣିଥରେ ଓଡ଼ିଶା ପାଇଁ ହକ ମାଗିବ କି? ଐତିହାସିକ ଅବହେଳା କଥା ପୁଣି ଉଠାଇବ କି?

ବିଜୁ ଜନତା ଦଳ ପାଇଁ କେନ୍ଦ୍ର ଅବହେଳାର ଏକମାତ୍ର ବିନ୍ଦୁ ହେଲା ୫୫ ନମ୍ବର ଜାତୀୟ ରାଜପଥ । ଏହି ରାଜପଥ ନିର୍ମାଣ ସରୁନି । ଦୁର୍ଘଟଣା ହେଉଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା ସଡ଼କ ବିଭାଗ ମନ୍ତ୍ରୀ ଗଡ଼କରୀ ଦାୟୀ ନୁହନ୍ତି । ଦାୟୀ ଧର୍ମେନ୍ଦ୍ର ପ୍ରଧାନ । ଗତ ୫ବର୍ଷ ଭିତରେ ସବୁଠୁ ବେଶୀ ରେଳବାଇ ବଜେଟ ଅନୁଦାନ ଓଡ଼ିଶା ପାଇଛି । ବନେ୍ଦ ଭାରତ ଟ୍ରେନ ଚାଲିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ନୟାଗଡ଼ ପର୍ଯ୍ୟନ୍ତ ଟ୍ରେନ୍ ଗଲାଣି । ଟେଲିକମ ବିସ୍ତାରରେ ପ୍ରମୁଖ କେନ୍ଦ୍ରୀୟ ସହାୟତା ମିଳିଛି । ଏଥର କି ହକ ମାଗିବେ ନବୀନ ପଟନାୟକ?

ବିଜଦ ଭାବି ନେଇଥିଲା ଯେ, କେନ୍ଦ୍ରରେ ତ୍ରିଶଙ୍କୁ ଅବସ୍ଥା ହେବ । ବିଜଦ ସହାୟତାରେ ଗଢ଼ା ହେବ ସରକାର । ଯେଉଁ ସରକାର ବିଜଦର ଦାବି ମାନିବ, ସେହି ସରକାରକୁ ଦଳ ସମର୍ଥନ କରିବ । ପ୍ରତିବଦଳରେ ଓଡ଼ିଶା ପାଇଁ ନ୍ୟାୟୋଚିତ ଦାବି ହାସଲ କରିପାରିବ ବିଜଦ । ଏହି ଆଶା ଆଶାରେ ରହିଗଲା । ଏନ୍ଡିଏ ବିଶାଳ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କଲା । ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେଲେ । ଏଥର ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ବୋଲି ଖୋଦ ଭିକେ ପାନ୍ଦିଆନ ଏକ ଜାତୀୟ ଚ୍ୟାନେଲ କନ୍କ୍ଲେଭ୍ରେ ମାନିସାରିଛନ୍ତି । ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, କେନ୍ଦ୍ର ସରକାର ଗଠନରେ ବିଜଦର ସାହାଯ୍ୟ ସମର୍ଥନ ଭାଜପା ଆବଶ୍ୟକ କରିବ ନାହିଁ ।

କିନ୍ତୁ ଗତ ୫ ବର୍ଷ ଭିତରେ ଯେଉଁଭଳି ଆତ୍ମସମର୍ପଣ ମୁଦ୍ରାରେ ବିଜଦ ମୋଦୀ ସରକାରଙ୍କୁ ସମର୍ଥନ କରିଛି, ପ୍ରତିବଦଳରେ ଓଡ଼ିଶା ପାଇଁ ହାସଲ କରିଛି କ’ଣ? କୁଆଡ଼େ ଗଲା ଓଡ଼ିଶାର ‘ହକ୍’ । ସ୍ୱତନ୍ତ୍ର ଶ୍ରେଣୀ ପାହ୍ୟା ମିଳିଛି କି? ବିଧାନ ପରିଷଦ ଆଣିପାରିଛି କି? ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୦୩୧ ଟଙ୍କା ହୋଇଛି କି? କ’ଣ ଆଣିପାରିଛି ବିଜୁ ଜନତା ଦଳ ନିଜ ସମର୍ଥନ ବଦଳରେ? ମୋଦୀ ସରକାରଙ୍କୁ ନିସର୍ତ୍ତ ସମର୍ଥନ କରିବା ବିଜୁ ଜନତା ଦଳର ଐତିହାସିକ ଭୁଲ କି? ତେଣୁ ୨୦୨୪ ଘୋଷଣାପତ୍ରରେ କାହାର ଐତିହାସିକ ଅବହେଳା ସଂଶୋଧନ ପାଇଁ ହକ ମାଗିବ ବିଜୁ ଜନତା ଦଳ?

 

 

 

 

 

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *