ନୂଆଦିଲ୍ଲୀ (ଏଜେନ୍ସୀ): ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦର ଶପଥ ନେବା ପରେ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟାରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଥିଲେ । ନିଜର ପୁରୁଖାଙ୍କ ଉପରେ ଅଧିକ ଭରସା କରିବା ସହ ତାଙ୍କୁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । କ୍ୟାବିନେଟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୁଣି ଥରେ ସେହି ରେଳ ବିଭାଗ ସହ ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ପ୍ରସାରଣ ବିଭାଗ ପ୍ରଦାନ କରାଯାଇଛି । ଆଉ ଦାୟିତ୍ୱ ମିଳିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଅଶ୍ୱିନୀ ।
ମଙ୍ଗଳବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ ଅଶ୍ୱିନୀ । ଏହି ଅବସରରେ ସେ କହିଥିଲେ ଯେ, ସରକାର ଦେଶର ଲୋକଙ୍କ ସେବା ଜାରି ରଖିବ । ପ୍ରଧାନମନ୍ତ୍ରୀ ମୋଦୀ ଗରିବଙ୍କ ଉନ୍ନତି ପାଇଁ ଉତ୍ସର୍ଗିକୃତ । ଏହି କାରଣରୁ କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ଥିଲା ୩ କୋଟି ନୂଆ ଘର । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦାୟିତ୍ୱ ମିଳିିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଅଶ୍ୱିନୀଙ୍କୁ ବିଭାଗ ସଚିବ ସଂଜୟ ଯାଜୁ ଓ ଅନ୍ୟ ବରିଷ୍ଠ ଅଧିକାରୀ, ମିଡିଆ ୟୁନିଟ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିପରି ଶ୍ରୀ ବୈଷ୍ଣବ ରେଳମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୋମବାର ସକାଳୁ ସକାଳୁ ସେ ରେଳମନ୍ତ୍ରଣାଳୟରେ ପହଞ୍ଚିଥିଲେ । ଦ୍ୱିତୀୟ ଥର ପାଇଁ ସେ ରେଳମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିଥିଲେ । କହିଥିଲେ ଯେ, ଗତ ୧୦ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରେଳବାଇ କ୍ଷେତ୍ରରେ ବ୍ୟାପକ ସୁଧାର ଅଣାଯାଇଛି । ବିଦୁ୍ୟତିକରଣ ଠାରୁ ଆରମ୍ଭ କରି ନୂଆ ରେଳଲାଇନ, ଅଧିକରୁ ଅଧିକ ଟ୍ରେନ ସହ ଷ୍ଟେସନକୁ ବିଶ୍ୱସ୍ତରୀୟ ଏବଂ ଯାତ୍ରୀ ସେବାକୁ ଗୁରୁତ୍ୱ ଦେବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଏହା ଗତ ୧୦ବର୍ଷର ସବୁଠୁ ବଡ଼ ଅଭିବୃଦ୍ଧି । ଦେଶର ଅର୍ଥ ବ୍ୟବସ୍ଥାର ମେରୁଦନ୍ଦ ଦେଉଛି ରେଳ । ତେଣୁ ସରକାର ରେଳବାଇକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । କାରଣ ରେଳବାଇ ମୋଦୀଙ୍କ ଭାବନା ସହ ଯୋଡି ହୋଇରହିଛି ।
ଏଥିସହ ମଙ୍ଗଳବାର ମଧ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ସେ କହିଛନ୍ତି ଯେ, ସରକାର ସେମି କନ୍ଦକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ଭାରତକୁ ବିଶ୍ୱ ଦରବାରରେ ଅଧିକ ମଜଭୁତ କରିବା ପାଇଁ ଏବଂ ଭାରତକୁ ସୂଚନା ପ୍ରଯୁକ୍ତି ଓ ଡିଜିଟାଲ ହବ୍ ବନାଇବା ପାଇଁ ଏଜେନ୍ଦାକୁ ଆଗକୁ ନେଉଛନ୍ତି । ଗତ ୧୦ବର୍ଷରେ ଡିଜିଟାଲ ଇନ୍ଦିଆ ଅନ୍ତର୍ଗତ ଜନ ଧନ,ଆଧାର ଏବଂ ଅନ୍ୟ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ବେଶ ସଶକ୍ତ କରିଛି ।

Leave a Reply

Your email address will not be published. Required fields are marked *