ଭୁବନେଶ୍ବର(ନିର୍ଭୟ ମିଡିଆ): ବହୁ ବର୍ଷର ସେହି ପ୍ରତୀକ୍ଷିତ ମୂହୁର୍ତ୍ତ ଉପନୀତ ହୋଇଛି । ଆସନ୍ତା କାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ପ୍ରଥମ ଥର ପାଇଁ ରାଜ୍ୟରେ ଭାଜପା ସରକାର ଗଢିବାକୁ ଯାଉଥିଲା ବେଳେ ଶପଥ ସମାରୋହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି ଜନତା ମଇଦାନ । ଆଉ ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଉଥିବାରୁ ମୋଦୀମୟ ହୋଇସାରିଛି ରାଜଧାନୀ ।

ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ବାରମ୍ବାର ଦୃଢତାର ସହ କହିଆସୁଥିଲେ ଯେ, ଏଥର ଓଡ଼ିଶାରେ ହେବ ଭାଜପା ସରକାର । ଓଡ଼ିଶାର ଜଣେ ପୁଅ କିମ୍ବା ଝିଅ ବନିବେ ମୁଖ୍ୟମନ୍ତ୍ରୀ । ମୋଦୀଙ୍କ ଏହି ଭବିଷ୍ୟବାଣୀ ସତ ହୋଇଛି । ଏକ ସଂଖ୍ୟାଗରିଷ୍ଠତା ସହ ସରକାର ଗଢିବାକୁ ଭାଜପା ଯାଉଥିଲା ବେଳେ ଲୋକସଭାରେ ମଧ୍ୟ ୨୧ ରୁ ୨୦ ଆସନ ଜିତିଛି ଭାଜପା । ରାଜ୍ୟରେ ଭାଜପାର ଏହି ଐତିହାସିକ ବିଜୟ ନେଇ ସବୁଆଡେ ଖୁସିର ମାହୋଲ । ଭାଜପା ନେତା ଓ କର୍ମୀ ମଧ୍ୟ ଉତ୍ସାହିତ ।

ଶପଥ ଗ୍ରହଣ ସମାରୋହ ବୁଧବାର ୪ଟା ୪୫ମିନିଟ୍ରେ ଅନୁଷ୍ଠିତ ହେବ ଜନତା ମଇଦାନରେ । ଜନତା ମଇଦାନ ନୂଆ ବୋହୂପରି ସଜେଇ ହୋଇଛି । ପାଖାପାଖି ୫୦ହଜାରରୁ ଅଧିକ ଲୋକ ଏହି ସମାରୋହରେ ସାମିଲ ହେବେ । ବଡ଼ କଥା ହେଉଛି ଖାଲି ପ୍ରଧାନମନ୍ତ୍ରୀ ନୁହେଁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବରିଷ୍ଠ କେନ୍ଦ୍ରମନ୍ତ୍ରୀ, ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ ଏହି କାର୍ଯ୍ୟକ୍ରମରେ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଡିଜିପି ଅରୁଣ ଷଡଙ୍ଗୀ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଥିଲା ବେଳେ ନିୟମିତ ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ବରିଷ୍ଠ ଅଧିକାରୀମାନେ ଜନତା ମଇଦାନରେ ଉପସ୍ଥିତ ରହି ପ୍ରସ୍ତୁତିକୁ ଚୂଡାନ୍ତରୂପ ଦେଉଛନ୍ତି ।

ମୋଦୀମୟ ପାଲଟିଛି ରାଜଧାନୀ । ଚାରିଆଡେ ଗେରୁଆ ପତାକା ଛାଇ ହୋଇରହିଛି । ବିମାନ ବନ୍ଦର ଠାରୁ ରାଜଭବନ, ରାଜଭବନ ଠାରୁ ଜନତା ମଇଦାନ ସଜେଇ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ବ୍ୟାରିକେଡ ସହ ଉଡୁଛି ଭାଜପା ପତାକା । ରାସ୍ତାର ମଝିରେ ଏବଂ କଡ଼ରେ ମୋଦୀଙ୍କର ବିଶାଳ କଟଆଉଟ୍ ଲାଗିଛି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ଉତ୍ସାହର ସହ ଅପେକ୍ଷାରେ । ରାସ୍ତାରେ ଆଲୋକସଜା ସମସ୍ତଙ୍କୁ ଆକର୍ଷିତ କରୁଛି । ରାସ୍ତାଘାଟ ଚକାଚକ୍ ହୋଇଥିଲା ବେଳେ ଯେପରି ସାଧାରଣ ଲୋକେ କୌଣସି ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେଥିପାଇଁ ଦିଆଯାଇଛି ସ୍ୱତନ୍ତ୍ର ଦୃଷ୍ଟି । ବରିଷ୍ଠ ଅତିଥିଙ୍କ ଆଗମନ ମଙ୍ଗଳବାର ଅପରାହ୍ନରୁ ଆରମ୍ଭ ହୋଇଯାଇଥିଲା ବେଳେ ବିମାନ ବନ୍ଦରରେ ମଧ୍ୟ ଭିଭିଆଇପିଙ୍କ ଆଗମନ ପାଇଁ ହୋଇଛି ସ୍ୱତନ୍ତ୍ର ସୁବିଧା । ସୁରକ୍ଷା ସହ ଅତିଥିଙ୍କ ଆତିଥେୟତା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ଆଉ କିଛି ଘଣ୍ଟାର ଅପେକ୍ଷା, ଓଡ଼ିଶାରେ ଆରମ୍ଭ ହେବ ଏକ ନୂଆ ଯୁଗ ।

Leave a Reply

Your email address will not be published. Required fields are marked *