ଅକ୍ଟୋବର ୨୮ ତାରିଖରେ ଘଟିଥିବା ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପରବର୍ତ୍ତୀ ବନ୍ୟା ଓ କ୍ଷୟକ୍ଷତିର ଆକଳନ କରିବା ପାଇଁ ଆସନ୍ତା ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଏକ ୮ ଜଣିଆ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତ କରିବ ବୋଲି ଜଣାପଡ଼ିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଗଠିତ ଏହି କେନ୍ଦ୍ରୀୟ ଟିମ୍ ଆସନ୍ତା ନଭେମ୍ବର ୨ ତାରିଖରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳ ଗୁଡ଼ିକ ଗସ୍ତ କରିବେ। ଟିମରେ ନେତୃତ୍ୱ ନେଉଥିବା ରବି ଶଙ୍କର ନଭେମ୍ବର ୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହି କେନ୍ଦ୍ରୀୟ ଟିମର ସମସ୍ତ ସଦସ୍ୟ ନଭେମ୍ବର ୨ ସନ୍ଧ୍ୟା କିମ୍ବା ନଭେମ୍ବର ୩ ସକାଳ ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବା ପାଇଁ କୁହାଯାଇଛି। ପ୍ରଥମେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହିତ ଏକ ବୈଠକ ଓ ବ୍ରିଫିଂ କରାଯିବ ଏବଂ ତାହାପରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଯୋଜନା ଅନୁଯାୟୀ କ୍ଷତିଗ୍ରସ୍ତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ଜଣାପଡିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଏହି ଗସ୍ତ ସମ୍ପର୍କରେ ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଅବଗତ କରାଯାଇଥିବାବେଳେ କେନ୍ଦ୍ରୀୟ ଟିମ୍ ପାଇଁ ଆବଶ୍ୟକୀୟ ଆବାସ ଓ ଯାତାୟାତର ବନ୍ଦୋବସ୍ତ କରିବାକୁ ଅନୁରୋଧ କରାଯାଇଛି। Post navigation Bhanjanagar Gidipabali Landslide: ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ଘଟଣା; ୨ ମୃତଦେହ ଉଦ୍ଧାର Cyclone ‘Arnab’ Relief: ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ