ଆଜି ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତକାର ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟକୁ କଟାକ୍ଷ କରିଛନ୍ତି ବିଜେପିର ମୁଖପାତ୍ର ଅନୀଲ ବିଶ୍ଵାଳ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଣି ମିଛ କହିଲେ l

ନିର୍ବାଚନ ହାରିବା ଜାଣି ମୁଖ୍ୟମନ୍ତ୍ରୀ ନିଜର ଷଡଯନ୍ତ୍ରକୁ ଆହୁରି ଶାଣିତ କରି ପୁଣି ମିଛ କହିଛନ୍ତି l ଯଦି ଭିକେ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରି ନୁହନ୍ତି ତାହେଲେ କାହା ପାଇଁ କଣ୍ଟାବାଞ୍ଜିରୁ ସେ ଲଢୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅନୀଲ ?

ସେ ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି, ସେ ପଚାରିଛନ୍ତି ଯଦି ଭିକେ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି ତାହେଲେ ତାଙ୍କୁ କାହିଁକି ସବୁ କ୍ଷମତା ଦେଇଥିଲେ? କାହିଁକି ୫ଟି ନାମରେ ଏକ ଅସମ୍ଭିଧାନିକ ବ୍ୟବସ୍ଥା ଆରମ୍ଭ କରି ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା କରାଯାଇଛି ? କାହା ସ୍ୱାର୍ଥରେ ୫ଟି ପଦରେ କାହିଁକି କେବଳ ଜଣେ ଲୋକ “ଭିକେ ପାଣ୍ଡିଆନ” ରହିଲେ?

ଯଦି ସତରେ ନବୀନ ବାବୁ ଚାହାଁନ୍ତି ତାଙ୍କ ଉତ୍ତରାଧିକାରୀ ଲୋକେ ବାଛନ୍ତୁ ତାହେଲେ ସେ ଉତ୍ତର ଦିଅନ୍ତୁ ଯେ ପାଣ୍ଡିଆନଙ୍କୁ ସବୁ କ୍ଷମତା ଦେବା ପାଇଁ କଣ ଓଡିଶା ଲୋକେ କହିଥିଲେ କି?

ଯେତେବେଳେ ଭିକେ ପାଣ୍ଡିଆନଙ୍କ ପାଇଁ ଓଡିଆ ବିଧାୟକ, ମନ୍ତ୍ରୀ କ୍ରୀତଦାସ, ଟ୍ରାଫିକ ପୋଲିସ ସାଜୁଥିଲେ ସେତେବେଳେ ନବୀନ ବାବୁ କାହିଁକି ଚୁପ ଥିଲେ? ନବୀନ ବାବୁ ଯଦି ସତରେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି ତାହେଲେ ଜଣଙ୍କୁ ସବୁ କ୍ଷମତା କାହିଁକି ଦେଇଥିଲେ?

ଯଦି ସତରେ ନବୀନ ବାବୁ ଓଡିଆ ଭାବାବେଗକୁ ସମ୍ମାନ ଦିଅନ୍ତି ତାହେଲେ କଣ ବିଜେଡି ଦଳର ପ୍ରଚାର କରିବା ପାଇଁ କେହି ଜଣେ ଓଡିଆ ଲୋକେ ଯୋଗ୍ୟ ହେଲେ ନାହିଁ? ନବୀନ ନିବାସରେ ପାଣ୍ଡିଆନଙ୍କ ବିନା ଅନୁମତିରେ କାହିଁକି କେହି ଓଡିଆ ନେତା ପଶି ପାରୁନାହାନ୍ତି? ଏ ସବୁ ପ୍ରଶ୍ନର ରାଜ୍ୟସରକାର କଣ ଉତ୍ତର ଦେଇଛି ଦେଖିବାକୁ ଅପେକ୍ଷା ରହିଛି ବୋଲି ସେ କହିଛନ୍ତି  ।

Leave a Reply

Your email address will not be published. Required fields are marked *