nuapada-by-poll-why-did-bjd-choose-the-way-to-suicide
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି । ରାଜ୍ୟର କୌଣସି ଉପନିର୍ବାଚନ ଇତିହାସରେ ପୂର୍ବରୁ ଏପରି ମନୋନୟନ ଦେଖିବାକୁ ମିଳିନାହିଁ । ଉପନିର୍ବାଚନରେ ସେହି ନିର୍ବାଚନ ମଣ୍ଡଳୀ, ଜିଲା ଏପରିକି ସଂସଦୀୟ କ୍ଷେତ୍ର ଭିତରୁ ପ୍ରାର୍ଥୀ ଚୟନ ନକରି ବିଜଦ ବାହାର ଜିଲାରୁ ଜଣଙ୍କୁ ପ୍ରାର୍ଥୀ କରି ଉପନିର୍ବାଚନରେ ମଇଦାନକୁ ଆଣିବା ପ୍ରଥମ ଘଟଣା ।
 
ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲାର ନେତ୍ରୀ । ତାଙ୍କୁ ପ୍ରାର୍ଥୀ କରି ନୂଆପଡ଼ାରେ ଆତ୍ମହତ୍ୟାର ବାଟ ବାଛିନେଇଛି ମୁଖ୍ୟ ବିରୋଧୀ ଦଳ । ଏହା ମଧ୍ୟରେ ପରୋକ୍ଷରେ ଶ୍ରୀମୟୀ ମିଶ୍ରଙ୍କ ଅଭିଯୋଗକୁ ଦଳ ସତ୍ୟ ବୋଲି ସ୍ୱୀକାର କରିନେଇଛି । ସେ କହିଥିଲେ ‘କର୍ମୀ ଚାହିଁଥିବେ ଅନେଇ, ଦିଲ୍ଲୀରେ ଡିଲ୍ କରିଛି କହ୍ନେଇଁ’ । ଏପରିକି ନବୀନଙ୍କ ଚର୍ଚ୍ଚା ପୋଡକାଷ୍ଟରେ ଶ୍ରୀମୟୀ କହିଥିଲେ, ବରଗଡ଼ରୁ ପ୍ରାର୍ଥୀ କରିବାକୁ ଯାଉଛି ବିଜଦ । ଯାହାଦ୍ୱାରା ଭାଜପା ଅତି ସହଜରେ ଯେମିତି ବିଜୟୀ ହେବ ।
 
ତେବେ କ’ଣ ଭାଜପା କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବିଜଦ ଭୋଟ୍ ପୂର୍ବରୁ ପରାଜୟବରଣ କରିବା ପାଇଁ ଡିଲ୍ କରିଦେଲା କି? କାରଣ ଅତିବେଶିରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ଜଣଙ୍କୁ ବାଛିପାରିଥାନ୍ତା ବିଜୁ ଜନତା ଦଳ । ତେଣୁ ସନେ୍ଦହ ପ୍ରକାଶ ପାଉଛି ଯେ ଜୟ ଢୋଲକିଆଙ୍କୁ ଭାଜପା ପଠାଇବା ପଛରେ ବିଜଦ ନେତୃତ୍ୱ ବଡ଼ ଭୂମିକା ଗ୍ରହଣ କରିଛନ୍ତି ।
 
ପୂର୍ବରୁ କଂଗ୍ରେସ ଏବଂ ପରେ ଭାଜପା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବେଳେ ସମସ୍ତେ ଅପେକ୍ଷାରେ ଥିଲେ ବିଜଦ ନେତୃତ୍ୱ କି ନିଷ୍ପତ୍ତି ନେଉଛନ୍ତି । ବୁଧବାର ସକାଳୁ ସକାଳୁ ନବୀନ ନିବାସରେ ଭିଡ଼ ଆରମ୍ଭ ହୋଇଯାଇଥିଲା । ବରିଷ୍ଠ ନେତାମାନେ ଭେଟିଥିଲେ ସଭାପତି ନବୀନ ପଟନାୟକଙ୍କୁ । ୩ଜଣ ଆଶାୟୀ ମଧ୍ୟ ଆସିଥିଲେ, ଆଲୋଚନା କରିଥିଲେ ବୋଲି କୁହାଯାଉଛି । ଚର୍ଚ୍ଚାରେ ଥିବା ମନୋଜ ମିଶ୍ର ମଧ୍ୟ ଆସିଥିଲେ । ନୂଆପଡ଼ା ଏନ୍ଏସି ଚେୟାରମ୍ୟାନ ମହମ୍ମଦ ଆଦାମ ମଧ୍ୟ କହିଥିଲେ ଯେ ମୁଁ ମଧ୍ୟ ଅଛି ଟିକେଟ ରେସ ରେ ।
 
ତେବେ କାହିଁକି ବିଜଦ ସ୍ନେହାଙ୍ଗିନୀଙ୍କୁ ବାଛିଲା ତାହା ଅବୋଧ୍ୟ ହୋଇ ରହିଗଲା । ଆତ୍ମହତ୍ୟାର ପନ୍ଥା କାହିଁକି ବାଛିଲା ବିଜଦ ତା’ ବୁଝିଲା ବେଳକୁ ନେଡ଼ିଗୁଡ଼ କହୁଣିକୁ ବୋହିସାରିଥିବ ।
 
ଧର୍ମ ଓ ନ୍ୟାୟର ଯୁଦ୍ଧ ହେବ : ସ୍ନେହାଙ୍ଗିନୀ
ଉପନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୀତ ହେବା ପରେ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ ନୂଆପଡ଼ା ଉପନିର୍ବାଚନରେ ଧର୍ମ ଓ ନ୍ୟାୟ ଯୁଦ୍ଧ ହେବ । ଅଧର୍ମର ପରାଜୟ ଘଟିବ । ନୂଆପଡ଼ାବାସୀ ଠିକଣା ସମୟରେ ଜବାବ ଦେବେ । ମୁଁ ନିଶ୍ଚିତ ଲୋକଙ୍କ ବିଶ୍ୱାସଭାଜନ ହେବି । (ଶେଷଭାଗ)
 
ସେ କହିଛନ୍ତି ଯେ ସଭାପତି ନବୀନ ପଟନାୟକ ମତେ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ତାଙ୍କୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି । ମୋ’ ଉପରେ ସେ ଭରସା କରିଛନ୍ତି । ଦଳ ପାଇଁ, ନୂଆପଡ଼ା ପାଇଁ ଓ ରାଜ୍ୟବାସୀଙ୍କ ପାଇଁ କାମ କରିଛି । ଏହି ନିର୍ବାଚନ ପାଇଁ ମୁଁ ନୂଆପଡ଼ାବାସୀଙ୍କ ଆଶୀର୍ବାଦ ମାଗୁଛି । ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ନୂଆପଡ଼ାବାସୀଙ୍କ ସେବା କରିବି ।
 
ପ୍ରମାଣିତ ହେଲା କହ୍ନେଇଙ୍କ “ଦିଲ୍ଲୀ ଡିଲ୍’: ଶ୍ରୀମୟୀ
ବିଜୁ ଜନତା ଦଳର ପ୍ରାର୍ଥୀ ଘୋଷଣା ପରେ ପରେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟରେ ବିଜଦର ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର କଡ଼ା ସମାଲୋଚନା କରିଛନ୍ତି ଦଳକୁ । କହିଛନ୍ତି, ଦିଲ୍ଲୀରେ ଡିଲ୍ କରିଛି ‘କହ୍ନେଇ ।’
 
ଜିଲ୍ଲା ବାହାରର ପରାଜିତ ନେତ୍ରୀଙ୍କୁ ବିଜଦ ଟିକେଟ୍ ଦେଇ ପରୋକ୍ଷରେ “କହ୍ନେଇ’ଙ୍କ ସ୍ଥାୟିତ୍ୱ ଓ ଡିଲକୁ କାର୍ଯ୍ୟକାରୀ କରାଇଛି । ଯେଉଁ ନେତ୍ରୀଙ୍କୁ ବିଜଦ ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି କହିଛି ସେ ଗତ ମାସରେ କହ୍ନେଇଙ୍କୁ ନବୀନବାବୁଙ୍କ “ମାନସ ପୁତ୍ର’ କହିବା ପରେ ହିଁ ତାଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପଦବୀରେ ପୁରସ୍କୃତ କରାଯାଇଥିଲା । ଯେଉଁ ମହିଳା ନିଜ ଦଳର ନେତ୍ରୀଙ୍କୁ ଅପମାନିତ ହେବାର ଦେଖି ଚୁପ୍ ରହିଥିଲେ ଓ ପାଣ୍ଡିଆନଙ୍କ ଚାପରେ ବାରମ୍ବାର ବୟାନ ବଦଳାଇଥିଲେ ଏବେ ତାଙ୍କୁ ନୂଆପଡ଼ାରେ ବିଜଦର ପ୍ରାର୍ଥୀ କରାଯାଇଛି ।
 
ବରଗଡ଼ର ଏହି ନେତ୍ରୀ ଗତ ସାଧାରଣ ନିର୍ବାଚନରେ ନିଜ ପାରମ୍ପରିକ ଆସନରୁ ୨୯ହଜାର ଭୋଟ୍ ବ୍ୟବଧାନରେ ଶୋଚନୀୟ ପରାଜିତ ହୋଇଥିଲେ । ଏବେ ସିଏ ନୂଆପଡ଼ାରେ ଦଳର ପ୍ରାର୍ଥୀ ହେବାପରେ ସ୍ପଷ୍ଟ ପ୍ରମାଣିତ ହେଲା ଯେ, ବିଜଦ କିଭଳି ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିବ ସେଥିପାଇଁ ବିରାଟ ଷଡ଼ଯନ୍ତ୍ର ଗତ ସପ୍ତାହରେ ଦିଲ୍ଲୀରେ ହୋଇସାରିଥିଲା ।
 
ଦଳର କୋର ଟିମ୍ ସଦସ୍ୟମାନେ ସେହି କହ୍ନେଇଙ୍କୁ ନବୀନ ନିବାସରେ ଭେଟି ମଙ୍ଗଳବାର ସନ୍ଧ୍ୟାରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ବି ଦେଲେ । ମାତ୍ର ହେଲା କ’ଣ? ନୂଆପଡ଼ାର ହଜାର ହଜାର ବିଜୁପ୍ରେମୀ ଓ ଦଳୀୟ କର୍ମୀଙ୍କ ପ୍ରତି ଏହା ଅପମାନ ନୁହେଁ ତ ଆଉ କ’ଣ? ଯେଉଁ ଅଣଓଡ଼ିଆ ବ୍ୟକ୍ତି ପାଇଁ ବିଜଦର ୨୪ବର୍ଷର ସରକାର ଚାଲିଗଲା, ଆଉ ଏବେ ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିବାର ଷଡ଼ଯନ୍ତ୍ର ହେଲା, ତାକୁ କେତେଦିନ ସହିବେ ବିଜଦର ନେତାମାନେ, ସେ ବିଚାର ଆପଣମାନଙ୍କ ଉପରେ ଛାଡ଼ିଲି ।

By Nirvay

Leave a Reply

Your email address will not be published. Required fields are marked *