ଆଜି ରଥାରୂଢ ଜଗତର ନାଥ ଜଗନ୍ନାଥଙ୍କର ସୁନାବେଶ । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ପୁରୀରେ ଏବେଠୁ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ସତର୍କ କରାଇଲା ଓଡ଼ିଶା ପୋଲିସ । ପୋଲିସ ଅନୁସାରେ ସହରରେ ଥିବା ପାର୍କିଂ ସ୍ଥାନଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି । ଉପଲବ୍ଧତା ଅନୁସାରେ ଏବେ ତାଳବଣିଆ ଓ ଷ୍ଟର୍ଲିଂରେ କରାଯାଉଛି ପାର୍କିଂ । ବାଟଗାଁ/ମାଳତୀପାଟପୁରରେ ଶ୍ରଦ୍ଧାଳୁଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ । ଏହାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ଓଡ଼ିଶା ପୋଲିସ ନିବେଦନ କରିଛନ୍ତି ।

ଓଡ଼ିଶା ପୋଲିସ ପକ୍ଷରୁ ଏହି ସତର୍କ ବାର୍ତ୍ତା ସମସ୍ତ ମୋବାଇଲ ବ୍ୟବହାରକାରୀଙ୍କ ପାଖକୁ ପଠାଯାଇଛି । ଶରଧାବାଲିରେ ଘଟିଥିବା ଅଘଟଣ ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇ ଲୋକଙ୍କୁ ସଚେତନ କରାଯାଉଛି । ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେବ। ଏହା ପରେ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *